ଅନ୍‌ ଲାଇନ୍‌ ଠକେଇ, ୩ ଲକ୍ଷ ଟଙ୍କାରୁ କମ୍‌ ହେଲେ ସ୍ଥାନୀୟ ଥାନ‌ାରେ ମାମଲା

ବେଆଇନ ଖଣି ଖନନ ଉପରେ ‌ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅନ୍‌ଲାଇନ୍‌ ଠକେଇ ବା ସାଇବର ଅପରାଧ ବଢ଼ି ବଢ଼ି ଚାଲିଥିବାରୁ ପୁଲିସର ମୁଣ୍ଡବ୍ୟଥା ବଢ଼ିଛି। ଦକ୍ଷ ଅଧିକାରୀ ନଥିବାରୁ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଦକ୍ଷ ଅଧିକାରୀ ନଥିବା ଆଳରେ ବିଭିନ୍ନ ଥାନାକୁ ଆସୁଥିବା ସାଇବର ଅପରାଧ ସଂକ୍ରାନ୍ତୀୟ ଏତଲା ପୁଲିସ ରଖୁନାହିଁ। ଫଳରେ ଏହି ଅପରାଧର ଶିକାର ହୋଇଥିବା ଅଭିଯୋଗକାରୀ ହତାଶ ହେଉଛନ୍ତି। ଏଥିପାଇଁ କ୍ର‌ାଇମ୍‌ବ୍ରାଞ୍ଚ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଗଣମଧ୍ୟକୁ ସୂଚନା ଦେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏ ସଂପର୍କରେ କହିଛନ୍ତି ଯେ ଅନ୍‌ଲାଇନ୍‌ ଠକେଇର ପରିମାଣ ୧ଲକ୍ଷରୁ ୩ଲକ୍ଷ ମଧ୍ୟରେ ହେଲେ ସ୍ଥାନୀୟ ଥାନା ଏତଲା ରଖିବା ସହ ମାମଲା ରୁଜୁ କରିବ ଏବଂ ଉପଯୁକ୍ତ ତଦନ୍ତ କରିବ। ୩ ଲକ୍ଷ ଟଙ୍କାରୁ ଅଧିକ ହେଲେ ଅଭିଯୋଗକାରୀ ସାଇବର ଥାନାର ଦ୍ବାରସ୍ଥ‌ ହେବେ। ସ୍ଥାନୀୟ ଥାନା ଚାହିଁଲେ ମଧ୍ୟ ଏହି ନିର୍ଦ୍ଧାରିତ ପରିମାଣରୁ ଅଧିକ ଠକେଇର ତଦନ୍ତ କରିପାରିବ। କିନ୍ତୁ ୩ ଲକ୍ଷରୁ କମ୍‌ ଥିଲେ ଥାନା ଏତଲା ରଖିବାକୁ ବାଧ୍ୟ। କେବଳ ଏତଲା ରଖିବନି, ବରଂ ମାମଲା ରୁଜୁ କରିବା ସହ ତଦନ୍ତ କରିବ। ତା’ ସହିତ ଏହି ଅପରାଧଗୁଡ଼ିକର ତଦନ୍ତ ପାଇଁ ଆଇଟି ଆକ୍ଟ ବଳରେ କେବଳ ଇନ୍‌ସ୍‌ପେକ୍ଟରମା‌ନଙ୍କୁ କ୍ଷମତା ଦିଆଯାଇଛି। କିନ୍ତୁ ଅପରାଧର ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି ରୋକିବା ସମ୍ଭବ ହେଉ ନାହିଁ। ଏଣୁ ଇନ୍‌ସ୍‌ପେକ୍ଟରଠାରୁ କମ୍‌ ରୢାଙ୍କ୍‌ର ଅଫିସର(ଏସ୍‌ଆଇ) କିଭଳି ଏହାର ତଦନ୍ତ କରି‌ବେ ବା ସେମାନଙ୍କୁ ତଦନ୍ତ ପାଇଁ କ୍ଷମତା ମିଳିବ ସେ ନେଇ ଆଇଟି ଆକ୍ଟ ସଂଶୋଧନ ପାଇଁ ବ୍ୟବସ୍ଥା ହୋଇଛି। ଯାହା ବିଲ୍‌ ଷ୍ଟେଜ୍‌ରେ ରହିଛି। ବିଲ୍‌ ସ୍ବୀକୃତି ପାଇଲେ ଏହି ସବୁ ମାମଲା ତଦନ୍ତ ତ୍ବରିତ ହେବ ବୋଲି ସେ କହିଛନ୍ତି
ଅନ୍ୟପଟେ ବେଆଇନ ଖଣି ଖନନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚରେ ଦୁଇଟି ମାମଲା ରୁଜୁ ହୋଇଛି। ମାମଲା ରୁଜୁ ହେବା ପରେ କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଚଢ଼ଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଛି। ବେଆଇନ ଖଣି ଖନନ ପଛରେ ମାଫିଆ ରହିଛନ୍ତି। ବିଭିନ୍ନ ସ୍ତରରେ ଏହି ବ୍ୟବସାୟ ହେଉଛି। ଖୋଳିବା ପାଇଁ ଏକ ଗୋଷ୍ଠୀ ରହିଥିବା ବେଳେ ‌ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପରିବହନ କରିବା ପାଇଁ ଏକ ସ୍ବତନ୍ତ୍ର ଗୋଷ୍ଠୀ ରହିଛି। ଏହାକୁ ମାଫିଆ ନିୟନ୍ତ୍ରଣ କରୁଛନ୍ତି। ଏହା ପଛରେ ମଧ୍ୟ ସରକାରୀ କଳ କାମ କରୁଥିବା ଆଶଙ୍କା କରାଯାଉଛି। ବେଆଇନ ଭାବରେ ଖନନ ହେବା ବେଳେ କେହି ନ ଦେଖିବା, ପରିବହନ ବେଳେ ମଧ୍ୟ ଧରା ନପଡ଼ିବା, ଦୀର୍ଘ ଦିନ ଧରି ଶୃଙ୍ଖଳିତ ଭାବରେ ଚାଲିଥିବାରୁ ଏହି ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏହାର ଆମୂଳଚୁଳ ତଦନ୍ତ କରାଯାଉଛି। ଏହା ପଛରେ ଓ ଆଗରେ ରହିଥିବା ସମସ୍ତ ମାଫିଆ କ୍ରାଇମ୍‌ବ୍ରାଞ୍ଚ ସ୍କାନର‌ରେ ରହିଥିବା‌ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର