ସୁନା ଦୋକାନରୁ ଲୁଟ୍ ଉଦ୍ୟମ ପଣ୍ଡ

ଭୁବନେଶ୍ବର : ବରମୁଣ୍ଡା ଡେଲ୍‌ଟା ଛକ ନିକଟ‌ରେ ଥିବା ଜଳେଶ୍ବର ସୁନା ଦୋକାନରୁ ଲୁଟ୍ ଉଦ୍ୟମ ହୋଇଛି। ଲୁଟେରାମାନେ ବିଳମ୍ବିତ ରାତିରେ ଦୋକାନର ସଟର୍ କାଟି ଲୁଟ୍ ଉଦ୍ୟମ କରିଛନ୍ତି। ମାତ୍ର ତ୍ରିସ୍ତରୀୟ ସୁରକ୍ଷା ଯୋଗୁଁ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି। ଏ ସଂପର୍କରେ ଦୋକାନୀ ଆଜି ଅଭିଯୋଗ କରିବାରୁ ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ଗତ ବିଳମ୍ବିତ ରାତିରେ ୪ରୁ ୫ଜଣ ଦୁର୍ବୃତ୍ତ ପ୍ରଥମେ ସୁନା ଦୋକାନର ଗ୍ରିଲ୍ କାଟିଥିଲେ। ପରେ ଦୋକାନ ସଟର୍‌କୁ ଗ୍ୟାସ କଟର୍‌ରେ କାଟି ଭିତରକୁ ପଶିଥିଲେ। ମାତ୍ର ଭିତରେ କାଚ କବାଟ ପରେ ପୁଣି ଏକ ସଟର୍‌ ଥିବା ଦେଖି ବାଧ୍ୟ ହୋଇ ଫେରିଥିଲେ। ସୂଚନାଯୋଗ୍ୟ, ଦୁଇଦିନ ତଳେ ଡେଲ୍‌ଟା ଛକସ୍ଥିତ ଅନ୍ୟ ଏକ ଭେରାଇଟି ଷ୍ଟୋର୍‌ରେ ଏହି ଲୁଟେରାମାନେ ସମାନ ଢଙ୍ଗରେ ଏକ ଦୋକାନରୁ ଲୁଟ୍‌ପାଟ୍ କରିଥିଲେ। ଚୋରିର ସମସ୍ତ ଦୃଶ୍ୟ ସିସି କ୍ୟାମେରା କଏଦ୍‌ ହୋଇଥିବାରୁ ପୁଲିସ ଫୁଟେଜ୍‌ରୁ ଲୁଟେରାଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର