ରାଜଧାନୀରେ ଖାଲି ପାଣି ଆଉ ପାଣି, ଦେଢ଼ ଦିନରେ ୧୮୦ମିମି ବର୍ଷା

‌ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଅପାରଗତା ପଦାରେ ପଡ଼ିଲା, ଦୋଷ ଖସାଇବାକୁ କହିଲେ ଡ୍ରେନ୍‌ରେ ପଲିଥିନ୍ ଜାମ୍ କରୁଛି

ଭୁବନେଶ୍ବର: ପାଣିପାଗ ବିଭାଗ ତିନି ଦିନ ଆଗରୁ ସତର୍କ କରାଇଥିଲା ଯେ, ବୁଧବାରଠାରୁ ରାଜଧାନୀରେ ପ୍ରବଳ ବର୍ଷା ହେବ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ପୂର୍ବାନୁମାନକୁ ଖାତିର କଲେନି। ଯାହାର ଫଳ ଆଜି ରାଜଧାନୀବାସୀ ଭୋଗିଲେ। ଆଜିର ବର୍ଷା ବିତ୍ପାତ ପାଇଁ ବିଏମ୍‌ସି ଯେତିକି ପରିମାଣରେ ଦାୟୀ ନଥିଲା ତା’ଠାରୁ ଅଧିକ ଦାୟୀ ପୂର୍ତ୍ତ ବିଭାଗ ଥିଲା ବୋଲି ତାହା ରାଜଧାନୀର ପ୍ରମୁଖ ରାସ୍ତାରେ ଜମା ହୋଇଥିବା ପାଣି ଏବଂ ମୁଖ୍ୟ ଡ୍ରେନ୍‌ରୁ ପାଣି ଉଛୁଳି ଲୋକଙ୍କ ଘରେ ପଶିବା ପ୍ରମାଣିତ କରିଦେଇଥିଲା। ଗତକାଲି ସକାଳଠାରୁ ଆଜି ରାତି ୮ଟା ସୁଦ୍ଧା ରାଜଧାନୀରେ ପ୍ରାୟ ୧୮୦ମିମି ବର୍ଷା ହୋଇଥିବା ବେଳେ ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଛି। ଯେଉଁଠି ଆଖି ପଡ଼ୁଛି ଖାଲି ପାଣି ଆଉ ପାଣି ଦିଶୁଛି। ଦକ୍ଷିଣ-‌ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ପରେ ବିଏମ୍‌ସି ବନ୍ୟା ପ୍ରସ୍ତୁତି ଢିଲା କରିଦେଇଥିବାରୁ, ଜଳ ନିଷ୍କାସନ ପାଇଁ ସମ୍ବେଦନଶୀଳ ସ୍ଥା‌ନରେ ପାଣି ପମ୍ପ ମୁତୟନ ନକରିବାରୁ ରାଜଧାନୀବାସୀ ଜଳବନ୍ଦୀ ପରିସ୍ଥିତି ଭୋଗିଛନ୍ତି। ପୁରୁଣା ଭୁବନେଶ୍ବରରୁ ଆରମ୍ଭ କରି ଖଣ୍ଡଗିରି, ରସୁଲଗଡ଼ରୁ କଳ୍ପନା, ପଟିଆରୁ ଜୟଦେବବିହାର ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ଆଜି ଲୋକ ବର୍ଷା ଦ୍ବାରା ଜଳବନ୍ଦୀ ହୋଇଛନ୍ତି।

ଆଜି ସାରା ରାଜଧାନୀ ପାଣିରେ ଉବୁଟୁବୁ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ କହିଛନ୍ତି ଯେ, ଡ୍ରେନ୍‌ରେ ପ୍ଲାଷ୍ଟିକ, ପଲିଥିନ୍ ଏବଂ ଥର୍ମୋକୁଲ୍ ସାମଗ୍ରୀ ଜାମ୍ ହୋଇଯାଇଥିବାରୁ ପାଣି ନିଷ୍କାସନ ହେଲାନି। ଏଠାରେ ପ୍ରଶ୍ନ ଉଠୁଛି ଅକ୍ଟୋବର ୨, ୨୦୧୮ରୁ ରାଜଧାନୀରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ନିଷିଦ୍ଧ ହେବା ପରେ ଡ୍ରେନ୍‌ରେ ଏସବୁ ଆସିଲା କିପରି। ଯଦି ଥିଲା ତାକୁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ କାହିଁକି ସଫା କଲେନି। ବିଏମ୍‌ସି ପକ୍ଷରୁ ଆଜି ୬୩ଟି ସମ୍ବେଦନଶୀଳ‌ ପରିଦର୍ଶନ କରିବା ପରେ ବିଏମ୍‌ସିର ୬ଟି ଏବଂ ଅଗ୍ନିଶମ ବିଭାଗର ୭ଟି ପମ୍ପ ସହାୟତାରେ ଜଳ ନିଷ୍କାସନ କରାଯାଇଥିଲା।

ସମ୍ବନ୍ଧିତ ଖବର