ଜୁଲାଇ ଶେଷ ସୁଦ୍ଧା ଅନ୍‌ଲାଇନ୍‌ରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର

ଭୁବନେଶ୍ୱର: ଜୁଲାଇ ମାସ ଶେଷ ସୁଦ୍ଧା ଅନ୍‌ଲାଇନ୍‌‌ରେ ମିଳିବ ଅଗ୍ନି ନିରାପତ୍ତା ପ୍ରମାଣପତ୍ର। ଏହି ପ୍ରମାଣପତ୍ର ପାଇଁ ଆଉ ଅଗ୍ନିଶମ ସେବା ସଂସ୍ଥାର କାର୍ଯ୍ୟାଳୟ ଦଉଡ଼ି ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ଘରେ ବସି ସହଜରେ ଆବେଦନ କରିହେବ ବୋଲି ଅଗ୍ନିଶମ ସେବା ସଂସ୍ଥା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଆବେଦନକାରୀ ୩୦ ଦିନ ମଧ୍ୟରେ ଅଗ୍ନି ନିରାକରଣ ସୁପାରିସ ଓ ୧୮ ଦିନ ମଧ୍ୟରେ ଅଗ୍ନି ନିରାକରଣ ପ୍ରମାଣପତ୍ର ପାଇପାରିବ। ଅନ୍ୟପଟେ ଏବେ ପ୍ରତ୍ୟେକ କୋଠା ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବାଧ୍ୟତାମୂଳକ ପ୍ରସଙ୍ଗକୁ କଡ଼ାକଡ଼ି କରାଯିବ। ପ୍ରମାଣପତ୍ର ବିନା କୋଠା ବ୍ୟବହାର ପାଇଁ ଅନୁମତି ଦିଆଯିବ ନାହିଁ।

ବିଭିନ୍ନ ସମୟରେ ତିଆରି ହେଉଥିବା ଅସ୍ଥାୟୀ ଶିବିରକୁ ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀମାନେ ପ୍ରମାଣପତ୍ର ଯୋଗାଇଦେବେ। ୧୫ ମିଟର ୩୫ ମିଟର ପର୍ଯ୍ୟନ୍ତ ଉଚ୍ଚା କୋଠାଗୁଡ଼ିକ ପାଇଁ ଅଗ୍ନିଶମ ଅଧିକାରୀ ଓ ଉପ ଅଗ୍ନିଶମ ଅଧିକାରୀ ପ୍ରମାଣପତ୍ର ପ୍ରଦାନ କରିବେ। ସେହିପରି ୩୫ ମିଟରରୁ ଅଧିକ ଉଚ୍ଚା ଥିବା କୋଠାଗୁଡ଼ିକୁ ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମାଣପତ୍ର ଦେବେ। କୋଠାଗୁଡ଼ିକ ଯୋଗ୍ୟ ହୋଇଥିଲେ ଆବେଦନର ୪୮ ଦିନ ଭିତରେ ପ୍ରମାଣପତ୍ର ମିଳିବ। ଏହି ପ୍ରଣାଳୀ ‘ମୋ ସରକାର’ ଯୋଜନାରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ ଅଧିକାରୀମାନେ ଲୋକମାନଙ୍କ ଠାରୁ ଏ ବାବଦରେ ପ୍ରତିକ୍ରିୟା ନେବେ।

ସୂଚନାଯୋଗ୍ୟ, ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା କରିବାକୁ ୨୦୧୯ ମସିହାରେ ନୀତିଗତ ନିଷ୍ପତ୍ତି ହୋଇଥିଲା। ସରକାର ଏହାକୁ ‘୫-ଟି’ ଅନ୍ତର୍ଭୁକ୍ତ କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ସଫ୍ଟୱେର ଡେଭଲପ୍‌ କରିବାକୁ ଓକାକ୍‌କୁ ଦାୟିତ୍ବ ଦିଆଯାଇଥିଲା। ଗତ ଏପ୍ରିଲ ମାସରେ ଏହା ଲାଗୁ ହୋଇଥାନ୍ତା। କିନ୍ତା କରୋନା ମୁକାବିଲା ପାଇଁ ଏଥିରେ ବିଳମ୍ବ ହୋଇଥିଲା। ଏବେ ଏହି ସଫ୍ଟୱେର ଡେଭଲପ୍‌ ହେବା ସହ ପରୀକ୍ଷଣ ସ୍ତର‌ରେ ରହିଛି। ଚଳିତମାସ ଶେଷ ସୁଦ୍ଧା ଏହା ଟେଷ୍ଟ ରନ୍‌ ହେବା ସହ କାର୍ଯ୍ୟକ୍ଷମ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର