ଅନ୍‌ଲାଇନ ଗ୍ରୋସରି ସାମଗ୍ରୀ କିଣି ଫସିଗଲେ, ସାଇବର୍‌ ଠକ ଲୁଟିନେଲେ ୧୦ ହଜାର ଟଙ୍କା

ବାଲିଅନ୍ତା: ଅନ୍‌ଲାଇନରେ ଗ୍ରୋସରି ସାମଗ୍ରୀ କିଣି ଫସିଗଲେ ଜଣେ ବରିଷ୍ଠ ନାଗରିକ। ସାଇବର ଠକ ଲୁଟି ନେଇଛନ୍ତି ୧୦ ହଜାର ଟଙ୍କା। ଏ ନେଇ ଠକାମିର ଶିକାର ହୋଇଥିବା ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ଅଞ୍ଚଳରେ ରହୁଥିବା ଶିବପ୍ରସାଦ ଆଚାର୍ଯ୍ୟ ଅନ୍‌ଲାଇନରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାପଡ଼ିଛି, ଶିବପ୍ରସାଦ ଏକ ରାଜଧାନୀର ଜଣାଶୁଣା ସପିଂ ମଲରୁ ଗତ ୨ ତାରିଖରେ ଅନଲାଇନ୍ ଯୋଗେ ଗ୍ରୋସରି ସାମଗ୍ରୀ କିଣିଥିଲେ। ଏଥିପାଇଁ ଆଗୁଆ ଟଙ୍କା ମଧ୍ୟ ଦେଇଥିଲେ।

ପରେ ଏହାକୁ ବାତିଲ କରି ଦେଇଥିଲେ। କିନ୍ତୁ ଟଙ୍କା ଫେରସ୍ତ ପାଇ ନ ଥିଲେ। ଗତ ୧୬ ତାରିଖରେ ତାଙ୍କ ନିକଟକୁ ଏକ ଫୋନ୍ କଲ ଆସିଥିଲା଼। ଏହି କାରବାର ସମ୍ପର୍କରେ ଫୋନ୍ କରିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲା। କିଛି ତଥ୍ୟ ଦେଲେ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଥିଲା। ଏହି ଆଳରେ ଶିବପ୍ରସାଦଙ୍କର ନାଁ, ଫୋନ୍ ନମ୍ବର, ଆକାଉଣ୍ଟ ନମ୍ବର ସମସ୍ତ ତଥ୍ୟ ନେଇ ଯାଇଥିଲା। ଏହା ପରେ ଏକ ଓଟିପି ଫୋନକୁ ଆସିଥିଲା। ସେହି ଓଟିପିକୁ ମଧ୍ୟ ମାଗି ନେଇଥିଲା। ଶିବ ପ୍ରସାଦଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କ’ଣ ଓଲଟା ୧୦ ହଜାର ଟଙ୍କା କଟି ଯାଇଥିଲା। ଏ ନେଇ ସେ ସାଇବର ହେଲ୍‌ପ ଡେସ୍କ ଓ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର