ଏମ୍ସରେ ଓପିଡି ଖୋଲିଲା: ସ୍ବାଭାବିକ ହେଉନି ଅସ୍ତ୍ରୋପଚାର, ସର୍ଜରି ବିଭାଗର ଶଯ୍ୟା ଓ ଓଟି ସଂଖ୍ୟା ହ୍ରାସ ଯୋଗୁଁ ସମସ୍ୟା

କୋଭିଡ କମୁଛି ; ଅଣକୋଭିଡ ରୋଗୀଙ୍କ ଦୁଃଖ କମୁନି, ବର୍ଷେ ହେଲା ଶିଶୁପୁତ୍ରର ଅସ୍ତ୍ରୋପଚାର ଅପେକ୍ଷାରେ ପରିବାର

ଭୁବନେଶ୍ବର: ଓପିଡି ଖୋଲିଛି; କିନ୍ତୁ ଏମ୍ସ ଭୁବନେଶ୍ବରରେ ସ୍ବାଭାବିକ ହୋଇ ପାରିନାହିଁ ଅସ୍ତ୍ରୋପଚାର ସେବା। କୋଭିଡ୍ ଯୋଗୁଁ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଥିବା ଓଟି ଏବଂ ସର୍ଜରି ବିଭାଗର ଶଯ୍ୟା ସଂଖ୍ୟା ସ୍ବାଭାବିକ ହୋଇ ପାରିନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ କେବଳ ଅତି ଜରୁରୀ ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏଥିଯୋଗୁଁ ମାସମାସ ଧରି ଅସ୍ତ୍ରୋପଚାରକୁ ଅପେକ୍ଷା କରିଥିବା ରୋଗୀଙ୍କ ଯନ୍ତ୍ରଣା ବୃଦ୍ଧି ପାଇଛି। ପୂର୍ବରୁ ମଧ୍ୟ ଶଯ୍ୟା ତୁଳନାରେ ରୋଗୀ ସଂଖ୍ୟା ଅଧିକ ଥିବାରୁ ସାଧାରଣ ଅସ୍ତ୍ରୋପଚାର ପାଇଁ ୩ରୁ୪ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ବର୍ତ୍ତମାନ ଅପେକ୍ଷାର ଅବଧି କାହିଁରେ କେତେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଶିଶୁ ଅସ୍ତ୍ରୋପଚାର ବିଭାଗର ଜଣେ ଅଭିଭାବକ ନିଜ ପୁଅର ଅସ୍ତ୍ରୋପଚାର ପାଇଁ ପ୍ରାୟ ଏକ ବର୍ଷ ହେଲା ଅପେକ୍ଷା କରିଥିବା କହିଛନ୍ତି।

ଦିଲ୍ଲୀ ଡାକ୍ତରଖାନାରେ ୪ ବର୍ଷର ବିରାଜ ସିଂ (୪)ଙ୍କ ଅସ୍ତ୍ରୋପଚାର ବିଫଳ ହେବା ସତ୍ତ୍ବେ ଏମ୍ସ ଭୁବନେଶ୍ବର ସେମାନଙ୍କ ପାଇଁ ନୂତନ ଆଶାର କିରଣ ପାଲଟିଥିଲା। ବିଭାଗୀୟ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ବିରାଜଙ୍କ ଅବସ୍ଥାରେ ଉନ୍ନତି ହୋଇଥିଲା। ୨୦୨୦ ମସିହା ଫେବ୍ରୁଆରି ମାସରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ତାରିଖ ଦେଇଥିଲେ। ମାତ୍ର ସେତେବେଳେ କରୋନା ଆରମ୍ଭ ହେବାରୁ ଅସ୍ତ୍ରୋପଚାର ସମ୍ଭବ ହେବ ନାହିଁ ବୋଲି କୁହାଗଲା। ଗୋଟିଏ ମାସ ପରେ ଏମ୍ସ ଓପିଡି ସମେତ ସମୁଦାୟ ଡାକ୍ତରଖାନା ଅଣକୋଭିଡ ରୋଗୀଙ୍କ ପାଇଁ ବନ୍ଦ ହୋଇଗଲା। ୨୦୨୦ ମସିହାରେ ସେପ୍ଟେମ୍ବରରେ ପୁଣି ଓପିଡି ଖୋଲିବା ପରେ ଡାକ୍ତରଖାନାରେ ଅପେକ୍ଷାରେ ଥିବା ରୋଗୀଙ୍କ ସଂଖ୍ୟା ଏତେ ଥିଲା ଯେ ଅସ୍ତ୍ରୋପଚାର ପାଇଁ ୨୦୨୧ ମସିହା ଏପ୍ରିଲ ମାସ ଶେଷ ସପ୍ତାହ ବେଳକୁ ତାଙ୍କ ତାରିଖ ମିଳିଲା। ତେବେ ଦ୍ବିତୀୟ ଲହର କୋଭିଡ ଯୋଗୁଁ ପୁଣି ଓଟି ବନ୍ଦ ହୋଇଗଲା। ପ୍ରଥମେ ମେ’ ପରେ ଜୁନ ମାସରେ ଅସ୍ତ୍ରୋପଚାର ପାଇଁ କୁହାଗଲା। ବର୍ତ୍ତମାନ ମଧ୍ୟ ଏମ୍ସରେ ଅସ୍ତ୍ରୋପଚାର ସ୍ବାଭାବିକ ହୋଇନଥିବାରୁ ୨ ସପ୍ତାହ ପରେ ଯାଇ ତାରିଖ ପାଇଁ ଆଲୋଚନା କରିବାକୁ ଡାକ୍ତର କହିଛନ୍ତି।

ଅସ୍ତ୍ରୋପଚାର ଅପେକ୍ଷାରେ ଥିବା ଅଧିକାଂଶ ରୋଗୀଙ୍କ ବର୍ତ୍ତମାନ ଏହିଭଳି ସ୍ଥିତି ରହିଛି। ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୨ ମସିହା ଏମ୍ସ ଉଦ୍‌ଘାଟନ ସମୟରେ ଏଠାରେ ୨୬ଟି ଓଟି ଥିଲା। ୨୦୧୭ରେ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରେ ୩୦ଟି ଓଟି କରିବା ପାଇଁ ଲକ୍ଷ୍ୟ ରହିଥିଲା। ୨୦୨୦ ମହାମାରୀ ପୂର୍ବରୁ ଏଠାରେ ପ୍ରତିଦିନ ୧୫ଟି ଓଟି ଜରିଆରେ ସମୁଦାୟ ୬୦ଟି ଅସ୍ତ୍ରୋପଚାର ହେଉଥିଲା। ୨୦୨୧ ମସିହା ମାର୍ଚ ମାସରେ ୨୫ଟି ଓଟି କାର୍ଯ୍ୟକ୍ଷମ କରାଯାଇଥିଲା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ପ୍ରତିଦିନ ଏଠାରେ ଆସୁଥିବା ୩ରୁ୪ ହଜାର ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦୦ ଜଣଙ୍କ ଅସ୍ତ୍ରୋପଚାରର ଆବଶ୍ୟକ ହୁଏ। ଏଥିମଧ୍ୟରୁ କର୍କଟ ରୋଗ, ହୃଦରୋଗ, ଅସ୍ଥିଶଲ୍ୟ, ଟ୍ରମା ଆଣ୍ଡ ଏମାରଜେନ୍ସି, ନ୍ୟୁରୋସର୍ଜରି, ୟୁରୋସର୍ଜରି, ଆଖି, ଇଏନଟି, ଶିଶୁ, ସାଧାରଣ ସର୍ଜରି, ପ୍ଲାଷ୍ଟିକ ସର୍ଜରି ସମେତ ସବୁ ସୁପର ସ୍ପେସାଲିଷ୍ଟ ବିଭାଗରେ ଅସ୍ତ୍ରୋପଚାର ହୁଏ। ୨୦୧୭ ମସିହାରେ ଏଠାରେ ୭୭୦୯, ୨୦୧୮ ମସିହାରେ ୮୭୩୮, ୨୦୧୯ ମସିହାରେ ୯୫୪୨ ଅସ୍ତ୍ରୋପଚାର ହୋଇଥିଲା। ମାତ୍ର କୋଭିଡ ପରେ ଓଟି ସଂଖ୍ୟା ୭କୁ ହ୍ରାସ କରାଯିବାରୁ ଅସ୍ତ୍ରୋପଚାର ସଂଖ୍ୟା କମିଯାଇଛି। ୨୦୨୦ ମସିହା ମାର୍ଚ ମାସରେ କେବଳ ଅତି ଜରୁରୀ ଅସ୍ତ୍ରୋପଚାର ହେଲା। ଏହି ବର୍ଷ ମେ ମାସରେ ୪୫୧, ଜୁନ ମାସରେ ୫୯୦, ଜୁଲାଇରେ ୩୦୭ଟି ଅସ୍ତ୍ରୋପଚାର ହୋଇଛି।

ପ୍ରଥମ ଲହର ସ୍ଥିତି ସ୍ବାଭାବିକ ହେବା ପରେ ଅସ୍ତ୍ରୋପଚାର ବଢିଲା। ଚଳିତ ବର୍ଷ ଜାନୁଆରିରେ ୯୮୦, ଫେବ୍ରୁଆରିରେ ୧୦୮୮, ମାର୍ଚରେ ୧୩୧୮ଟି ଅସ୍ତ୍ରୋପଚାର ହୋଇଥିବାବେଳେ ଏପ୍ରିଲରେ ଦ୍ବିତୀୟ ଲହର ଆରମ୍ଭ ହୋଇଯିବାରୁ ଅସ୍ତ୍ରୋପଚାର ହ୍ରାସ ପାଇଥିଲା। ଏପ୍ରିଲରେ ୮୦୫ଟି ଅସ୍ତ୍ରୋପଚାର ହୋଇଥିବାବେଳେ ମେ’ ମାସରେ ୩୧୫ଟି, ଜୁନ ମାସରେ ୪୩୫ ଜରୁରୀ ଅସ୍ତ୍ରୋପଚାର ହୋଇଥିଲା। ଜୁଲାଇରେ ଓପିଡି ଖୋଲିବା ପରେ ଅସ୍ତ୍ରୋପଚାର ସାମାନ୍ୟ ବୃଦ୍ଧି ପାଇଥିଲେ ବି ଆବଶ୍ୟକ ଓଟି, ଶଯ୍ୟା ଅଭାବରୁ ଏହା ସ୍ବାଭାବିକ ହୋଇ ପାରିନାହିଁ। କେବଳ ଅତିଜରୁରୀ ଅସ୍ତ୍ରୋପଚାର ହେଉଛି। ଉଦାହରଣ ସ୍ବରୂପ ଶିଶୁ ଅସ୍ତ୍ରୋପଚାର ବିଭାଗରେ ସମୁଦାୟ ୩୦ଟି ଶଯ୍ୟା ରହିଥାଏ। ମହାମାରୀ ପୂର୍ବରୁ ୬ଟି ଓଟିରେ ସପ୍ତାହରେ ୨୫ରୁ ୩୦ ଅସ୍ତ୍ରୋପଚାର ହେଉଥିଲା। ବର୍ତ୍ତମାନ କେବଳ ୨ଟି ଓଟିରେ ସର୍ବାଧିକ ୧୦ଟି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏଥିଯୋଗୁଁ ଅସ୍ତ୍ରୋପଚାର ପାଇଁ ଅପେକ୍ଷାରେ ଥିବା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ହୃଦରୋଗ ସର୍ଜରି (କାଡିଓଥେରାସିସ) ପାଇଁ ଏମ୍ସ ଉପରେ ରୋଗୀ ସର୍ବାଧିକ ନିର୍ଭରଶୀଳ। ରାଜ୍ୟର ଭିମସାର, ଏମ୍‌କେସିଜିରେ ହୃଦରୋଗ ସର୍ଜରି ସୁବିଧା ନାହିଁ। ଏସସିବି ମଧ୍ୟ କେବଳ ଜଣେ ମାତ୍ର ଡାକ୍ତରଙ୍କ ଭରସାରେ ଚାଲିଛି। ଗୁରୁତର ରୋଗୀ ଜରୁରୀ ଅସ୍ତ୍ରୋପଚାର ପାଇଁ ଏଠାକୁ ଆସିଥାଆନ୍ତି। ପୂର୍ବରୁ ଏଠାରେ ସମୁଦାୟ ୩୦ଟି ଶଯ୍ୟା ଥିଲା। ସପ୍ତାହରେ ୫ଟି ଅସ୍ତ୍ରୋପଚାର କରାଯାଉଥିଲା। ବର୍ତ୍ତମାନ କେବଳ ଶଯ୍ୟା ସଂଖ୍ୟା ୧୫କୁ ହ୍ରାସ କରାଯାଇଛି ଏବଂ ଦୈନିକ ମାତ୍ର ୨ଟି ଅସ୍ତ୍ରୋପଚାର ହେଉଛି। ବର୍ତ୍ତମାନ ମଧ୍ୟ ଜରୁରୀ ଅସ୍ତ୍ରୋପଚାର ଯଥାଶୀଘ୍ର କରିବା ପାଇଁ ଡାକ୍ତର ଚେଷ୍ଟା କରୁଥିଲେ ମଧ୍ୟ ଆବଶ୍ୟକ ଶଯ୍ୟା ଏବଂ ଓଟି ଅଭାବ ଏଥିରେ ବାଧକ ହେଉଛି।

ସମ୍ବନ୍ଧିତ ଖବର