କ୍ୟାପିଟାଲ ହସ୍ପିଟାଲରେ ଖୋଲିପାରେ ଗୋଟିଏ ବେଳା ଓପିଡି, ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଅଧିକ ଡାକ୍ତର ଥିବା ବିଭାଗରେ ରୋଟେସନ୍‌ ଡ୍ୟୁଟି, ରୋଗୀ, ଆଟେଣ୍ଡାଣ୍ଟଙ୍କୁ ମିଶାଇ ୩ ପଜିଟିଭ୍

ଭୁବନେଶ୍ବର:କ୍ୟାପିଟାଲ ହସ୍ପିଟାଲରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବିଭାଗରୁ ରୋଗୀ, ଆଟେଣ୍ଡାଣ୍ଟ ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି। ଅସ୍ଥିଶଲ୍ୟ ବିଭାଗର ୨ଜଣ ଆଟେଣ୍ଡାଣ୍ଟଙ୍କ ସମେତ ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପୂର୍ବଭଳି ହସ୍ପିଟାଲରେ ଓପିଡି ଖୋଲିବା ହସ୍ପିଟାଲ କର୍ତୃପକ୍ଷଙ୍କ ପାଇଁ ଦିନକୁ ଦିନ କଷ୍ଟକର ହୋଇପଡ଼ୁଛି। ତେଣୁ ଆଗକୁ ହସ୍ପିଟାଲରେ କେବଳ ଗୋଟିଏ ବେଳା ଓପିଡି ଖୋଲିବା ନେଇ ହସ୍ପିଟାଲ କର୍ତୃପକ୍ଷ ବିଚାର କରୁଛନ୍ତି। ଯଦି ଠିକ୍ ଭାବେ ଏହାର ରୂପାୟନ ହୁଏ, ତାହାଲେ ଆସନ୍ତା ସୋମବାର/ମଙ୍ଗଳବାରଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ଯେଉଁ ବିଭାଗରେ ଅଧିକ ସଂଖ୍ୟକ ଡାକ୍ତର ରହିଛନ୍ତି, ସେସବୁ ବିଭାଗରେ ରୋଟେସନ୍ ଭାବେ ସଂପୃକ୍ତ ଡାକ୍ତରମାନଙ୍କୁ ଆସିବା ଲାଗି କୁହାଯିବ। ଫଳରେ ସବୁ ଡାକ୍ତର ଓ କର୍ମଚାରୀ ଏକକାଳୀନ ସଂକ୍ରମିତ କିମ୍ବା ସଙ୍ଗରୋଧରେ ଯିବା ସମସ୍ୟାକୁ ଦୂର କରାଯାଇ ପାରିବ।

ଆଜି ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ୯ଜଣ ଆସିଛନ୍ତି। ଏହାସହ ସଂପୃକ୍ତ ବିଭାଗର ଓଟିକୁ ବିଶୋଧନ ପାଇଁ ୪୮ଘଣ୍ଟା ଲାଗି ବନ୍ଦ କରି ଦିଆଯାଇଛି। ତେବେ ଗତକାଲି ଦୁଇଜଣ ଆଟେଣ୍ଡାଣ୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ଏବେ ପଜିଟିଭ୍‌ଙ୍କ ସଂଖ୍ୟା ୨୦ରୁ ଅଧିକ ହୋଇଯାଇଛି। ଏହା ପୂର୍ବରୁ ହୃଦ୍‌ରୋଗ ଓ ଭେଷଜ ବିଭାଗରୁ ଡାକ୍ତର ଓ ରୋଗୀ ପଜିଟିଭ୍ ଚିହ୍ନଟ ହେବା କାରଣରୁ ଏହାକୁ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। ଏବେ ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ଗୋଟିଏ ବେଳା ଓପିଡି ଖୋଲିବା ନେଇ ଆଲୋଚନା ଚାଲିଛି। ହସ୍ପିଟାଲରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ି ଚାଲିଛି, ଏଭଳି ନିଷ୍ପତ୍ତି ନେବା ପାଇଁ କର୍ତୃପକ୍ଷ ଏକପ୍ରକାର ବାଧ୍ୟ ହୋଇପାରନ୍ତି। ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ହୋଇନାହିଁ। ଆସନ୍ତା ୨ଦିନ ରୋଗୀଙ୍କ ସଂଖ୍ୟାକୁ ଅନୁଧ୍ୟାନ କରାଯିବା ପରେ ହିଁ ପରବର୍ତୀ ସମୟରେ ଏ ସଂପର୍କରେ ନିଷ୍ପତ୍ତି ହୋଇପାରେ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ୨ଜଣ କର୍ମଚାରୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ବିବାଦ ଉପୁଜିଛି। ୨ଦିନ ପୂର୍ବରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଏକ ଘରେ ରହିବା ଲାଗି କୁହାଯାଇଥିଲା। ବିଏମ୍‌ସି ପକ୍ଷରୁ ଆମ୍ବୁଲାନ୍‌ସ ପହଞ୍ଚି ତାଙ୍କୁ ସ୍ଥାନାନ୍ତର କରିବ ବୋଲି ବାରମ୍ବାର କୁହାଯାଇଥିଲା। ହେଲେ ଆମ୍ବୁଲାନ୍‌ସ ଆସି ନ ଥିଲା। ସେମାନଙ୍କ ଖାଇବା ପିଇବା ଲାଗି କୌଣସି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ମାତ୍ର ତାଙ୍କ ସହିତ ଚିହ୍ନଟ ହୋଇଥିବା ଅନ୍ୟ ୩ ଜଣଙ୍କୁ ପୂର୍ବରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଅପରାହ୍‌ଣ ସାଢ଼େ ୪ଟା ସମୟରେ ଦୁହିଁଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର