ମାସକରେ ମାତ୍ର ୨୦ ଫୁଟ୍‌ ରାସ୍ତା କାମ, ଘର ଆଗ ଖୋଳି ଦେଲା ଠିକାଦାର

ମାସକରେ ମାତ୍ର ୨୦ ଫୁଟ୍‌ ରାସ୍ତା କାମ

ଭୁବନେଶ୍ବର: ଠିକାଦାରଙ୍କ ମନମାନି ପାଇଁ ଭୁବନେଶ୍ବର ୧୮ ନମ୍ବର ୱାର୍ଡ ପ୍ରାଚୀବିହାର ୧ ନମ୍ବର ଲେନ୍‌ର ଲୋକମାନେ ସମସ୍ୟା ଭୋ‌ଗୁଛନ୍ତି। ଠିକାଦାର ରାସ୍ତା ଖୋଳି ଦେବାରୁ ୨୦ରୁ ଅଧିକ ପରିବାର ଘରୁ ବହାରିବା କଷ୍ଟକର ହୋଇପଡ଼ୁଛି। ବାରମ୍ବାର ଅଭିଯୋଗ କଲେ ବି କାମ ସରୁନାହିଁ। ଫଳରେ ଲୋକଙ୍କ ଭିତରେ ତୀବ୍ର ଅସନ୍ତାଷ ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, ପ୍ରଥମେ ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରାଚୀବିହାର ୧ ମନ୍ବର ଲେନ୍‌ରେ ସ୍ବରେଜ୍‌ କାମ ଆରମ୍ଭ ହୋଇଥିଲା। କାମ ସରିବାକୁ ଡିସେମ୍ବର ମାସ ହୋଇଯାଇଥିଲା। ସ୍ବରେଜ୍‌ କାମ ସରିବା ଯାଏ ଅଧିକାଂଶ ଲୋକ ଘରୁ ଗାଡ଼ି ବାହାର କରିପାରିନଥିଲେ। ଏହାପରେ ସ୍ବରେଜ୍‌ କାମ ପାଇଁ ଖୋଳା ଯାଇଥିବା ରାସ୍ତାକୁ ମରାମତି କରାଯାଇ ନଥିଲା। ବାରମ୍ବାର ଅଭିଯୋଗ କରିବା ପରେ ମାସେ ତଳେ ୧ ନମ୍ବର ଲେନ୍‌ରେ କଂକ୍ରିଟ୍‌ ରାସ୍ତା କାମ ଆରମ୍ଭ କରାଯାଇଥିଲା। ମାସେ ପରେ ମାତ୍ର ୨୦ ଫୁଟ୍‌ କାମ ସରିଛି। ହେଲେ ଠିକାଦାର ମାସେ ହେବ ମୁଖ୍ୟରାସ୍ତାର ପ୍ରାୟ ୫୦ ଫୁଟ୍‌ ଖୋଳି ଦେଇଥିବାରୁ ଲୋକ ସମସ୍ୟା ଭୋଗୁଛନ୍ତି। ଏମିତିକି କିଛି ଲୋକଙ୍କ ଘରକୁ ସଂଯୋଗ ହୋଇଥିବା ପାଣି ଓ ଡ୍ରେନ୍‌ ପାଇପ୍‌କୁ ନଷ୍ଟ କରିଦେଇଥିବା‌ ଅଭିଯୋଗ ହୋଇଛି। ତେବେ କାମ ତୁରନ୍ତ ସାରିବାକୁ ପ୍ରାଚୀବିହାର ୧ ନମ୍ବର ଲେନ୍‌ର ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର