ଭୁବନେଶ୍ୱର : ଏପ୍ରିଲ ୧୬ ତାରିଖ। ଖୋର୍ଧା ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଭିନବ ଉପାୟରେ ଶିକ୍ଷା ପ୍ରଦାନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାଲାବନ୍ଦ ସମୟରେ ହ୍ୱାଟ୍ସଆପ୍ରେ ଦ୍ୱିତୀୟରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ଯୋଜନା ହୋଇଥିଲା। ଭିତ୍ତିଭୂମି ଯାଞ୍ଚ କରାଯାଇ ନ ଥିଲା। କେତେଜଣ ପିଲାଙ୍କ ଅଭିଭାବକଙ୍କର ଆଣ୍ଡ୍ରଏଡ୍ ମୋବାଇଲ୍ ରହିଛି ତାହା ବି ଅନୁଧ୍ୟାନ କରାଯାଇ ନ ଥିଲା। ତା’ପରେ ବି ହ୍ୱାଟ୍ସଆପ୍ରେ ‘ଶିକ୍ଷା ସଂଯୋଗ’ ଗ୍ରୁପ ତିଆରି କରି ପାଠ ପଢ଼ାଇବାକୁ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବିଇଓ, ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଇତିମଧ୍ୟରେ ତିନିମାସ ବିତି ଯାଇଛି। ଅନ୍ଲାଇନ୍ ତଥା ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ କିଭଳି ପାଠପଢ଼ା ଚାଲିଛି, ତାହାର ତଥ୍ୟ ପଦାକୁ ଆସିଛି। ‘ସମ୍ବାଦ’କୁ ମିଳିଥିବା ତଥ୍ୟ ଅନୁଯାୟୀ, ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମକୁ ସେତେଟା ସଫଳତା ମିଳି ନାହିଁ। ଜିଲ୍ଲାରେ ମୋଟ ୧ ଲକ୍ଷ ୨୫ ହଜାର ୮୧୧ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୬୭ ହଜାର ୩୮୦ଜଣ ଛାତ୍ରଛାତ୍ରୀ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଅର୍ଥାତ୍ ୫୩.୫୬ ପ୍ରତିଶତ ଛାତ୍ରଛାତ୍ରୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପଢ଼ୁଛନ୍ତି।
/sambad/media/post_attachments/wp-content/uploads/2020/07/cartoon-f-300x296.jpeg)
ବଡ଼ କଥା ହେଉଛି ଯେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ଘରେ ଏପର୍ଯ୍ୟନ୍ତ ଟିଭି ଉପଲବ୍ଧ ନାହିଁ। ମୋଟ ଛାତ୍ରଛତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୩୩୬ ଜଣଙ୍କ ଘରେ ଟିଭି ରହିଛି। ଅର୍ଥାତ୍ ୭୯.୭୫% ଛାତ୍ରଛାତ୍ରୀ ଟିଭି ଦେଖିପାରୁଛନ୍ତି। ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୂରଦର୍ଶନରେ ଶିକ୍ଷା ଦିଆଯାଇଥିବାରୁ ତାହା କିଛିଟା ସହାୟକ ହୋଇପାରିଥିଲା। ମୋବାଇଲ୍ କ୍ଷେତ୍ରରେ କିନ୍ତୁ ଜିଲ୍ଲାର ଛାତ୍ରଛାତ୍ରୀ ଆଗରେ ରହିଛନ୍ତି। ପାଖାପାଖି ୯୫% ଛାତ୍ରଛାତ୍ରୀଙ୍କର ମୋବାଇଲ୍ ରହିଛି। ୫୯ହଜାର ୩୨୬ଜଣ ଅର୍ଥାତ୍ ୪୭.୧୫% ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କର ସ୍ମାର୍ଟଫୋନ୍ ଥିବା ବେଳେ ୫୯ହଜାର ୧୭୧ ପିଲା ଅର୍ଥାତ୍ ୪୭.୦୩% ପିଲାଙ୍କର ସାଧାରଣ ଫୋନ୍ ରହିଛି। ସାଧାରଣ ଫୋନ୍ ଥିବା ଛାତ୍ରଛାତ୍ରୀ ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। କେତେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସାଧାରଣ ଫୋନ୍ ଥିବା ପିଲାଙ୍କ ପାଠପଢ଼ା ନେଇ ବାରମ୍ବାର ପଚାରି ବୁଝୁଛନ୍ତି।
ଜିଲ୍ଲାରେ ୨୩୧୩ଟି ସ୍କୁଲ ମଧ୍ୟରୁ ୧୧୪୫ଟି ସ୍କୁଲର ଅନ୍ଲାଇନ୍ ଶିକ୍ଷା ରିପୋର୍ଟ ହସ୍ତଗତ ହୋଇଛି। ତିନି ମାସରେ ୧୯ ହଜାର ୨୭୦ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରାଯାଇଛି। ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କ୍ଷେତ୍ରରେ ବିଏମ୍ସି ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକ ଆଗରେ ରହିଛି। ଏହା ତଳକୁ ଅନ୍ୟ ବ୍ଲକର ସରକାରୀ ବିଦ୍ୟାଳୟ ରହିଛନ୍ତି। ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି କ୍ଲାସ ପାଇଁ ଗୋଟେ ଲେଖାଏଁ ଗ୍ରୁପ ତିଆରି ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ‘ଶିକ୍ଷା ସଂଯୋଗ’ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସାରା ରାଜ୍ୟରେ ଏହାକୁ ଲାଗୁ କରାଯାଇଥିଲା। ତାହା କିଛି ମାତ୍ରାରେ ସହାୟକ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/cartoon-fa.jpeg)