ଭୁବନେଶ୍ବର: ମାଆ କ୍ଷୀର ଅମୃତ ସମାନ। ନବଜାତ ଶିଶୁକୁ ମାଆ କ୍ଷୀର ନିରୋଗୀ ରଖିଥାଏ। ମାଆ କ୍ଷୀରର ମହତ୍ବ ପ୍ରତି ଘରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ସାରା ଦେଶ ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ, ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ କରି ଆସୁଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏହି ଦିବସ ପାଳନ ସହ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଓଡ଼ିଶାରେ ଏହି ସ୍ଥିତିରେ ଅଦ୍ୟାବଧି ସୁଧାର ଆସି ପାରିନି। ମାଆ କ୍ଷୀର ଅପେକ୍ଷା ଡବା କ୍ଷୀର ଉପରେ ନିର୍ଭରଶୀଳତା ବଢ଼ିଚାଲିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ଅଧିକ ଉଦ୍‌ବେଗଜନକ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍ଏଫ୍ଏଚ୍ଏସ୍)-୫ ରିପୋର୍ଟ ଏହା କହୁଛି।
ଓଡ଼ିଶାରେ ସ୍ବାସ୍ଥ୍ୟ ବିଭାଗ ମାର୍ଗଦର୍ଶିକା ଆଧାରରେ ୭୨.୯ ପ୍ରତିଶତ ଶିଶୁ କେବଳ ମାଆ କ୍ଷୀର ପିଇବାର ସୁଯୋଗ ପାଉଛନ୍ତି। ଏନ୍ଏଫ୍ଏଚ୍ଏସ୍-୪ରେ ଜନ୍ମର ୧ ଘଣ୍ଟା ଭିତରେ ନବଜାତକୁ ସ୍ତନ୍ୟପାନ ହାର ୬୮.୫ ପ୍ରତିଶତ ରହିଥିଲା। ଏନ୍ଏଫ୍ଏଚ୍ଏସ୍-୫ରେ ବି ଏହା ଅପରିବର୍ତ୍ତିତ ରହିଛି। ରାଜଧାନୀ ସହ ଖୋର୍ଦ୍ଧା ଜିଲ୍ଲାରେ ଏହି ହାର ୭୩.୩ ପ୍ରତିଶତ ରହିଛି। 
ଜାତୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମାଆ ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ପ୍ରତି ୫ ବର୍ଷରେ ଥରେ ଏନ୍ଏଫ୍ଏଚ୍ଏସ୍ କରାଯାଇଥାଏ। ଶେଷଥର ଏନ୍ଏଫ୍ଏଚ୍ଏସ୍-୫ ୨୦୧୯-୨୧ ମସିହାରେ କରାଯାଇଥିଲା। ଏନ୍ଏଫ୍ଏଚ୍ଏସ୍-୫ ରିପୋର୍ଟ ଅନୁଯାୟୀ, ଡାକ୍ତରଖାନାରେ ଜନ୍ମହାରରେ ବୃଦ୍ଧି ଘଟିଛି। ପୂର୍ବରୁ ଏହି ହାର ୮୫.୩ ପ୍ରତିଶତ ଥିଲା। ଯାହା ଏବେ ୯୨.୨ ପ୍ରତିଶତ ରହିଛି। କିନ୍ତୁ ଶିଶୁଙ୍କ ସ୍ତନ୍ୟପାନ କଥା ଦେଖିଲେ, ୬୮.୫ ପ୍ରତିଶତ(ଗ୍ରାମାଞ୍ଚଳ ୬୮.୬ ଓ ସହରାଞ୍ଚଳ ୬୭.୯ ପ୍ରତିଶତ) ଶିଶୁ ଜନ୍ମର ୧ ଘଣ୍ଟା ଭିତରେ ସ୍ତନ୍ୟପାନ କରୁଛନ୍ତି। ୬ ମାସ ପର୍ଯ୍ୟନ୍ତ ମାଆ କ୍ଷୀର ପିଇବା ପୁଷ୍ଟିକର ଓ ଶିଶୁର ସ୍ବାସ୍ଥ୍ୟଗତ ବୃଦ୍ଧି ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଏହି ହାର ୭୨.୯ ପ୍ରତିଶତ ରହିଛି। ଗ୍ରାମାଞ୍ଚଳ ହାର ୭୩.୭ ପ୍ରତିଶତ ଓ ସହରାଞ୍ଚଳ ହାର ୬୮.୩ ପ୍ରତିଶତ ରହିଛି। ୬ରୁ ୮ ମାସ ଭିତରେ ଖାଦ୍ୟ ସହ ମାଆ କ୍ଷୀର ପିଉଥିବା ଶିଶୁଙ୍କ ହାର ୬୭.୫ ପ୍ରତିଶତ ରହିଛି। ଯେଉଁଥିପାଇଁ ଶିଶୁଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି।  ଏନ୍ଏଫ୍ଏଚ୍ଏସ୍-୫ ତଥ୍ୟ ଅନୁଯାୟୀ, ବୟସ ଅନୁସାରେ ଉଚ୍ଚତା ବଢ଼ୁଥିବା ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ହାର ୩୧ ପ୍ରତିଶତ(ଗ୍ରାମାଞ୍ଚଳ ୩୨ ପ୍ରତିଶତ ଓ ସହରାଞ୍ଚଳ ୨୪.୯ ପ୍ରତିଶତ) , ବୟସ ଅନୁସାରେ ଓଜନ କମ୍ ଥିବା ହାର ୨୯.୭ ପ୍ରତିଶତ(ଗ୍ରାମାଞ୍ଚଳରେ ୩୧ ପ୍ରତିଶତ ଓ ସହରାଞ୍ଚଳରେ ୨୧.୫ ପ୍ରତିଶତ), ଉଚ୍ଚତାଠାରୁ ଓଜନ ଅଧିକ ଥିବା ଶିଶୁଙ୍କ ହାର ୩.୫ ପ୍ରତିଶତ(ଗ୍ରାମାଞ୍ଚଳରେ ୩.୨ ଓ ସହରାଞ୍ଚଳରେ ୫.୫ ପ୍ରତିଶତ) ରହିଛି।
ଓଡ଼ିଶାରେ ପ୍ରତି ଜିଲ୍ଲାରେ  ପ୍ରତିବର୍ଷ ସ୍ତନ୍ୟପାନ ସପ୍ତାହ ପାଳନ ଯେ ଲୋକଦେଖାଣିଆ ଏଥିରୁ ଜଳଜଳ ଦିଶୁଛି। ପ୍ରଚାରପ୍ରସାର ଓ ସଂପୃକ୍ତ ଅଧିକାରୀଙ୍କ ଆନ୍ତରିକତାର ଅଭାବରୁ ସରକାରଙ୍କ ଲକ୍ଷ୍ୟ ବାଟବଣା ହେଉଛି।

Advertisment