ଅନ୍‌ଲାଇନ୍‌ ବିଲଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା: ୯୦ ଦିନରେ ହେଉନି, ୫୦ ଦିନରେ କ’ଣ ସମ୍ଭବ?

ସ୍ମାର୍ଟ ସିଟି ସଫ୍ଟୱେୟାର ବିଏମ୍‌ସି ଓ ବିଡିଏର କାମରେ ଲାଗୁନି

ଭୁବନେଶ୍ବର: ବିଏମ୍‌ସି ଓ ବିଡିଏରେ ଯେଉଁମାନେ ଅନ୍‌ଲାଇନ୍‌ରେ ପ୍ଲାନ୍ ଆବେଦନ କରିବେ, ସେମାନଙ୍କୁ ତିନି ଦିନରେ ଅନୁମୋଦିତ ପ୍ଲାନ୍ ମିଳିବ। ଏହି ଯୋଜନା ବିଏମ୍‌ସି ଓ ବିଡିଏ ପକ୍ଷରୁ ଡିସେମ୍ବର ୧୮, ୨୦୧୮ରେ ଆରମ୍ଭ ହୋଇଥିଲା। ହେଲେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଲାନି। ବର୍ଷକ ଭିତରେ ବିଡିଏରେ ୪୨୦ଜଣ ଅନଲାଇନ୍‌ରେ ପ୍ଲାନ୍ ଆବେଦନ କରିଥିବା ବେଳେ ୧୩୪ ଜଣଙ୍କ ଆବେଦନ ଉପରେ ନି‌ଷ୍ପତ୍ତି ହୋଇ ପାରିଥିଲା। ୩ଜଣଙ୍କର ରଦ୍ଦ ହୋଇଥିଲା। ବର୍ଷକରେ ୧୨୪ ଜଣଙ୍କ ପ୍ଲାନ୍‌ ଆବେଦନ ଉପରେ ଶୁଣାଣି ହୋଇ ପାରିନଥିଲା। ବିଡିଏର ଇ-ବିପାସ୍‌ ବ୍ୟବସ୍ଥା ଏମିତି ସ୍ଥିତିରେ ଥିବା ବେଳେ ଏବେ ଏହାର ନାମ ବଦଳାଇ ଓ-ବିପାସ୍ କରିଦିଆ ଯାଇଛି। ଏଥିପାଇଁ ନୂଆ ନିୟମାବଳୀ ବି କରାଯାଇଛି। ମୋ’ ସରକାର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ସାମିଲ୍ ହେବା ପରେ ବିଡିଏ ଓ ବିଏମ୍‌ସି ବି ଏହା ଅଧୀନକୁ ଆସିଛି। ଏହି ଦୁଇଟି ସଂସ୍ଥାର ଅନ୍‌ଲାଇନ୍ ପ୍ଲାନ୍ ଅନୁମୋଦନ ପାଇଁ ଓ-ବିପାସ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଦୁଇଟି ସଂସ୍ଥାରୁ ବିଏମ୍‌ସି ଭୁବନେଶ୍ବର ସହର ଭିତର ଅଞ୍ଚଳରେ ଘର ନିର୍ମାଣ ପାଇଁ ପ୍ଲାନ୍‌ ଅନୁମୋଦନ କରୁଥିବା ବେଳେ ବିଡିଏ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳ ପାଇଁ ପ୍ଲାନ୍ ଅନୁମୋଦନ କରୁଛି। ଏବେ ମୋ’ ସରକାରରେ ବିଡିଏ ସାମିଲ୍‌ ହୋଇଥିବାରୁ ପ୍ଲାନ୍ ଅନୁମୋଦନ ପାଇଁ ସମୟ ସୀମା ଧାର୍ଯ୍ୟ କରିଛି। କେଉଁ ପ୍ଲାନ୍ କିପରି ଓ କେତେ ଦିନରେ ଅନୁମୋଦନ ହେବ, ସେନେଇ ସ୍ଥିର ହୋଇଛି। ଏଥିରେ ସ୍ବଳ୍ପ ରିସ୍କ ଘର ନକ୍ସା ଅନୁମୋଦନ କରିବାର ସମୟ ସୀମା ୪୮ ଘଣ୍ଟା ଥିବା ବେଳେ ଅନ୍ୟ ଘରର ନକ୍ସା ଅନୁମୋଦନ କରିବାର ସମୟ ସୀମା ୫୦ ଦିନ ରଖାଯାଇଛି।

‘ମୋ ସରକାର’ପାଇଁ ଇ-ବିପାସ୍‌ ହେଲା ଓ-ବିପାସ୍‌
ଏନ୍ଓସି ୪ମାସରୁ କମ୍‌ ନୁହେଁ
ସ୍ବଳ୍ପ ରିସ୍କ ଥିଲେ ୪୮ଘଣ୍ଟାରେ ପ୍ଲାନ୍‌ ଅନୁମୋଦନ

ଏଠାରେ ପ୍ରଶ୍ନ ଉଠୁଛି, ଏବେ ଯେଉଁ କାମ ବିଡିଏ /ବିଏମ୍‌ସି କର୍ତ୍ତୃପକ୍ଷ ଭିତ୍ତିଭୂମି ଅଭାବ, କର୍ମଚାରୀ ଅଭାବ ଏବଂ ଟେକ୍ନୋଲୋଜି ଅଭାବ ଯୋଗୁଁ ୯୦ ଦିନରେ ବି କରିପାରୁ ନାହାନ୍ତି, ସେମାନେ କେମିତି ୫୦ ଦିନରେ ଏହାକୁ କରିବେ। ମୋ’ ସରକାର କାର୍ଯ୍ୟକ୍ରମରେ ନିଜ ସଫଳତା ଯୋଡ଼ିବାକୁ ବହୁ ଆବେଦନକୁ ରଦ୍ଦ କରିଦେବେନି ତ! ବୋଲି ପ୍ରଶ୍ନ ଉଠିଲାଣି। କାରଣ ବିଡିଏ/ବିଏମ୍‌ସି ଯେତିକି କର୍ମଚାରୀଙ୍କୁ ନେଇ ଇ-ବିପାସ୍‌ କରୁଥିଲେ, ଏବେ ସେତିକି କର୍ମଚାରୀଙ୍କୁ ନେଇ ଓ-ବିପାସ୍ କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ସମସ୍ତ ପ୍ରକ୍ରିୟା ଅନଲାଇନ୍‌ରେ ହେବ ବୋଲି ନିଷ୍ପତ୍ତି ହୋଇଥିଲେ ହେଁ ଅଧାରୁ ଅଧିକ କା‌ମ ଅଫ୍‌ଲାଇନ୍‌ରେ ହେଉଛି। ଅମିନଙ୍କ ସର୍ଭେ ଓ ଏହାର ରିପୋର୍ଟ ଦାଖଲ ଅଫ୍‌ଲାଇନ୍‌ରେ ହେଉଛି। ଆବେଦନ ହୋଇଥିବା ପ୍ଲାନ୍‌କୁ ଯେଉଁ ବିଡିଏ/ବିଏମ୍‌ସି କର୍ତ୍ତୃପକ୍ଷ ଯାଞ୍ଚ ଅନ୍‌ଲାଇନ୍‌ରେ କରୁଛନ୍ତି, ସେମାନେ ବି ଏହାକୁ ଅଫ୍‌ଲାଇନ୍‌ ମୋଡ୍‌ରେ ଯାଞ୍ଚ କରୁଛନ୍ତି। ଏପରିକି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ହନିୱେଲ୍‌ ଏହି ଅନ୍‌ଲାଇନ୍ ପ୍ଲାନ୍ ଅନୁମୋଦନ ସଫ୍‌ଟୱେୟାର ପ୍ରସ୍ତୁତ କରିଥିଲେ ହେଁ ଏହା ଏବେ ବି ଅଧପନ୍ତରିଆ ଥିବାରୁ ସମସ୍ତ କାମ ଅନ୍‌ଲାଇନ୍ ମୋଡ୍‌ରେ ହୋଇପାରୁନି। ନାଁକୁ ମାତ୍ର ଅନଲାଇନ୍‌ରେ କାମ ହେଉଛି ବୋଲି କୁହାଯାଉଛି, କିନ୍ତୁ ପ୍ରକୃତରେ କାମ ସବୁ ଅଫ୍‌ଲାଇନ୍‌ରେ ହେଉଛି। ତେଣୁ ୫୦ଦିନ ଭିତରେ ପ୍ଲାନ୍ ଅନୁମୋଦନ କରିବାକୁ ହେଲେ କର୍ତ୍ତୃପକ୍ଷଙ୍କୁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ ପଡ଼ିବ। କର୍ମଚାରୀ ଅଭାବ ସତ୍ତ୍ବେ ଯିଏ ପ୍ଲାନ୍ ଅନୁମୋଦନ କରିବେ, ତାଙ୍କୁ କେବଳ ସେହି ଗୋଟିଏ କାମରେ ନି‌ୟୋଜିତ ହେବାକୁ ପଡ଼ିବ। ହେଲେ ଏବେ ବିଏମ୍‌ସି ଓ ବିଡିଏରେ ଏହା ସମ୍ଭବ ନୁହେଁ।କେବଳ ଏତିକି ନୁହେଁ, ଯେଉଁମାନେ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବେ ‌କିମ୍ବା ଘର ନିର୍ମାଣ ପାଇଁ ବିଭିନ୍ନ ବିଭାଗରୁ ଏନ୍‌ଓସି ଆଣିବାକୁ ଚାହୁଁଥିବେ, ସେମାନଙ୍କୁ ୪ ମାସରେ ବି ପ୍ଲାନ୍‌ ମିଳିବ କି ନାହିଁ ସନ୍ଦେହ। କାରଣ ବିଏମ୍‌ସି ଓ ବିଡିଏ ଏନ୍‌ଓସି ପାଇଁ ଆବେଦନପତ୍ରକୁ ବିଭିନ୍ନ ବିଭାଗକୁ ପଠାଇଲେ ସେମାନେ ଯେଉଁ ଅନୁସାରେ ସମୟ ନେବେ, ସେହି ଅନୁଯାୟୀ ସବୁ ପ୍ରକ୍ରିୟା ବିଳମ୍ବ ହେବ। ଯାହା ଏବେ ହେଉଛି।

ଅପରପକ୍ଷେ ବିଏମ୍‌ସିର କମିସନର ଏବଂ ବିଡିଏର ଉପାଧ୍ୟକ୍ଷ ପଦବିରେ ପ୍ରେମ ଚନ୍ଦ୍ର ଚୌଧରୀ ଥିବା ବେଳେ ସେ ବି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଅଛନ୍ତି। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ଯେଉଁ ସଫ୍ଟୱେୟାର ପ୍ରସ୍ତୁତ ହୋଇଛି, ତାହା ବିଏମ୍‌ସି ଓ ବିଡିଏର କାମରେ ଲାଗୁନି। ଯେବେ ସିଇଓ ସଫ୍ଟୱେୟାର ସୁଧାରିବେ, ବିଏମ୍‌ସି ଓ ବିଡିଏ ମୋ’ ସରକାର କାର୍ଯ୍ୟକ୍ରମରେ ଠିକ୍‌ ଭାବେ କାମ କରିପାରିବେ।

କେଉଁ ଘର ପାଇଁ କେତେ ଦିନ ଲାଗିବ
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୪୮ଘଣ୍ଟା ମଧ୍ୟରେ ସ୍ବଳ୍ପ ରିସ୍କ ଘରର ପ୍ଲାନ୍ ଅନୁମୋଦନ ହେବ। ଏଥିପାଇଁ ଆବଦେନକାରୀଙ୍କୁ ଇ-ବିପାସ୍‌ରେ ଲଗ୍‌-ଇନ୍ କରିବାକୁ ପଡ଼ିବ। ଆବେଦନକାରୀଙ୍କୁ ଗୋଟିଏ ପୂର୍ବ ଅନୁମୋଦିତ ନକ୍ସା ବାଛି ଅନ୍‌ଲାଇନରେ ପୈଠ କରି ଆବେଦନ କରିବେ। ଏହା ପରେ ବି-ପାସ୍‌ ପ୍ରକ୍ରିୟା (ଦସ୍ତାବିଜ୍‌ ଯାଞ୍ଚ) କାର୍ଯ୍ୟକାରୀ ହେବ ଏବଂ ଦେୟ ଦେବାକୁ ଡିମାଣ୍ଡ ନୋଟିସ୍‌ ଜାରି କରାଯିବ। ଟଙ୍କା ପୈଠ ହେଲେ ଆବେଦନ ଅନୁମୋଦନ କରାଯିବ। ଏହା ପରେ ଅନୁମୋଦନପତ୍ର ଜାରି ହେବ। ହେଲେ ଏଥିପାଇଁ ଆବେଦନକାରୀ ଯେଉଁଠି ଘର କରୁଥି‌ବେ, ତାହା ୟେଲୋ ଜୋନ୍‌ରେ ଥିବ। ଜମିର ଲେ-ଆଉଟ୍‌ ପ୍ଲାନ୍ ଅନୁମୋଦନ ହୋଇଥିବ ନଚେତ୍ ୩୦ଫୁଟ ରାସ୍ତା ଥିବ ଏବଂ ଦୁଇ ମହଲା ବିଶିଷ୍ଟ ଘର ନିର୍ମାଣ ପାଇଁ ଯୋଜନା ଥିବ। ହେଲେ ଯେଉଁମାନେ ସ୍ବଳ୍ପ ରିସ୍କ ଘର ବ୍ୟତୀତ ଅନ୍ୟ ଘର ପାଇଁ ପ୍ଲାନ ଆବେଦନ କରିବେ, ସେମାନଙ୍କୁ ୫୦ ଦିନରେ ପ୍ଲାନ୍‌ ମିଳିବ। ଏଥିପାଇଁ ଆବେଦନକାରୀଙ୍କୁ ଇ-ବିପାସ୍‌ରେ ଲଗ୍‌ଇନ୍ କରିବାକୁ ପଡ଼ିବ। ସ୍ଥପତି/ଇଞ୍ଜିନିୟରଙ୍କ ଦ୍ବାରା ନକ୍ସା ପ୍ରସ୍ତୁତ କରି ଆବେଦନ କରିବାକୁ ପଡ଼ିବ। ଆବେଦନକାରୀ ଅନଲାଇନ୍ ଦେୟ ପୈଠ କରି ଆବେଦନ କରିବେ ଏବଂ ପରେ ଦସ୍ତାବିଜ୍ ଯାଞ୍ଚ ବା ବି-ପାସ୍‌ ପ୍ରକ୍ରିୟା ଆରମ୍ଭ ହେବ। ଏହାପରେ ଜମି ନିରୀକ୍ଷଣ ବା ନକ୍ସା ଯାଞ୍ଚ ହେବ। ଡିମାଣ୍ଡ ନୋଟିସ୍‌ ଜାରି ହେବା ପରେ ଆବେଦନ ଅନୁମୋଦନ କରାଯିବ ଏବଂ ଶେଷରେ ଅନୁମୋଦନ ପତ୍ର ଜାରି ହେବ। ଏହିପରି ଯେଉଁମାନେ ପ୍ଲାନ୍‌ ପାଇବେ ସେମାନଙ୍କୁ କୌଣସି ସ୍ଥାନରୁ ଏନ୍‌ଓସି ଆଣିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର