ଅନ୍‌ଲାଇନ ପାଠପଢ଼ା: ବାଧକ ସାଜିଛି ମୋବାଇଲ ନେଟୱର୍କ

ବାଲିଅନ୍ତାରେ ଶିକ୍ଷା ସଂଯୋଗରେ ଯୋଡ଼ି ହୋଇଛନ୍ତି ୨୦ ପ୍ରତିଶତ ଛାତ୍ରଛାତ୍ରୀ, ଚିନ୍ତାରେ ଅଭିଭାବକ

ବାଲିଅନ୍ତା : କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟର ସବୁ ସ୍କୁଲ କଲେଜ ବନ୍ଦ ରହିଛି। ତେଣୁ ପିଲାଙ୍କୁ ଅନ୍‌ଲାଇନରେ ପାଠ ପଢ଼ାଇବା ଲାଗି ସରକାର ଶିକ୍ଷା ସଂଯୋଗ ଯୋଜନା ପ୍ରଣୟନ କରିଛନ୍ତି। ଅନ୍‌ଲାଇନ ଯୋଗେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି। ହେଲେ ପାଠପଢ଼ାରେ ବାଧକ ସାଜିଛି ମୋବାଇଲ ଫୋନ ଓ ଦୁର୍ବଳ ନେଟୱର୍କ।

ସ୍କୁଲ ବନ୍ଦ ହୋବାର ୬ ମାସ ବିତିଗଲାଣି। ଲକ୍‌ଡାଉନ ଓ ସଟ୍‌ଡାଉନ ଲାଗି ରହିବା ଯୋଗୁଁ କିଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଏମିତିକି କିଛି ଅଭିଭାବକ ଅର୍ଥାଭାବରୁ ପିଲାଙ୍କୁ ସ୍ମାର୍ଟ ଫୋନଟିଏ ଯୋଗାଇ ଦେବାକୁ ସକ୍ଷମ ହୋଇ ପାରିନାହାନ୍ତି। ତେଣୁ ସେମାନେ ସାଥୀ ପିଲାଙ୍କ ପାଖକୁ ଯାଇ ପାଠ ପଢ଼ିବାକୁ ଇଚ୍ଛାଥିଲେ ହେଁ ସଂକ୍ରମଣ ଭୟରେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟପକ୍ଷରେ ଫୋନ ନଥିବା ସମସ୍ୟାଠୁ ବଳିପଡ଼ିଛି, ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଉଥିବା ଦୁର୍ବଳ ମୋବାଇଲ ନେଟୱର୍କ ସେବା। ସ୍ଥାନୀୟ ଅଞ୍ଚଳର ରଣପୁର, ଦଣ୍ଡିଲୋ, ଚିଙ୍ଗୁଡ଼ିଆ, ଭୁବନପୁର, ନୂଆସାହି, ପ୍ରତାପରୁଦ୍ରପୁର, ଜୟଦେବ, ବ୍ରାହ୍ମଣସୁଆଁଲୋ, ବଇଁଚୁଆ, ସୁବାଲୋ, ବୁଢ଼ାଲୋ, କଇଁଜଙ୍ଗା, ଲୁଣା, ଅଞ୍ଜିରା, ପରିଆପାଟପୁର, ବେଣ୍ଟପୁର, ଦେଉଳି, କେନ୍ଦୁବିଲ୍ବ, କାକରୁଦ୍ରପୁର, ଖମଙ୍ଗଶାସନ ଆଦି ଅଞ୍ଚଳରେ ନେଟୱର୍କ ସମସ୍ୟା ଲାଗିରହିଛି। ଫଳରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। କିଏ ଛାତ ଉପରେ ବସି ପାଠ ପଢ଼ୁଛି ତ ଆଉ କିଏ ଖୋଲା ଜାଗାରେ ପଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଏହା ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଅନ୍‌ଲାଇନ ଯୋଗେ ପାଠପଢ଼ାର ନଗ୍ନ ଚିତ୍ର। ତେଣୁ ବାଲିଅନ୍ତା ଅଞ୍ଚଳରେ ଅନ୍‌ଲାଇନ ପାଠପଢ଼ାରେ ଖୁବ କମ୍‌ ସଂଖ୍ୟକ ପିଲା ଯୋଡ଼ି ହେଉଥିବା ଜଣାପଡ଼ିଛି।

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏସବୁ ପ୍ରତିବନ୍ଧକ ପାଇଁ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଶିକ୍ଷା ସଂଯୋଗୀକରଣ ଯୋଜନାରେ ଶତକଡ଼ା ୨୦ ପ୍ରତିଶତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରୁଛନ୍ତି। ଜଣେ ଶିକ୍ଷକଙ୍କ ସୂଚନାନୁସାରେ ପୂର୍ବରୁ ଲକ୍‌ଡାଉନ ଓ ସଟ୍‌ଡାଉନ ବେଳେ ଅଭିଭାବକମାନେ ଘରେ ରହୁଥିବାରୁ ତାଙ୍କ ମୋବାଇଲରେ ପିଲା ପାଠପଢ଼ିବାର ସୁଯୋଗ ପାଉଥିଲେ। ଫଳରେ ଅଧିକ ପ୍ରତିଶତ ପିଲା ଯୋଗ ଦେଉଥିଲେ। ଏବେ ସେମାନେ ସାଙ୍ଗରେ ଫୋନ ନେଇ ଯାଉଥିବା ବେଳେ ପିଲା ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ପରୀକ୍ଷା ପାଖେଇ ଆସୁଥିବାରୁ ସଂପୃକ୍ତ ଅଭିଭାବକମାନଙ୍କୁ ପିଲାଙ୍କୁ ଭବିଷ୍ୟତ ଚିନ୍ତା ଘାରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ପିଲାଙ୍କ ପାଖରେ ଫୋନ ନାହିଁ କିମ୍ବା ଯେଉଁ ସ୍ଥାନରେ ନେଟୱର୍କ ସମସ୍ୟା ଅଛି ସେଠାରେ ଶିକ୍ଷକ ପହଞ୍ଚି ଶିକ୍ଷାଦାନ କରିବା କଥା। ହେଲେ ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ପିଲାଙ୍କ ପାଠ ପଢ଼ାରେ ସମସ୍ୟା ସୃଷ୍ଟି ହେଉଥିବା ନୂଆସାହି ଗ୍ରାମର କ୍ଷୀରୋଦ ଚନ୍ଦ୍ର ପଣ୍ଡା କହିଛନ୍ତି। ଏଦିଗରେ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର