ଓପାଫ୍‌ର ଦ୍ବିତୀୟ ବାର୍ଷିକୋତ୍ସବ: ‘ସମସ୍ତଙ୍କୁ ଶିକ୍ଷାର ‌ମୁଖ୍ୟସ୍ରୋତରେ ସାମିଲ କରିବାକୁ ପଡ଼ିବ’

ଭୁବନେଶ୍ବର: ସ୍ବାଧୀନତା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ ଜନତାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ଆସନ୍ତା ୧୦ ବର୍ଷ ଭିତରେ ଭାରତକୁ ସମ୍ପୂର୍ଣ୍ଣ ସ୍ବାକ୍ଷର ଦେଶରେ ପରିଣତ କରିବା। ହେଲେ ଆଜି ଦେଶ ସ୍ବାଧୀନ ହେବାର ୭୨ ବର୍ଷ ଅତିକ୍ରାନ୍ତ କରିସାରିଥିଲେ ସୁଦ୍ଧା କେରଳ ଛଡ଼ା କୌଣସି ରାଜ୍ୟ ସମ୍ପୂର୍ଣ୍ଣ ସ୍ବାକ୍ଷର ହୋଇପାରି ନାହିଁ। ସ୍ବାକ୍ଷର କହିଲେ ଅକ୍ଷର ଚିହ୍ନିଥିବା କିମ୍ବା ଦସ୍ତଖତ କରିପାରୁଥିବା ବ୍ୟକ୍ତିବିଶେଷଙ୍କୁ ପରିଗଣିତ କଲେ ହେବ ନାହିଁ। ଶିକ୍ଷାର ମୁଖ୍ୟସ୍ରୋତରେ ସମସ୍ତଙ୍କୁ ସାମିଲ କରାଇ ଦେଶର ଶୈକ୍ଷିକ ମାନଦଣ୍ଡକୁ ସୁଦୃଢ଼ କରିବାକୁ ପଡ଼ିବ। ଏନେଇ କେବଳ ସରକାର ପ୍ରୟାସ କଲେ ହେବନାହିଁ, ଶିକ୍ଷା ସହ ନିଜେ ଯୋଡ଼ି ହେବା ଓ ନିଜ ଆଖପାଖ ଲୋକଙ୍କୁ ଯୋଡ଼ିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେବେ ଯାଇ ଏ ରାଜ୍ୟ ଓ ଦେଶ ଶତପ୍ରତିଶତ ସ୍ବାକ୍ଷର ହୋଇପାରିବ ବୋଲି ‘ଅର୍ଗାନାଇଜେସନ୍‌ ଅଫ୍‌ ପ୍ୟାରେଣ୍ଟ୍‌ ଆସୋସିଏସନ୍‌ସ୍‌ ଫୋରମ୍‌ (ଓପାଫ୍‌)’ର ଦ୍ବିତୀୟ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଯେକୌଣସି ବେପାର ହେଉନା କାହିଁକି ପଞ୍ଜୀକୃତ ହେବା ଦରକାର। ସରକାରୀ ନିୟମ ମାନି ଚାଲିବା ଆବଶ୍ୟକ। ‌ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସରକାରୀ ନିୟମ ମାନି ଚଳିବା ଉଚିତ୍‌। ସରକାର ଏଥିପାଇଁ ରେଗୁଲେଟାରି ଆକ୍ଟ ଆଣିବା ଦରକାର। ତାହା କିଭଳି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଦିଗରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେ ଆହୁରି କହିଲେ ଗ୍ରାହକମାନେ ଚାହିଁଲେ ବଜାରକୁ ନିୟନ୍ତ୍ରଣ କରିପାରିବେ। ସେହି ଦୃଷ୍ଟିରୁ ଦେଖିଲେ ଘରୋଇ ଶିକ୍ଷାନୁଷ୍ଠାନରେ ଫି’ ବୃଦ୍ଧି ପାଇଁ ଅଭିଭାବକମାନେ ମଧ୍ୟ କିଛି ପରିମାଣରେ ଦାୟୀ। ସେମାନେ ଯଦି ନିଜ ପିଲାମାନଙ୍କୁ ଅତିକମ୍‌ରେ ଗୋଟିଏ ବର୍ଷ ପା‌ଇଁ ସରକାରୀ ବିଦ୍ୟାଳୟକୁ ପଠାନ୍ତେ ତେବେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ଦୌରାତ୍ମ୍ୟ କମିଯିବ। ସେମାନେ ଆଉ ଫି’ ବୃଦ୍ଧି କରିପାର‌ନ୍ତେ ନାହିଁ। ଏବେ ସମୟ ଆସିଛି ଅଭିଭାବକମାନେ ଏକାଠି ହୁଅନ୍ତୁ। ଆଜି ପ୍ରେକ୍ଷାଳୟରେ ବୈଠକରେ ହୋଇଛି। ଯେଉଁଦିନ ଅଭିଭାବକ ସଚେତନ ହେବେ, ପ୍ରେକ୍ଷାଳୟରେ ଜାଗା ହେବ ନାହିଁ ଓ ଖେଳପଡ଼ିଆରେ ବୈଠକ ହେବ ସେଦିନ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ। ଆଉ ଶିକ୍ଷା ବ୍ୟବସାୟୀଙ୍କ ମନମାନି କଥା ଉଠିବ ନାହିଁ।

ଓପାଫ୍‌ର ସଭାପତି ଗଗନ ବିହାରୀ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ରବି ଦାସ ଓ ଶିକ୍ଷାବିତ୍‌ କମଳାକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ଓପାଫ୍‌ର କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୁସୂଦନ ବିଶ୍ବାଳ, ପ୍ରଫେସର ସୁରେନ୍ଦ୍ରନାଥ ରଥ, ଯୁଗ୍ମ ସମ୍ପାଦକ ଅମରେଶ ମହାପାତ୍ର, ସତ୍ୟନାରାୟଣ ମହାପାତ୍ର ଓ ଅଜୟ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଂପାଦିକା ମୀତାରାଣୀ ସାହୁ ଧନ୍ୟବାଦ ଦେଇଥିଲେ ଓ ଶୁଭୋଜିତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର