ଚନ୍ଦ୍ରଶେଖରପୁର: ଆଜିକାଲି ପିଲାଙ୍କ ପାଠପଢ଼ାକୁ ନେଇ ସବୁ ବାପାମା’ ବ୍ୟସ୍ତ। ବାପା ମା’ କର୍ମଜୀବୀ ହେଲେ ତ’ ଆହୁରି ସମସ୍ୟା। ଏପରି ସ୍ଥଳେ ହୋମ୍ ଟ୍ୟୁଟର୍ଙ୍କ ଉପରେ ପିଲାଙ୍କ ଭବିଷ୍ୟତ ନ୍ୟସ୍ତ ଥାଏ। ମାତ୍ର କେଉଁଠୁ ଖୋଜିବେ ଜଣେ ଭଲ ହୋମ୍ ଟ୍ୟୁଟର୍ଙ୍କୁ? ଅନ୍ୟପକ୍ଷରେ ଜଣେ ଟ୍ୟୁଟର୍ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ସମୟ ଦେଇନଥାଆନ୍ତି। ଏହି ସମସ୍ୟାର ସମାଧାନ ନିମନ୍ତେ ଆଗେଇ ଆସିଛନ୍ତି ଜଣେ ଯୁବ ଇଞ୍ଜିନିୟର ଅଭିଷେକ ପଟ୍ଟନାୟକ। ନିଜର ଏକ ଷ୍ଟାର୍ଟ ଅପ୍ କମ୍ପାନି ନିୟୁଏଇଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା କରି ଏହି ସମସ୍ୟାର ସମାଧାନ ସହିତ ଶିକ୍ଷାର ମାନବୃଦ୍ଧି ଓ ରୋଜଗାର ସୃଷ୍ଟିର ଏକ ସୁଯୋଗ ସୃଷ୍ଟି କରିପାରିଛନ୍ତି। ଏହି କମ୍ପାନି ଜରିଆରେ ସେ ‘ପିକ୍ ଟ୍ରେନର୍ ଆପ୍ଲିକେସନ’ ଉପଲବ୍ଧ କରି ଓଡ଼ିଶା ଓ ଭାରତ ସରକାରଙ୍କ ଷ୍ଟାର୍ଟ ଅପ୍ ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରିପାରିଛନ୍ତି।
ଏହାର ଲାଭ ଉଠାଇବାକୁ ହେଲେ ଜଣକୁ ‘ପିକ୍ ଟ୍ରେନର୍ ଏକ୍ସପର୍ଟ ଆପ୍ଲିକେସନ’ କିମ୍ବା ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ପିକ୍ଟ୍ରେନର.କମ୍ େଓ୍ଵବ୍ସାଇଟ୍କୁ ଯାଇ ଏକ ଆକାଉଣ୍ଟ୍ ଖୋଲିବାକୁ ପଡ଼ିବ। ହୋମ୍ ଟ୍ୟୁଟର୍ ସନ୍ଧାନରେ ଥିବା ବ୍ୟକ୍ତିବିଶେଷ ନିଜ ମୋବାଇଲ୍ରେ ପିକ୍ ଟ୍ରେନର୍ ଆପ୍ଲିକେସନ କୁ ଡାଉନ୍ଲୋଡ଼୍ କରି ତାଙ୍କର ମନ ପସନ୍ଦର ଅଭିଜ୍ଞ ଶିକ୍ଷକମାନଙ୍କୁ ଯେକୌଣସି ବିଷୟରେ ଘଣ୍ଟା, ମାସ କିମ୍ବା ବର୍ଷ ହିସାବରେ ପ୍ରକାରାନ୍ତରେ ପଢ଼ାଇବାକୁ ଅନୁରୋଧ କରିପାରିବେ। ଏହି ଆପ୍ଲିକେସନରେ ଶିକ୍ଷକମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ବ୍ୟବହାରକାରୀମାନେ ଦେଖିପାରିବେ। ଏହା ସମୟ ଓ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭଦାୟକ।
ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା, ସଂସ୍କୃତି, ରାଷ୍ଟ୍ରଭକ୍ତି ତଥା ସର୍ବଗୁଣସଂପନ୍ନ କରିବା ନିମିତ୍ତ ଏହି ସଂସ୍ଥା ବିଭିନ୍ନ ପ୍ରତିଯୋଗିତାମୂଳକ ପ୍ଲାଟ୍ଫର୍ମ ମଧ୍ୟ ଯୋଗାଇଦେବ। ଏହି ବ୍ୟବସ୍ଥାର ପ୍ରଥମ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଅନଲାଇନ୍ ‘ପିକ୍ ଟ୍ରେନର୍ ଫଟୋ କଣ୍ଟେଷ୍ଟ’ ଆରମ୍ଭ କରିବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ପ୍ରତିଯୋଗୀଙ୍କୁ ପିକ୍ ଟ୍ରେନର୍ ଆପ୍ଲିକେସନ କୁ ଡାଉନ୍ଲୋଡ଼୍ କରିବାକୁ ପଡ଼ିବ। ଏହାପରେ ନିଜର ଫଟୋ କିମ୍ବା ଗ୍ରୁପ୍ ଫଟୋକୁ ଅପ୍ଲୋଡ୍ କରିବାକୁ ହେବ। ନଭେମ୍ବର ୭ ତାରିଖରୁ ଏହାର ଭୋଟିଂ ସମୟ ଆରମ୍ଭ କରାଯିବ। ପ୍ରତିଦିନ ଅଧିକ ଭୋଟ୍ ପାଉଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ। ପ୍ରତିଯୋଗିତାର ସମାପ୍ତିରେ ସର୍ବାଧିକ ଭୋଟ୍ ପାଇଥିବା ବ୍ୟକ୍ତିଙ୍କୁ ବିଜୟୀ ଘୋଷଣା କରାଯିବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୨୫୦୦୦, ୧୫୦୦୦ ଓ ୧୦୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହାସହିତ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ କିଛି ଭାଗ୍ୟବାନ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ଏହି ପ୍ରତିଯୋଗିତାରେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଅଭିଷେକ ଅନୁରୋଧ କରିଛନ୍ତି।