ଅନ୍‌ଲାଇନ୍‌ରେ ଯୌନ ଶୋଷଣ ମାମଲା: ବର୍ଷକରେ ୪ଶହ ପ୍ରତିଶତ ବୃଦ୍ଧି, ବ୍ଲାକ୍‌ମେଲ୍‌ କରି ତିଆରି କରୁଛନ୍ତି ଅଶ୍ଳୀଳ ଭିଡିଓ

ଘାତକ ସାଜିଛି ମୋବାଇଲ୍‌, ଦେଶ ବିଦେଶରେ ଘୂରି ବୁଲୁଛି ଅଶ୍ଳୀଳ ଭିଡିଓ, ଚିନ୍ତାରେ ଅଭିଭାବକ

ଶୁଭକାନ୍ତ ପଢ଼ିହାରୀ
ଭୁବନେଶ୍ବର: କରୋନା କଟକଣା, ଲକଡାଉନ୍‌ରେ ଏକପ୍ରକାର ବିଗିଡ଼ିଗଲା ଶୈଶବ। ପାଠପଢ଼ା, ଖେଳକୁଦରେ ସମୟ ବିତାଉଥିବା ଶିଶୁ ଘରେ ବିତାଇଲେ ବନ୍ଦୀ ଜୀବନ। ସାଙ୍ଗ ପାଲଟିଗଲା ସ୍ମାର୍ଟଫୋନ୍‌। ଆଉ କୋମଳମତି ଶିଶୁଙ୍କ ପାଇଁ ଏହି ଫୋନ୍ ହୋଇଗଲା ଘାତକ। ଅବସ୍ଥା ଏମିତି ସ୍ଥିତିରେ ପହଞ୍ଚିଲାଣି ଗୋଟିଏ ମିନିଟ୍ ବି ଫୋନ୍ ଛାଡ଼ିପାରୁନାହାନ୍ତି ଶିଶୁ। ଅନ୍‌ଲାଇନ୍‌ରେ ଯୌନ ଶୋଷଣ ମାମଲାରେ ସିବିଆଇ ଓଡ଼ିଶା ସମେତ ଦେଶବ୍ୟାପୀ ୧୪ ରାଜ୍ୟରେ ଚଢ଼ଉ କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଶିଶୁଙ୍କୁ ବ୍ଲାକମେଲ୍‌ କରି ସେମାନଙ୍କ ଅଶ୍ଳୀଳ ଫଟୋ, ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ୍ କରୁଛନ୍ତି ଯୌନ ପିପାସୁ, ଦଲାଲ୍। ଏହା ବଦଳରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯାହା ଶିଶୁଙ୍କୁ ବିପଦରେ ପକାଇଛି।
ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟ ଅନୁସାରେ, ୨୦୧୯ ତୁଳନାରେ ୨୦୨୦ରେ ଅନ୍‌ଲାଇନ୍‌ରେ ଶିଶୁ ଯୌନ ଶୋଷଣ ମାମଲା ପ୍ରାୟ ୪ଶହ ପ୍ରତିଶତ ବଢ଼ିଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ୧୬୪ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୮୪୨ଟି ମାମଲା ରୁଜୁ ହୋଇଛି। ଯାହା ଚିନ୍ତାଜନକ ହୋଇଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଶିଶୁମାନଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓକୁ ବିଶ୍ବର ପ୍ରାୟ ଶହେ ଦେଶରେ ମୋବାଇଲରୁ ମୋବାଇଲ ଓ ଇଣ୍ଟରନେଟ୍‌ରେ ଘୂରି ବୁଲୁଛି।

Sakshi

ବ୍ଲାକ୍‌ମେଲ୍‌ କରି ତିଆରି କରୁଛନ୍ତି ଅଶ୍ଳୀଳ ଭିଡିଓ

କରୋନା କଟକଣା ପାଇଁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ହେଲାଣି ଅନ୍‌ଲାଇନ୍ କ୍ଲାସ୍ ଚାଲୁଛି। ଛାତ୍ରଛାତ୍ରୀମାନେ ବିଶେଷକରି ସ୍ମାର୍ଟଫୋନରେ ଅନ୍‌ଲାଇନ୍ କ୍ଲାସ୍ କରୁଛନ୍ତି। ଅଧିକ ମୋବାଇଲ ବ୍ୟବହାର କରି ଶିଶୁମାନେ ସ୍ମାର୍ଟ ଫୋନ୍ ସହ ଅଭ୍ୟସ୍ତ ହୋଇଯାଇଛନ୍ତି। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ଇଣ୍ଟରନେଟ୍‌ରେ ଭିଡିଓ ଦେଖିବା ହେଉ କି ଅନ୍‌ଲାଇନ୍ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି। ସେହି ସମୟରେ ସାଇବର ଅପରାଧୀ, ଦଲାଲମାନେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ କିମ୍ବା କୌଣସି ଲିଙ୍କ୍ ପଠାଇଥାନ୍ତି। ଏପରିକି ଅଜଣା ନମ୍ବରରୁ ହ୍ବାଟ୍‌ସଆପ୍ କଲ୍ ମଧ୍ୟ ଆସିଥାଏ। ଯେଉଁ ଶିଶୁ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଗ୍ରହଣ କରନ୍ତି, ସେମାନଙ୍କ ସହ ଯୌନ ପିପାଷୁ ସାଇବର ଅପରାଧୀମାନେ ନିଜକୁ ଛାତ୍ରଛାତ୍ରୀ ଦର୍ଶାଇ ଚାଟିଂ ଆରମ୍ଭ କରିଦିଅନ୍ତି। ଯେଉଁମାନେ ଜାଲରେ ଫସିଲେ, ସେମାନଙ୍କ ସହ ଅଶ୍ଳୀଳ ଚାଟିଂ କରନ୍ତି। ଏହାକୁ ସ୍କ୍ରିନ୍ ସଟ୍ ରଖି ପରିବାର ଲୋକଙ୍କୁ ଜଣାଇ ଦେବାକୁ ଧମକ ଦିଅନ୍ତି ଅପରାଧୀ। ଏହାକୁ ଅସ୍ତ୍ର କରି ଅଧିକରୁ ଅଧିକ ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ସଂଗ୍ରହ କରି ନିଅନ୍ତି। ଏହା ପରେ ହ୍ବାଟସଆପ୍ ଗ୍ରୁପ୍ ଓ ସୋସିଆଲ୍ ମିଡିଆରେ ଏହାକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଯୌନ ପିପାଷୁମାନେ ଏହାକୁ ଉପଭୋଗ କରନ୍ତି। ଅଜଣା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନ କରିବା ସହ ଅଜଣା କ୍ଲିକ୍‌କୁ ମଧ୍ୟ ଲିଙ୍କ୍ କରନ୍ତୁ ନାହିଁ ବୋଲି ସେ ସତର୍କ କରାଇଛନ୍ତି।

କାଉନ୍‌ସେଲିଂ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ତଥା ସିଡବ୍ଲୁସିର ପୂର୍ବତନ ସଦସ୍ୟ ବେଣୁଧର ସେନାପତି କହିଛନ୍ତି ଅନ୍‌ଲାଇନ୍‌ରେ ଶିଶୁଙ୍କୁ ଯୌନଶୋଷଣ ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ରୋକିବାକୁ ହେଲେ ଘରେ, ସ୍କୁଲରେ ସବୁ ସ୍ତରରେ ପିଲାମାନଙ୍କୁ କାଉନସେଲିଂ କରାଯିବାର ଆବଶ୍ୟକତା ରହିଛି। ଖାଲି ପିଲାମାନଙ୍କୁ ନୁହେଁ ପୁଲିସକୁ ମଧ୍ୟ ଉପଯୁକ୍ତ ତାଲିମ ଦିଆଯିବା ଦରକାର। ଯାହାଫଳରେ ତାଲିମପ୍ରାପ୍ତ ପୁଲିସ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ସିବିଆଇ ଯେଉଁଭଳି ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ପୁଲିସ ପକ୍ଷରୁ ମଧ୍ୟ ସେମିତି ପଦକ୍ଷେପ ଦରକାର।

ଶିଶୁ ଦିବସରେ ସ୍ବାଗତଯୋଗ୍ୟ ପଦକ୍ଷେପ
ଅନ୍‌ଲାଇନ୍‌ରେ ଯୌନଶୋଷଣ ଓ ପର୍ଣ୍ଣୋଗ୍ରାଫି ନେଇ ସଂସଦରେ ଚିନ୍ତା ପ୍ରକଟ କରାଯାଇଥିଲା। ଏହାକୁ ନେଇ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଏହା ସମାଜରେ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଶିଶୁ ଦିବସରେ ମାମଲା ରୁଜୁ କରାଯାଇ ସିବିଆଇ ଚଢ଼ଉ ଘଟଣା ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ସମାଜସେବୀ ନମ୍ରତା ଚଢ଼ା।

ବୁଝାଇବାର ସମୟ ଆସିଛି
ମନସ୍ତତ୍ତ୍ବବିତ୍‌ ପ୍ରଫେରସ ପ୍ରତାପ ରଥ କହିଛନ୍ତି ପିଲାମାନେ ମୋବାଇଲ ସହ ଅଭ୍ୟସ୍ତ ହୋଇସାରିଛନ୍ତି। ତେଣୁ ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା କିମ୍ବା ମାତ୍ରାଧିକ କଟକଣା ଲଗାଇବାର ସମୟ ଆସିନାହିଁ। ଏବେ କେବଳ ପିଲାଙ୍କୁ ବୁଝାଇବା ଦରକାର। ଅତ୍ୟଧିକ ମୋବାଇଲ ବ୍ୟବହାର କଲେ କ’ଣ ଅସୁବିଧା ହେବ, ସେସମ୍ପର୍କରେ ଅଭିଭାବକ, ଶିକ୍ଷକମାନେ ବୁଝାଇଲେ ପିଲାମାନେ ସୁରକ୍ଷିତ ରହିପାରିବେ।

ନଭେମ୍ବର ୨୦ରୁ ବୁଲିବ ଶିଶୁ ଅଧିକାର ଅଭିଯାନ ରଥ
ଅନ୍‌ଲାଇନ୍‌ରେ ଶିଶୁଙ୍କୁ ଯୌନଶୋଷଣ ଓ ଯୌନ ନିର୍ଯାତନା ଏବେ ଚିନ୍ତାର ବିଷୟ ପାଲଟିଛି। ସ୍କୁଲରେ ସଚେତନତା ସୃଷ୍ଟି କରିବା ପାଇଁ ନଭେମ୍ବର ୨୦ରୁ ‘ଶିଶୁ ଅଧିକାର ଅଭିଯାନ’ ରଥ ବୁଲିବ। ଭୁବନେଶ୍ବରରୁ ଦୁଇଟି ଗାଡ଼ି ଭାଗଭାଗ ହୋଇ ୨୦ ଦିନ ଭିତରେ ସବୁ ଜିଲ୍ଲାକୁ ଯିବେ। ଜିଲ୍ଲା ମୁଖ୍ୟାଳୟ ସମେତ କେତେକ ପ୍ରମୁଖ ଅଞ୍ଚଳରେ ବୁଲିବ ବୋଲି ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟାଳୟର ସ୍କୁଲ, ବାଳିକା ସ୍କୁଲ, ପ୍ରମୁଖ ଅଞ୍ଚଳରେ ଥିବା ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଏହି ଗାଡ଼ି ଯିବ। ସେଠାରେ ଶିଶୁଙ୍କ ଅଧିକାର, କେମିତି ଯୌନ ଶୋଷଣରୁ ରକ୍ଷା ପାଇପାରିବେ, ମୋବାଇଲ ଓ ଇଣ୍ଟରନେଟ୍ ବ୍ୟବହାର, ସାଇବର ଅପରାଧ ସମ୍ପର୍କରେ ସଚେତନତା କରାଯିବ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି। ଏ ସମ୍ପର୍କରେ ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସହ ପୂର୍ବରୁ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର