ଇ-କମର୍ସ ସାଇଟ୍ ନାଁରେ ଖୋଲା ହୋଇଛି ଫେକ୍ ଆପ୍
ମେ ୨୭ ସୁଦ୍ଧା ୪୦ରୁ ଅଧିକ ହ୍ବାଟ୍ସଆପ୍ ଗ୍ରୁପ୍ ଖୋଲିଛି
ଚେନ୍ ସିଷ୍ଟମ୍ ଭଳି ଅଧିକ ସଦସ୍ୟ ଯୋଡ଼ିବା ପାଇଁ ବାଧ୍ୟ କରାଯାଉଥିଲା
ବର୍ତ୍ତମାନ ସୁଦ୍ଧା ୯୦୦ କୋଟି ଟଙ୍କା ଦେଶ ବାହାରକୁ ଯାଇଛି
ଭୁବନେଶ୍ବର : ଚିଟ୍ଫଣ୍ଡ ଭଳି ଅନ୍ଲାଇନରେ ବିଭିନ୍ନ ଆପ୍ ଜରିଆରେ ଟଙ୍କା ରୋଜଗାର ନାଁରେ ଠକେଇର ପର୍ଦ୍ଦାଫାସ୍ ହେବା ପରେ କେବଳ ଉତ୍ତରାଖଣ୍ଡ ବା ଦିଲ୍ଲୀ ନୁହେଁ; ଓଡ଼ିଶାରେ ବି ଏହାର ଚେର ଲମ୍ବିଥିବା ଜଣାପଡ଼ି ସାରିଛି। ତେବେ ରାଜ୍ୟର ସାଇବର ସେଲ୍ ପାଖରେ ଏ ନେଇ କୌଣସି ଅଭିଯୋଗ ହୋଇନଥିବାରୁ ପୁଲିସ୍ ସେତେ କ୍ରିୟାଶୀଳ ହୋଇନାହିଁ। ଗତକାଲି ସୁଦ୍ଧା ଠକେଇର ପରିମାଣ ୨୦୫କୋଟି ବୋଲି ଜଣାପଡ଼ିଥିଲା ବେଳେ ଆଜି ଏହା ୯ଶହ କୋଟି ଛୁଇଁଛି। ଦେଶର ବିଭିନ୍ନ ରାଜ୍ୟରୁ ଏହି ଟଙ୍କା ଚୀନ୍, ଥାଇଲାଣ୍ଡ ଓ ଆଫ୍ଗାନିସ୍ତାନକୁ ପଠାଯାଇଥିବା ଜଣାପଡ଼ିଛି।
ବାସ୍ତବରେ ଏହି ଠକେଇ ଉପରକୁ ଯେତେ ସାଧାରଣ ବୋଲି ଦେଖାଯାଉଛି, ସେମିତି ନୁହେଁ। ଓଡ଼ିଶାର ଗାଁ’ ଗଣ୍ଡାରେ ବି ଏହି ଅନ୍ଲାଇନ୍ ଚିଟ୍ଫଣ୍ଡ୍ ସ୍କାମ୍ ସକ୍ରିୟ ରହିଛି। ଏହି ଆପ୍ ଦ୍ବାରା ରାଜ୍ୟର ମାଳମାଳ ଲୋକ ବିଶେଷକରି ଯୁବଗୋଷ୍ଠୀ ଏହା ସହ ସଂଶ୍ଳିଷ୍ଟ ଅଛନ୍ତି। ଆଉ ଏହି ଅନ୍ଲାଇନ୍ ଚିଟ୍ଫଣ୍ଡ୍ ସ୍କାମ୍ର ଚେନ୍ ଅନୁସାରେ, ସଦସ୍ୟତା ଗ୍ରହଣ କରିଥିବା ପ୍ରତି ଲୋକଙ୍କଠାରୁ ଅତିକମ୍ରେ ୫୦୦ଟଙ୍କାଠୁ ଆରମ୍ଭ କରି ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଦାୟ କରିଛି। ତେବେ ଆଜି ଏନେଇ ପୁରୀର ଜଣେ ଯୁବକ କହିଛନ୍ତି, ଗତ ମେ’ ୨୭ରେ ତାଙ୍କ ସାଙ୍ଗର ଅନୁରୋଧକ୍ରମେ ସେ ଫ୍ଲିପ୍କାର୍ଟ ଇ-କମର୍ସ ଉଲ୍ଲେଖ ଥିବା ଏକ ଆପ୍ରେ ୫୦୦ଟଙ୍କା ଦେଇ ସଦସ୍ୟତା ଗ୍ରହଣ କରିଥିଲେ। ଯେଉଁଥିରେ ତାଙ୍କୁ ପ୍ରତି ମାସ ୩୦ରୁ ୪୦ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଉକ୍ତ ଆପ୍କୁ ବ୍ୟବହାର କରିବା ସମୟରେ ହିଁ ଏହା ଫେକ୍ ବୋଲି ଜଣାପଡ଼ୁଥିଲା। ଆପ୍ର ନାଁ’ଠୁ ଆରମ୍ଭ କରି ଡୋମେନ୍ ସବୁବେଳେ ଅଦଳବଦଳ ହେଉଥିଲା ଓ ବନାନଗତ ତ୍ରୁଟି ରହିଥିଲା। ଏହାକୁ ପରିଚାଳନା କରୁଥିବା ଜଣେ ମହିଳା ତାଙ୍କୁ ଏକ ହ୍ବାଟ୍ସଆପ୍ ଗ୍ରୁପ୍ରେ ଆଡ୍ କରିଥିଲେ। ଏହି ଗ୍ରୁପ୍ର ନାଁ ‘ଫ୍ଲିପ୍କାର୍ଟ ୪୦’ ସହ ଆହୁରି କିଛି ଉଲ୍ଲେଖ ରହିଥିଲା। ଯେଉଁଥିରେ ଜଣାପଡ଼ିଥିଲା ଏହା ଉକ୍ତ ସଂସ୍ଥାର ୪୦ ନମ୍ବର ଗ୍ରୁପ୍। ଗ୍ରୁପ୍ରେ ସବୁବେଳେ ଅଧିକ ସଦସ୍ୟ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଥିଲା। ନିୟମ ମୁତାବକ, ଅଧିକ ସଦସ୍ୟ ଯୋଗାଡ଼ କରି ନପାରିଲେ ଆପଣ ଡିପୋଜିଟ୍ କରିଥିବା ସମସ୍ତ ଟଙ୍କା ସମେତ ଯାହା ଟଙ୍କା ରୋଜଗାର ହୋଇଥିବ, ସବୁ ଟଙ୍କା କଟିଯିବ। ଏହାସହ ଆପଣ ସଦସ୍ୟତା ହରାଇବେ ବୋଲି କୁହାଯାଉଥିଲା।
ଗ୍ରୁପ୍ରେ ଯୋଡ଼ି ହେବା ପାଇଁ ୬ଟି ପର୍ଯ୍ୟାୟରେ ଭିଆଇପି ୧, ଭିଆଇପି ୨, ଭିଆଇପି ୩, ଭିଆଇପି ୪, ଭିଆଇପି ୫ ଓ ଭିଆଇପି ୬ ରହିଛି। ଭିଆଇପି ୧ରେ ସଦସ୍ୟତା ଗ୍ରହଣ କଲେ ପ୍ରାରମ୍ଭିକ ୫୦୦ ଟଙ୍କା ଦେବାକୁ ପଡ଼ିବ ଏବଂ ପ୍ରତିମାସ ଆପଣ ୩୦ରୁ ୪୦ ଟଙ୍କା ପାଇବେ। ସେହିଭଳି ଭିଆଇପି ୨ପାଇଁ ୩ହଜାର ଟଙ୍କାରେ ପ୍ରତିଦିନ ୧୫୦ରୁ ୨୫୦ ହୋଇ ଏହିଭଳି ଭିଆଇପି ୬ର ସଦସ୍ୟତା ପାଇଁ ୨ଲକ୍ଷ ଟଙ୍କା ଦେବାକୁ ପଡ଼ିବ ଏବଂ ପ୍ରତି ମାସ ୧୮ହଜାର ପର୍ଯ୍ୟନ୍ତ ଟଙ୍କା ମିଳିବ ବୋଲି କୁହାଯାଉଥିଲା। ଏହାସହ ଚେନ୍ ସିଷ୍ଟମ୍ରେ ପିଲାଙ୍କୁ ଯୋଡ଼ୁଥିବାରୁ ୩ଟି ପର୍ଯ୍ୟାୟରେ ଟିମ୍ ରୋଜଗାର୍ ନାଁରେ ମଧ୍ୟ ଟଙ୍କା ଦେଉଥିବା କୁହାଯାଇଥିଲା। ସେଥିପାଇଁ ଅଧିକ ଲୋକ ଏହି ଫେକ୍ ଆପ୍ରେ ଯୋଡ଼ିବା ପାଇଁ ଗୁରୁତ୍ବ ଦିଆଯାଉଥିବା ଯୁବକଜଣକ କହିଛନ୍ତି। ତେବେ ଏହି ଆପ୍ଟି ପ୍ରଥମ କରି ଗତ ମାର୍ଚ୍ଚ ୧୫ ତାରିଖରେ ଖୋଲା ଯାଇଥିବା ବେଳେ ଗତକାଲି ଏହାର ଡୋମେନ୍ ଓ ଲିଙ୍କ୍ ବଦଳା ଯାଇଥିବା ଜଣାପଡ଼ିଛି। ସାଇବର ଠକ ଯେହେତୁ ଫ୍ଲିପ୍କାର୍ଟ ଓ ଆମାଜନ୍ ଭଳି ଇ-କମର୍ସ କମ୍ପାନି ନାଁରେ ବ୍ୟବସାୟ ଚଳାଉଛି, ସେଥିପାଇଁ ଅଟୋ ଫିଲ୍ଟର୍ରେ ଏହା ଡିଲିଟ୍ ହେଉଛି। ମାତ୍ର ସାଇବର ଠକ ଆଉ ଏକ ନୂଆ ଡୋମେନ୍ ସାହାଯ୍ୟରେ ଏହାକୁ ଖୋଲି ଜାଲ୍ କାରବାର ଚଳାଇଥିବା ଜଣାପଡ଼ିଛି।
ଅପରପକ୍ଷରେ ରାଜ୍ୟରେ ବର୍ତ୍ତମାନ ଏହିଭଳି କେତେ ଜାଲ୍ ଆପ୍ ଲୋକଙ୍କୁ ଟଙ୍କା ରୋଜଗାର କରାଇବା ଲୋଭରେ ଠକିଛି, ତାକ୍ଷର ତଦନ୍ତ ହେବା ଆବଶ୍ୟକ ବୋଲି ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧୦ଟି ଭାରତୀୟ କମ୍ପାନି ଏହି ଚିଟ୍ଫଣ୍ଡ ସ୍କାମ୍ ସହ ଜଡ଼ିତ ରହିଛନ୍ତି। କଟକ ଡିସିପି ଏହା ଉପରେ ଟ୍ବିଟ୍ କରି ଗତ ୭ ଜୁନ୍ରେ ସତର୍କ କରିଥିଲେ ହେଁ ବିସ୍ତୃତ ଭାବେ ତଦନ୍ତ କରି ଏହାର ପର୍ଦ୍ଦାଫାସ୍ କରା ନଗଲେ କୋଟି କୋଟି ଟଙ୍କା ରାଜ୍ୟରୁ ମଧ୍ୟ ଠକି ଏହି ଆନ୍ତର୍ଜାତିକ ଚାଇନିଜ୍ ଠକ କମ୍ପାନିଗୁଡ଼ିକ ଫେରାର୍ ହୋଇଯିବେ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/commi.jpg)