ବଞ୍ଚିବାର ରାହା କେବଳ ସାହିତ୍ୟ ଦେଖାଇ ପାରିବ

ଭୁବନେଶ୍ୱର: ଓଡ଼ିଶା ଲେଖକ ସମବାୟ ସମିତିର ମାସିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲେଖିକା ବନଜ ଦେବୀ ଜଣେ ଲେଖକର ଜୀବନରେ ପତ୍ରିକାର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ସେ ନିଜ ଜୀବନର ଉଦାହରଣ ଦେଇ କହିଲେ ଜଣେ ଲେଖିକା ଭାବେ ସ୍ୱୀକୃତି ମିଳିବାର ୩୫ ବର୍ଷ ପରେ ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶିତ ହୋଇଥିଲା। ସେ ଆହୁରି କହିଥିଲେ ସାହିତ୍ୟ ତାଙ୍କୁ ଅପରିସୀମ ଆନନ୍ଦ ଓ ମଧୁରତମ କଷ୍ଟ ଦେଇଛି।

ସାହିତ୍ୟ ଜଣେ ଭୋକିଲାକୁ ଅନ୍ନ ଦେଇ ପାରିବନାହିଁ ସତ ମାତ୍ର ବଞ୍ଚିବାର ରାହା ଦେଖାଇ ପାରିବ। ତାଙ୍କୁ ପାଠକ ହିଁ ସବୁଠାରୁ ବଡ଼ ପ୍ରେରଣା ଦେଇଛନ୍ତି ବୋଲି ସେ ମତ ଦେଇଥିଲେ। ସଭାପତି ସାତକଡ଼ି ହୋତା ତାଙ୍କର ଭାଷଣରେ ବନଜ ଦେବୀଙ୍କ ଉଦାହରଣ ଦେଇ ଜଣେ ନାରୀ କିପରି ସଂଘର୍ଷମୟ ଜୀବନ ମଧ୍ୟରେ ଲେଖନୀ ଚାଳନା କରିଛନ୍ତି ତାହା ଅନ୍ୟ ସାହିତ୍ୟିକ ମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଉଦ୍‌ବୋଧନ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ପୀତବାସ ରାଉତରାୟ ସଭା ପରିଚାଳନା କରିଥିବାବେଳେ ଆବାହିକା ବିମଳା ସିଂହ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଲେଖକ ସମବାୟ ସମିତି ସମ୍ପର୍କରେ ସୂଚନ‌ା ଦେଇଥିଲେ। ଏହି ସଭାରେ ପ୍ରେମଲତା ଦେବୀ, ଅସିତ ମହାନ୍ତି, ନିହାର ଶତପଥୀ, ବାସର ମହାନ୍ତି, ପ୍ରମିଳା ପାଢ଼ୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବିଦ୍ୟୁତପ୍ରଭା ଗନ୍ତାୟତ, ରେଣୁକା ମିଶ୍ର, ସୁନନ୍ଦା ପ୍ରଧାନ, କୁସୁମ ପଟେଲ, ମୀନାକ୍ଷୀ ରାଉତରାୟ, ସୌମ୍ୟ ରଥ, କମଳ କୁମାରୀ ଦାସ, ଅଶୋକ ରଥ, ମିହିର ପଟ୍ଟନାୟକ ଓ ସିଦ୍ଧାର୍ଥ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର