ଖଣ୍ଡଗିରି : ବୁଲେଟ୍‌ ଚଢ଼ିବା ନିଶା ଜଣେ ଇଂଜିନିୟରିଂ ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାଇବର ଠକଙ୍କ ବାବଦରେ ସବୁ ଜାଣି ମଧ୍ୟ ସେ ଅନ୍‌ଲାଇନ୍‌ରେ ଏକ ବୁ‌‌ଲେଟ୍‌ କିଣିବାକୁ ଯାଇ ୧୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଟଙ୍କା ହରାଇବା ପରେ ମୁଣ୍ଡରେ ଚେତା ପଶିବାରୁ ଏବେ ଖଣ୍ଡଗିରି ଥାନା ପୁଲିସର ସହଯୋଗ ଲୋଡ଼ିଛନ୍ତି। ଏହା ସାଇବର ଠକାମୀ ହୋଇଥିବାରୁ ଖଣ୍ଡଗିରି ଥାନା ପରାମର୍ଶକ୍ରମେ ଛାତ୍ରଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Advertisment

publive-image Rip And Scam

ଘଟଣା ଏମିତି; ସ୍ଥାନୀୟ ପାଇକନଗରରେ ରହି ଚନ୍ଦକାସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଛନ୍ତି ଖୋର୍ଧା ଅଞ୍ଚଳର ବିଶ୍ବଜିତ୍ ସାହୁ। ପୁରୁଣା ଗାଡ଼ି କିଣାବିକା କରୁଥିବା ଏକ ସଂସ୍ଥା ଫେସ୍‌ବୁକ୍ ମାଧ୍ୟମରେ ଏକ ବୁଲେଟ୍‌ ବିକିବା ପାଇଁ ଗତ ସପ୍ତାହରେ ବିଜ୍ଞାପନ ଦେଇଥିଲା। ନୂଆରେ ପ୍ରାୟ ୨ଲକ୍ଷ ଟଙ୍କାରୁ ଅଧିକ ଦାମ୍ ଥିବା ୬ ମାସର ୫୦୦ ସିସି ବୁଲେଟ୍‌କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ବିଜ୍ଞାପନ ଦିଆଯାଇଥିଲା। ବିଶ୍ବଜିତ୍ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ନିଜକୁ ଉକ୍ତ ସଂସ୍ଥାର ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କୁ ତୁରନ୍ତ ୧୦ ହଜାର ଟଙ୍କା ଅନ୍‌ଲାଇନ୍‌ରେ ଜମା କରିବାକୁ କହିଥିଲା। ପ୍ରଥମ ଜମାକାରୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଉକ୍ତ ସାଇବର ଠକଜଣଙ୍କ କହିଥିଲା। ତେବେ ମୂଲଚାଲ୍ ବିନା ବିଶ୍ବଜିତ୍ ଟଙ୍କା ଜମା କରିବାକୁ ମନା କରି ଦେଇଥିଲେ। ଶେଷରେ ମୂଲଚାଲ୍ ହୋଇଥିଲା ଓ ଦାମ୍‌ ୧.୧୦ଲକ୍ଷ ଟଙ୍କା ସ୍ଥିର ହେବା ପରେ ବିଶ୍ବଜିତ୍ ଗତ ୨୪ ତାରିଖରେ ଅନ୍‌ଲାଇନ୍ ପେମେଣ୍ଟ କରିଥିଲେ। ତେବେ ଗୋଟିଏ ଦିନ ପରେ ଉକ୍ତ ସଂସ୍ଥାର ବିଜ୍ଞାପନ ଉଭାନ୍ ହୋଇ ଯାଇଥିଲା ଓ ଫୋନ୍‌ ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ପରେ ବିଶ୍ବଜିତ୍ ଠକାମୀର ଶିକାର ହୋଇଛନ୍ତି ବୋଲି ନିଶ୍ଚିତ ହୋଇ କମିସନରେଟ୍‌ ପୁଲିସର ସହଯୋଗ ଲୋଡ଼ିଛନ୍ତି।