ମାନବବାଦକୁ କେବଳ ଭାରତ ହିଁ ଜାଗ୍ରତ କରାଇପାରିବ: ରାଜ୍ୟପାଳ

ଆର୍ଟ ଅଫ୍‍ ଗିଭିଂର ୯ମ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଆମ ଭିତରର ମାନବବୋଧକୁ ଜାଗ୍ରତ କରିବାକୁ ପଡ଼ିବ। ଏବେ ବିଶ୍ୱରେ ସବୁଆଡ଼େ ହିଂସା ଓ ଅସହିଷ୍ଣୁତା ବଢ଼ି ଚାଲିଛି। ଆମ ଭିତରୁ ମାନବିକ ମୂଲ୍ୟବୋଧ ଧୀରେଧୀରେ ଲୋପ ପାଇ ଯାଉଛି। ଲୋକଙ୍କ ମଧ୍ୟରେ ମାନବବାଦକୁ କେବଳ ଭାରତ ହିଁ ଜାଗ୍ରତ କରାଇପାରିବ, ଯାହାକି ଆର୍ଟ ଅଫ୍ ଗିଭିଂ କରୁଛି। ମନ ଖୋଲି ସାହାଯ୍ୟ କରିବା ହିଁ ଆର୍ଟ ଅଫ୍‍ ଗିଭିଂ। ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ଆର୍ଟ ଅଫ୍‍ ଗିଭିଂର ୯ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି।

ମୁଖ୍ୟବକ୍ତା ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ କହିଥିଲେ, ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ଦେବା ବଦଳରେ ନେବା ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି। ଦେବାର ଗୁଣ ହେଉଛି ଈଶ୍ୱରପ୍ରଦତ୍ତ। ସମ୍ମାନିତ ଅତିଥି ଭ‌ାବେ ଶିବ ଚିଦାନନ୍ଦ ସରସ୍ୱତୀ ଓ ୟୁନିଟ୍‌-୧ ଶ୍ରୀରାମ ମନ୍ଦିରର ସଭାପତି ବାବା ରାମନାରାୟଣ ଦାସ ଯୋଗ ଦେଇ ଦାନର ମହତ୍ତ୍ବ ସମ୍ପର୍କରେ କହିଥିଲେ। ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଅଭିଭାଷଣରେ କହି‌ଲେ, ୨୦୧୩ ମସିହାରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଆଜି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି।

ଏହି ଅବସରରେ ଶ୍ରୀ ସାମନ୍ତଙ୍କ ସମ୍ପାଦନାରେ ରଚିତ ପୁସ୍ତକ ଆର୍ଟ ଅଫ୍‌ ଗିଭିଂ-୨୦୨୨ ଲୋକାର୍ପିତ ହୋଇଥିଲା। ଏହି ଅବସରରେ ଶୁଭ୍ରାଂଶୁ ଶତପଥୀ, ଋତୁରାଣୀ ସାସମଲ, ସିଲୁ ନାୟକ, ଉଷାରାଣୀ ନାୟକ, ବବିତା ନାଥ ପ୍ରମୁଖଙ୍କୁ ରାଜ୍ୟପାଳ ଶ୍ରୀ ଲାଲ ସମ୍ବର୍ଦ୍ଧିତ କରିଥିଲେ। ଆଜି ଓଡ଼ିଶାର ୩୦ଟି ଜିଲ୍ଲା ସମେତ ଦେଶର ବିଭିନ୍ନ ରାଜ୍ୟ ଓ ପ୍ରମୁଖ ସହର ଏବଂ ବିଭିନ୍ନ ଦେଶରେ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି।

ସମ୍ବନ୍ଧିତ ଖବର