କରୋନା ପ୍ରଭାବରେ ଶିକ୍ଷାନୁଷ୍ଠାନରେ ପଡିଛି ତାଲା : ଅନ୍‌ଲାଇନରେ ପଢୁଛନ୍ତି ପିଲା

ଚନ୍ଦ୍ରଶେଖରପୁର : କରୋନା ପ୍ରଭାବରେ ଶିକ୍ଷାନୁଷ୍ଠାନରେ ପଡିଛି ତାଲା। କୋଚିଂ ସେଣ୍ଟର୍ ଓ ଟିଉସନ ବି ବନ୍ଦ। ଏପ୍ରିଲ ୧୪ ଯାଏ ସାରା ରାଜ୍ୟରେ ଲକ୍‌ଡାଉନ୍ ହୋଇଥିବାରୁ ପିଲାମାନେ ଘରେ ରହି ପଢ଼ୁଛନ୍ତି। ଏଭଳି ସମୟରେ ସେମାନଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଅଧିକାଂଶ ଶିକ୍ଷକ ଭିଡିଓ କଲିଂ ଟିଉସନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଣ୍ଡ୍ରଏଡ୍‌ ଫୋନ କିମ୍ବା ଲାପ୍‌ଟପ୍ ସହଯୋଗରେ ଶିକ୍ଷକମାନେ ଘରେ ରହି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନରେ ଶିକ୍ଷା ଦେଉଛନ୍ତି। ଲାଇଭ କ୍ଲାସ୍ କରୁଛନ୍ତି। ଏଭଳି ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରି ସଙ୍ଗେ ସଙ୍ଗେ ଦ୍ୱନ୍ଦ୍ବ ଦୂର କରିପାରୁଛନ୍ତି।

ଘରୋଇ ସ୍କୁଲଗୁଡିକ ଏଦିଗରେ ବହୁ ଆଗରେ ରହିଛନ୍ତି। ସେମାନେ ପାଳି କରି ଶିକ୍ଷକଙ୍କୁ କ୍ୟାମ୍ପସକୁ ଡାକୁଛନ୍ତି। ବିଭିନ୍ନ ଦିନରେ ଜଣେ ଜଣେ ଶିକ୍ଷକ ଅନଲାଇନରେ ରହି ପିଲାଙ୍କ ସହ ଆଲୋଚନା କରୁଛନ୍ତି। ଶିକ୍ଷକମାନେ ବି ପିଲାଙ୍କୁ ହୋମୱର୍କ ଦେଉଛନ୍ତି। ଆଗକୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ ସେ ବିଷୟରେ ବି ପିଲାଙ୍କୁ ସୂଚନା ଦିଆଯାଉଛି।
ସେମାନଙ୍କ ମତରେ…

କରୋନା ଭୟରେ ପିଲାମାନେ ଘରେ ରହୁଛନ୍ତି। ସ୍କୁଲ ଖୋଲାଥିଲା ‌ବେଳେ ନିଜର ସମସ୍ୟା ନେଇ ପ୍ରତ୍ୟକ୍ଷ ଭ‌ାବେ ଯୋଗାଯୋଗ କରି ପାରୁଥିଲେ। ଏବେ ତାହା ସମ୍ଭବ ହେଉ ନାହିଁ। ଏବେ କିନ୍ତୁ ସୁପରଫାଷ୍ଟ୍ ଭିଡିଓ କଲିଂ ଦ୍ବାରା ସାମ୍ନାସାମ୍ନି ନିଜର ପାଠପଢ଼ା ସମସ୍ୟା ନେଇ କଥା ହୋଇପାରୁଛନ୍ତି। ଏହାଦ୍ବାରା ପିଲାମାନେ ପାଠ ସମସ୍ୟାରୁ କିଛିଟା ବର୍ତି ଯାଉଛନ୍ତି। କିଛି ଶିକ୍ଷକ ପୂର୍ବରୁ ଭିଡିଓ ରେକର୍ଡିଂ କରିଥିବା ପାଠ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ପଠାଇ ଶିକ୍ଷା ଦେଉଛନ୍ତି।
ପ୍ରଫେସର ସୁଶାନ୍ତ ଦାସ, ପଦାର୍ଥ ବିଜ୍ଞାନ

ଭିଡିଓ କଲିଂ ମାଧ୍ୟମରେ ଶିକ୍ଷକଙ୍କଠାରୁ ପରାମର୍ଶ ପାଇବା ଓ ଲାଇଭ କ୍ଲାସ୍‌ ମୋ ପାଇଁ ଉପଯୋଗୀ ହୋଇଛି। ଏହା ଏକ ସଫଳ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି। ଏଭଳି ଘଡ଼ିସନ୍ଧି ସମୟରେ ଘରୁ ନ ବାହାରି ଅନ୍‌ଲାଇନ୍ କ୍ଲାସ୍ ମାଧ୍ୟମରେ ପାଠପଢ଼ିବା ଓ ସମସ୍ୟା ଥିଲେ ସାର୍‌ଙ୍କଠାରୁ ସରଳ ଉପାୟରେ ସମସ୍ୟା ସମାଧାନର ବାଟପାଉଛୁ। ଏହା ଏକ ସୁନ୍ଦର ପଦକ୍ଷେପ।
ରିତେଶ ସାହୁ, ଛାତ୍ର

ଲକ୍‌ଡାଉନ୍ ପାଇଁ ଅନେକ ଦିନ ହେବ ଟିଉସନ୍ ଶିକ୍ଷକଙ୍କଠାରୁ ଦୂରେଇ ରହି ଘରେ ବସି ଫୋନ୍ କଲ ମାଧ୍ୟମରେ ପଢ଼ାପଢ଼ି କରୁଥି‌ଲି। ବର୍ତମାନ ଭିଡିଓ କଲିଂ ବା ଅନ୍‌ଲାଇନ୍ କ୍ଲାସେସ୍ ଦ୍ବାରା ଶିକ୍ଷକଙ୍କ ସହ ଏକାନ୍ତରେ ପାଠ ପଢ଼ିବା ପାଇଁ ସୁଯୋଗ ମିଳୁଛି। ଶ୍ରେଣୀ ଗୃହରେ ବ୍ୟକ୍ତିଗତ ଭାବେ ଦ୍ୱନ୍ଦ୍ବ ଦୂର ହୋଇପାରୁ ନ ଥିବା ବେଳେ ଲାଇଭ କ୍ଲାସରେ ସମସ୍ତ ସମସ୍ୟା ବିଷୟରେ ପଚାରି ବୁଝି ହେଉଛି। ମାତ୍ର ଇଣ୍ଟର୍‌ନେଟ୍ ବ୍ୟବସ୍ଥା ଧିମା ଥିଲେ ସାମାନ୍ୟ ଅସୁବିଧା ହେଉଛି।
ଆଇସା ସୁମନ୍ତ, ଛାତ୍ରୀ

ସମ୍ବନ୍ଧିତ ଖବର