ଅନ୍‌ଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ପ୍ରହସନ

ଦେଢ଼ ମାସ ହେଲା ଆବେଦନ ହେଉନି କି ପ୍ଲାନ୍‌ ମିଳୁନି

ଭୁବନେଶ୍ୱର: ସରକାରଙ୍କ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌’ ନାରା କେବଳ ଆହ୍ଵାନରେ ରହିଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ସରକାର ଯେତେ ଯୋଜନା କଲେ ବି ଫେଲ୍‌ ମାରୁଛି। ଯାହାର ଜ୍ୱଳନ୍ତ ଉଦାହରଣ ହେଲା ବିଡିଏ ଓ ବିଏମ୍‌ସିରେ ଲାଗୁ ହୋଇଥିବା ‘ଅନଲାଇନ୍‌ରେ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା’ ବା ଇ-ବିପିଏଏସ୍‌। ସରକାରଙ୍କ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପ୍ରୀତି ଏବେ ରାଜଧାନୀବାସୀଙ୍କୁ ମହଙ୍ଗା ପଡ଼ିଲାଣି। ଗତ ଦେଢ଼ ମାସ ମଧ୍ୟରେ ଗୋଟିଏ ବି ପ୍ଲାନ୍‌ ଅନୁମୋଦନ ହୋଇନି। ଅନୁମୋଦନ ତ ଦୂରର କଥା ଲୋକ ଆବେଦନ କରିପାରୁନାହାନ୍ତି। ଇ-ବିପିଏଏସ୍‌ ଅନୁଯାୟୀ, ଯେ କୌଣସି ପ୍ରକଳ୍ପ କି ଗୃହ ନିର୍ମାଣ ପାଇଁ ବିଲ୍‌ଡିଂ ନିର୍ମାଣ କରିବାକୁ ଥିଲେ ଅନଲାଇନ୍‌ରେ ଆବେଦନ କରିବେ। ମାସକ ମଧ୍ୟରେ ଆବେଦନକାରୀଙ୍କୁ ପ୍ଲାନ୍‌ ମିଳିବ। ବିଡିଏ କି ବିଏମ୍‌ସି କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବନି। ରାଜଧାନୀ ଭିତରେ ଥାନ୍ତୁ କି ବିଦେଶରେ ସବୁ ଡକୁମେଣ୍ଟ ଯଦି ଠିକ୍‌ ଥିବ ତେବେ ୩୦ ଦିନ ମଧ୍ୟରେ ପ୍ଲାନ୍‌ ଦେବାକୁ ବିଡିଏ/ବିଏମ୍‌ସି କର୍ତୃପକ୍ଷ ବାଧ୍ୟ। ଏପରିକି ବିଭିନ୍ନ ସଂସ୍ଥା ଠାରୁ ଏନ୍‌ଓସି ଆଣିବାକୁ ଥିବାବେଳେ ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ନଦେଲେ ଏହାକୁ ଗ୍ରହଣୀୟ ବୋଲି ଧରି ନିଆଯିବ। ଯେଉଁ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଫାଇଲ୍‌ ଅଟକାଇବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା କେବଳ ଘୋଷଣା ଏବଂ ବିଜ୍ଞପ୍ତିରେ ଅଛି। ବିଭିନ୍ନ ଘରୋଇ ସଂସ୍ଥାଙ୍କୁ ଭୁବନେଶ୍ୱରରେ ବ୍ୟବସାୟ କରିବାକୁ ଆକର୍ଷଣ କରିବାକୁ ଏହି ଥୋପ ପକାଯାଇଛି। ଅସଲରେ ଏହା କାର୍ଯ୍ୟକାରୀ ହୋଇପାରୁନି। ରାଜଧାନୀରେ ଲୋକ ଘର କରିବା ପାଇଁ ଦେଢ଼ ମାସ ହେଲା ପ୍ଲାନ୍‌ ଆବେଦନ କରିପାରୁନାହାନ୍ତି କି ଅନୁମୋଦନ ହେଉନି। ସବୁ ଏକରକମ ବନ୍ଦ ହୋଇଯାଇଛି।

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପ୍ରୀତି ମହଙ୍ଗା ପଡ଼ିଲାଣି
ମିଳିଥିବା ସୂଚନା ଅନୁଯାୟୀ, ବିଡିଏ/ବିଏମ୍‌ସି ଏବେ ପ୍ଲାନ୍‌ ଅନୁମୋଦନ ନ କରିପାରିବାର ମୁଖ୍ୟ କାରଣ ହେଲା ପ୍ଲାନ୍‌ ଯେଉଁ ପ୍ରକ୍ରିୟାରେ ଅନୁମୋଦନ ହେବ ତାହା ଏବେ କର୍ତୃପକ୍ଷଙ୍କ ହାତରେ ନାହିଁ। କେତେଜଣ ସରକାରୀ ଅଧିକାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁଁ ପ୍ରଥମ କରି ଲାଗୁ ହେବାକୁ ଥିବା ଅନଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ସଂସ୍ଥାକୁ ଦିଆଗଲା। ହେଲେ ପ୍ଲାନିଂ ସମ୍ବନ୍ଧରେ ଅଭିଜ୍ଞତା ନଥିବା ଏହି ଅନଭିଜ୍ଞ ସଂସ୍ଥା ପ୍ରଥମେ ଯେଉଁ ସଫ୍‌ଟେଓ୍ଵୟାର ପ୍ରସ୍ତୁତ କରିଥିଲା ସେଥିରେ ବହୁତ ତ୍ରୁଟି ଥିବାରୁ ଏବଂ ଅଧପନ୍ତରିଆ ଭାବେ ଏହା ପ୍ରସ୍ତୁତ କରାଯାଇଥିବାରୁ ପ୍ଲାନ୍‌ ଅନୁମୋଦନରେ ସମସ୍ୟା ଉପୁଜିଲା। ଏହାପରେ ସଫ୍ଟେଓ୍ଵୟାର ବଦଳାଇବାକୁ ଘରୋଇ ସଂସ୍ଥାକୁ କୁହାଯାଇଛି। କିନ୍ତୁ ଦେଢ଼ ମାସ ହେଲା ସଂସ୍ଥା ସଫ୍ଟେଓ୍ଵୟାର ପ୍ରସ୍ତୁତ କରିପାରୁନି। ଯେଉଁଥିପାଇଁ ଏବେ ବିଡିଏ/ବିଏମ୍‌ସି ଅଫିସରେ ପ୍ରତିଦିନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଘର କରିବାକୁ ପ୍ଲାନ୍‌ ପ୍ରସ୍ତୁତ କରିଥିବା ଲୋକମାନେ ଆବେଦନ କରିପାରୁ ନଥିବାରୁ କର୍ତୃପକ୍ଷଙ୍କ ଉପରେ ରାଗ ସୁଝାଉଛନ୍ତି। ଆଉ ପ୍ଲାନ୍‌ ଅନୁମୋଦନ ପାଇଁ ଥିବା ଅଧିକାରୀମାନେ ଆମେ କିଛି କରିପାରିବୁନି କହି ଫେରାଉଛନ୍ତି। ଅନଲାଇନ୍‌ ପ୍ଲାନିଂ ଅନୁମୋଦନ ବ୍ୟବସ୍ଥାରେ ଯେଉଁ ଅଧିକାରୀ ଯେଉଁ ଦାୟିତ୍ୱରେ ଥିବେ ସେମାନେ କେବଳ ଅନଲାଇନ୍‌ରେ ଏହାକୁ ଦେଖି ଅନୁମୋଦନ ହେବ କି ନାହିଁ ନିଷ୍ପତ୍ତି ନେବେ। ହେଲେ ଏହି ସଂସ୍ଥା ସେତିକି ବି କରିବାରେ ବିଫଳ ହୋଇଛି। ଯେଉଁଥିପାଇଁ ପ୍ଲାନ୍‌ ସମ୍ବନ୍ଧୀୟ ଫାଇଲ୍‌ ବହୁ ତ୍ରୁଟି ଯୋଗୁଁ ଆଗକୁ ବଢ଼ୁନି। ଅନୁମୋଦନ ହେବା ଦୂରର କଥା।

୧୯ ତାରିଖକୁ ଅପେକ୍ଷା
ଏସବୁ ବାଦ୍‌ ମୁଖ୍ୟ ସମସ୍ୟା ହେଲା ପୂର୍ବରୁ ଯେତିକି ପ୍ଲାନ୍‌ ଆବେଦନ ହୋଇଥିଲା ସେଗୁଡ଼ିକୁ ଉନ୍ନତିକରଣ ହେବାକୁ ଥିବା ସଫ୍‌େଓ୍ଵୟାରକୁ ସ୍ଥାନାନ୍ତରିତ ହେବ। ହେଲେ ଏହା ସ୍ଥାନାନ୍ତରିତ ହେବା ପରେ ଏଥିରେ କିଛି ପରିବର୍ତନ ହେଉଛି କି ନାହିଁ ତାହା ଦେଖିବାକୁ ପଡ଼ିବ। ଏବେ ବିଏମ୍‌ସି ଓ ବିଡିଏର ପ୍ରାୟ ହଜାରେରୁ ଅଧିକ ଫାଇଲ୍‌ ଥିବାବେଳେ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ କେତେ ଫାଇଲ୍‌ ସ୍ଥାନାନ୍ତର କରିଛି ତା’ର ରିପୋର୍ଟ ଦେଇପାରୁନି। ଆସନ୍ତା ୧୯ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ କୁହାଯାଇଛି। ଧାର୍ଯ୍ୟ ସମୟରେ ଯଦି ସଫ୍ଟେଓ୍ଵୟାର ଉନ୍ନତିକରଣ ନହୁଏ ତେବେ ଆମେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୂର୍ବପରି ଅଫଲାଇନ୍‌ରେ ଆବେଦନ ଗ୍ରହଣ କରିବୁ ଓ ଅନୁମୋଦନ କରିବୁ ବୋଲି ବିଡିଏ ଓ ବିଏମ୍‌ସି କର୍ତୃପକ୍ଷ କହିଛନ୍ତି।

ସଫ୍ଟେଓ୍ଵୟାର ଉନ୍ନତିକରଣରେ କ’ଣ ବଦଳିବ
ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୁରୁଣା ସଫ୍ଟେଓ୍ଵୟାରରେ କେବଳ ନୂଆ ପ୍ଲାନ୍‌କୁ ଅନୁମୋଦନ କରିବାର ବ୍ୟବସ୍ଥା ଥିବାବେଳେ ଉନ୍ନତିକରଣ ହେବାକୁ ଥିବା ସଫ୍ଟେଓ୍ଵୟାରରେ ଯେଉଁମାନେ ପୂର୍ବରୁ ପ୍ଲାନ୍‌ ନେଇ ଘର କରିଛନ୍ତି ସେମାନେ ଯଦି ଏହାକୁ ବଦଳାଇବାକୁ ଚାହୁଁଛନ୍ତି, ଘରର କିଛି ଅଂଶ ଭାଙ୍ଗି ଏହାକୁ ବଢ଼ାଇବାକୁ ଚାହୁଁଛନ୍ତି, ପ୍ଲାନ୍‌ ନେବାର ତିନି ବର୍ଷ ପରେ ଯଦି ଏହାକୁ ନବୀକରଣ କରିବାକୁ ଚାହୁଁଛନ୍ତି, ଘର ନିର୍ମାଣ ପରେ ଅକୁପାନ୍ସି ସାର୍ଟିଫିକେଟ ନେବାକୁ ଚାହୁଁଛନ୍ତି ତେବେ ଏହାକୁ ଅନୁମୋଦନ କରିବାର ବ୍ୟବସ୍ଥା ରହିବ। ଏହାବାଦ୍‌ ଏବେ ନୂଆ ପ୍ଲାନ୍‌ ଆବେଦନକାରୀଙ୍କୁ ଡିମାଣ୍ଡ୍‌ ନୋଟିସ୍‌ ଦିଆଯାଇପାରୁ ନଥିବାରୁ ଉନ୍ନତିକରଣ ହେବାକୁ ଥିବା ସଫ୍‌ଟେଓ୍ଵୟାରରେ ଏହି ବ୍ୟବସ୍ଥା ରଖିବାକୁ କୁହାଯାଇଛି। ଯେମିତି ଜଣେ ଆବେଦନକାରୀ ଆବେଦନ କଲେ ନୂଆ ନିୟମ ଅନୁଯାୟୀ ପ୍ରାୟ ତିନି ପ୍ରକାରର ଫି’ ଦେବାକୁ ପଡ଼ୁଛି। ସାଙ୍କସନ୍‌ ଫି’, ନିର୍ମାଣ ଶ୍ରମିକଙ୍କ ପାଇଁ ଆଦାୟ ହେଉଥିବା ସେସ୍‌, ସିଆଇଡିଏଫ୍‌ ଫି’ (୨୦ଫୁଟ ରାସ୍ତାର ଥିଲେ ଏହାକୁ ଅନୁମୋଦନ କରିବା ପାଇଁ ଦେବାକୁ ଥିବା ଫି’) ଇତ୍ୟାଦି। ଏହି ତିନିଟି ଫି’ ବିଭିନ୍ନ ଆକାଉଣ୍ଟରେ ଜମା ହେଉଛି। ଯେପରି ସାଙ୍କସନ୍‌ ଫି’ ବିଡିଏ ପ୍ଲାନ୍‌ ଦେଉଥିଲେ ବିଡିଏ ଆକାଉଣ୍ଟକୁ, ବିଏମ୍‌ସି ପ୍ଲାନ୍‌ ଦେଉଥିଲେ ବିଏମ୍‌ସି ଆକାଉଣ୍ଟରେ ଜମା କରିବାକୁ ହେବ। ସେସ୍‌ ଫି’ ଶ୍ରମିକ କଲ୍ୟାଣ ବୋର୍ଡର ଆକାଉଣ୍ଟରେ ଏବଂ ସିଆଇଡିଏଫ୍‌ ଫି’ ବିଡିଏ ଆକାଉଣ୍ଟରେ ଜମା ହେବ। ଆସିବାକୁ ଥିବା ସଫ୍ଟେଓ୍ଵୟାରରେ ଏହା ପୃଥକ ପୃଥକ ଆକାଉଣ୍ଟରେ ଜମା ହୋଇଯିବ।

ସମ୍ବନ୍ଧିତ ଖବର