କେବଳ ପରମ୍ପରାରେ ହେଲା ଦୋଳ ଯାତ

ଭୁବନେଶ୍ବର: ଫଗୁଣର ଶେଷ ହୁଏ ଫଗୁ ଖେଳରେ। ଓଡ଼ିଶାର ଗୋପାଳ ସମ୍ପ୍ରଦାୟରେ ବେଶ୍‌ ଲୋକପ୍ରିୟ ଏହି ପର୍ବ ‘ଦୋଳ ପୂର୍ଣ୍ଣମା’ ପ୍ରେମ ରଙ୍ଗରେ ରଙ୍ଗିନ ହୁଏ। ପ୍ରେମର ପ୍ରତୀକ ଶ୍ରୀକୃଷ୍ଣ ଓ ରାଧା ଏହି ଦିନ ବିମାନରେ ଘର ଘର ବୁଲି ଅବିର ଖେଳନ୍ତି ଓ ଭୋଗ ଖାଆନ୍ତି। ଏହି ଉତ୍ସବକୁ ବେଶ୍‌ ଜାକଜକମରେ ପାଳନ କରାଯାଏ। ଯାତ୍ରା ଜମେ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସବୁ ଫିକା ପଡ଼ିଛି। ସବୁ ଦୋଳ ମେଲଣ ପଡ଼ିଆ ଖାଲି ପଡ଼ିଛି। ନା ମେଲୋଡ଼ିର ଆସର ଜମିଛି ନା ମୀନା ବଜାର ଲୋକଙ୍କୁ ଆକର୍ଷିତ କରୁଛି। ତେବେ ବିମାନ ସାଜସଜ୍ଜା କମି ନାହିଁ। ତଥାପି ରୀତିନୀତିକୁ ଧ୍ୟାନ ଦିଆଯାଇଛି ଓ ଚଳିତ ବର୍ଷ କେବଳ ନୀତିନିୟମରେ ଦୋଳ ପର୍ବ ଅନୁଷ୍ଠିତ ହେଉଛି।

ମେଲଣ ପଡ଼ିଆ ଖାଁ ଖାଁ
ଶ୍ୟାମପୁର ସିଦ୍ଧେଶ୍ବର ମହାଦେବଙ୍କ ଦୋଳ ମେଲଣ ଅତି ପ୍ରଖ୍ୟାତ। ଏଠାକାର ଦୋଳ ଯାତ୍ରା ପ୍ରାୟ ୩୦୦ ବର୍ଷର ପୁରୁଣା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କିନ୍ତୁ ଏହି ଯାତ୍ରା ଫିକା ପଡ଼ିଛି। ମେଲଣ ପଡ଼ିଆରେ ମେଲୋଡି ତାଳେ ତାଳେ ଦର୍ଶକ ନାଚିବାର ଅବକାଶ ନାହିଁ। ମୀନା ବଜାର ବି ପଡ଼ିନାହିଁ। ହଜାର ହଜାର ସଂଖ୍ୟାରେ ଭିଡ଼ ଜମୁଥିବା ମେଳଣ ପଡ଼ିଆ ଚଳିତ ବର୍ଷ ପୂରା ଖାଁ ଖାଁ ହୋଇଯାଇଛି। କେବଳ ରୀତିନୀତି ଅନୁସାରେ ହରିହର ଭେଟ ହୋଇଛି। ଠାକୁରଙ୍କ ବିମାନ ଉଠେଇବା ନିମନ୍ତେ ଅଧିକ କର୍ମଚାରୀ ନିୟୋଜିତ ନେଇ କଟକଣା ରହିଥିବାରୁ ଛୋଟ ବିମାନରେ ଠାକୁର ଘର ଘର ବୁଲି ଦୋଳ ଭୋଗ ଖାଇଛନ୍ତି। ମେଳଣ କମିଟି ସମ୍ପାଦକ ସୁଶାନ୍ତ ସାହୁଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ କେବଳ ୪ ଜଣ କାନ୍ଧୁଆ ଓ ଜଣେ ବ୍ରାହ୍ମଣ ଠାକୁରଙ୍କୁ ଗାଁ ବୁଲାଉଛନ୍ତି। କରୋନା କଟକଣାକୁ ନଜରରେ ରଖି ବିନା ଜାକଜକମରେ ମେଳଣ ହେଉଥିବା ସେ କହିଛନ୍ତି।
ଝାରପଡ଼ାରେ ଏକାଠି ହେବେ ୭ ଦୋଳ ବିମାନ
ବହୁ ବର୍ଷ ଧରି ଝାରପଡ଼ା ଗ୍ରାମରେ ଦୋଳ ଯାତ୍ରା ପାଳିତ ହୋଇଯାଉଛି। କିନ୍ତୁ ଏ ବର୍ଷ ଦୋଳ ମେଲଣ କରୋନା କଟକଣା ମଧ୍ୟରେ ପାଳନ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ ଧରଣୀଧର ଜେନା। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଠାକୁର ବିମାନରେ ଗାଁରେ ବୁଲି ଭୋଗ ଖାଇବେ। ପ୍ରତି ବର୍ଷ ଭଳି ଏଥର ଯାତ୍ରା, ମୀନାବଜାର ଓ ବିରାଟ ଶୋଭାଯାତ୍ରା ଆୟୋଜିତ ହେବ ନାହିଁ। ପ୍ରତିବର୍ଷ ରାତି ସାରା ଗ୍ରାମ ମେଳଣ ପଡ଼ିଆରେ ଦୋଳ ମେଳଣ ହୋଇଥାଏ। ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ ସାମାଜିକ ଦୂରତ୍ବ ଓ ଲୋକ ସଂଖ୍ୟାକୁ କମାଇବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତିବର୍ଷ ଏଠାରେ ୫ ଦୋଳ ବିମାନ ଏକାଠି ହୁଅନ୍ତି। କିନ୍ତୁ ଚଳିତ ଥର ୭ ଦୋଳ ବିମାନ ଏକାଠି ହେବ। ଗ୍ରାମବାସୀ ସରକାରଙ୍କ ସମସ୍ତ ନିୟମ ମାନି ଦୋଳ ଯାତ୍ରା ପାଳନ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର