୮୦ କେନ୍ଦ୍ରୀୟ ବିଦ୍ୟାଳୟ ଏବେ ସଙ୍ଗରୋଧ କେନ୍ଦ୍ର, ୭ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦେଉଛନ୍ତି ୩୨ ହଜାର ଶିକ୍ଷକ

ଭୁବ‌ନେଶ୍ବର: କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଇଛି। ଏହିକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆସନ୍ନ ବିପତ୍ତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ କକ୍ଷଗୁଡିକୁ ଅସ୍ଥାୟୀ ବାସଗୃହରେ ପରିଣତ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୮୦ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଶିକ୍ଷକ ଓ ଅଣ ଶିକ୍ଷକମାନେ ୧୦ କୋଟି ୫୦ ଲକ୍ଷ ୬୦ ହଜାର ୫୩୬ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହି ଦାନର ପରିମାଣ ଗୋଟିଏ ଦିନର ବେତନଠାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଭଳି ଏକ ସମୟରେ ବିଦ୍ୟାଳୟର ଶିକ୍ଷକମାନେ ଅନଲାଇନ ଜରିଆରେ ଶିକ୍ଷାଦାନ ପଦ୍ଧତିକୁ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମସ୍ତ ଅଧ୍ୟକ୍ଷ ଓ ଶିକ୍ଷକମାନେ ଏଭଳି ସମୟରେ ଅନଲାଇନ ଜରିଆରେ ଶିକ୍ଷାଦାନକୁ ଅବ୍ୟାହତ ରଖିଛନ୍ତି। ଏଥିପାଇଁ ଆବଶ୍ୟକ ପ୍ରୋଟୋକଲ ମଧ୍ୟ ପ୍ରସ୍ତୁତ ହୋଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ନିମନ୍ତେ ଗତ ୭ ତାରିଖରୁ ସ୍ୱୟଂପ୍ରଭା ପୋର୍ଟାଲରୁ ପାଠପଢ଼ା ଆରମ୍ଭ ହୋଇଛି। ବିଦ୍ୟାଳୟଗୁଡିକ ପକ୍ଷରୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ସେମାନଙ୍କ ମାତା ପିତାଙ୍କୁ ଏସମ୍ପର୍କରେ ଖବର ଦିଆଯାଇଛି। ଶିକ୍ଷକଙ୍କୁ ବିଦ୍ୟାର୍ଥୀମାନଙ୍କ ସହ ଇ-ମେଲ, ହ୍ୱାଟସପ୍‌ ଓ ଏସଏମଏସ ଜରିଆରେ ସମ୍ପର୍କରେ ରହିବା ପାଇଁ କୁହାଯାଇଛି। ସ୍ୱୟଂପ୍ରଭା ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବା ପାଇଁ କେତେକ ଶିକ୍ଷକଙ୍କୁ ମନୋନୀତ କରାଯାଇଛି। ଶିକ୍ଷକମାନେ ଏଥିପାଇଁ ନୋଟ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର