ଏମ୍‌ସରେ ବନ୍ଦ ହେବ ଓପିଡି, ବଢ଼ିଲା ଅଣକୋଭିଡ୍‌ ରୋଗୀଙ୍କ ଦୁର୍ଦ୍ଦଶା

ଗୋଟିଏ ବର୍ଷରେ ୩ଥର ବାତିଲ ହେଲାଣି ମାମୁନିଙ୍କ ଅସ୍ତ୍ରୋପଚାର

ଭୁବନେଶ୍ବର : ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ତାରିଖ ମିଳିବା ଯେ କେତେ କଷ୍ଟକର, ତାହା ଭୁକ୍ତଭୋଗୀ ହିଁ ଜାଣେ। ଡାକ୍ତରଙ୍କୁ ଦେଖାଇବା ପରେ ଅସ୍ତ୍ରୋପଚାର ପାଇଁ ଅତି କମ୍‌ରେ ୩ମାସ ଅପେକ୍ଷା କରିବାକୁ ପଡ଼େ। କରୋନା ଏମିତି ଅବସ୍ଥା କରୁଛି ଯେ ତାରିଖ ପାଇ ମଧ୍ୟ କୋଭିଡ୍‌ ଯୋଗୁଁ ଭଦ୍ରକ ଜିଲ୍ଲା ଥାଇରଏଡ୍‌ ପୀଡ଼ିତା ମାମୁନି ମଲ୍ଲିକ(୩୦)ଙ୍କ ଅସ୍ତ୍ରୋପଚାର ଗୋଟିଏ ବର୍ଷରେ ୩ଥର ବାତିଲ ହେଲାଣି। ପ୍ରଥମେ ୨୦୨୦ ମସିହାର ଫେବ୍ରୁଆରି, ପରେ ମାର୍ଚ ମାସରେ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ସରିଥିଲେ ବି ଶେଷ ମୁହୂର୍ତ୍ତରେ କୋଭିଡ୍‌ ଯୋଗୁଁ ବାତିଲ ହେଲା। ଚଳିତ ବର୍ଷ ଏପ୍ରିଲ ୨୨ ତାରିଖରେ ଇଏନ୍‌ଟି ବିଭାଗରେ ତାଙ୍କ ଆଡମିସନ ତାରିଖ ଥିଲା। ଏହାପରେ ଅସ୍ତ୍ରୋପଚାର ହୋଇଥାଆନ୍ତା। ମାମୁନି ଏଥିପାଇଁ ନିର୍ଧାରିତ ସମୟରେ ଆସି ପହଞ୍ଚି ଯାଇଥିଲେ ବି ତାଙ୍କର ଆଡ୍‌ମିସନ ହେଲାନି, ଅସ୍ତ୍ରୋପଚାର ପୁଣିଥରେ ଝୁଲି ରହିଲା। ବର୍ତ୍ତମାନର ସୃଷ୍ଟି ହୋଇଥିବା କୋଭିଡ୍‌ ପରିସ୍ଥିତିରେ ଅଣକୋଭିଡ୍‌ ରୋଗୀଙ୍କ ଦୁର୍ଦଶା କେମିତି ବଢ଼ିଛି, ମାମୁନି ତାହାର ଏକ ଉଦାହରଣ।

ରାଜଧାନୀରେ କରୋନା ହୁ ହୁ ‌ହୋଇ ବଢ଼ିବା ପରେ ଏମ୍ସକୁ ଘାରିଛି କୋଭିଡ ସଂକ୍ରମଣ ଭୟ।ଏଥିଯୋଗୁଁ ଜରୁରୀ ଚିକିତ୍ସା ବ୍ୟତୀତ ସୋମବାରଠାରୁ ବନ୍ଦ ହୋଇଯିବ ଓପିଡି ସମେତ ସବୁ ସମସ୍ତ ବିଭାଗର ସ୍ବାସ୍ଥ୍ୟ ସେବା। ଏହି ସମାନ ପରିସ୍ଥିତି ଯୋଗୁଁ ୨୦୨୦ ମସିହା ମାର୍ଚ ମାସରେ ମଧ୍ୟ ୭ ମାସ ପାଇଁ ଡାକ୍ତରଖାନାର ଅଣକୋଭିଡ୍‌ ରୋଗୀ ସେବାକୁ ବନ୍ଦ କରାଯାଇଥିଲା। ଉଭୟ ବର୍ଷରେ ସମାନ ପରିସ୍ଥିତିର ଶିକାର ହୋଇଥିବା ରୋଗୀ ହେଉଛନ୍ତି ମାମୁନି। ସେ କହନ୍ତି, ପ୍ରାୟ ୨ ବର୍ଷ ହେବ ସେ ଥାଇରଏଡ୍‌ରେ ପୀଡ଼ିତ ହେଲେଣି। ବର୍ତ୍ତମାନ ସ୍ଥିତି ଏଭଳି ଯେ ତଣ୍ଟି ଅସମ୍ଭବ ଭାବେ ଫୁଲି ଯାଇଛି। ଗୋଟିଏ ବର୍ଷ ଧରି ବିଭିନ୍ନ ଡାକ୍ତରଖାନା ବୁଲିବା ପରେ ମଧ୍ୟ ସୁସ୍ଥ ହେଲେନି। ଏମ୍ସରେ ଚିକିତ୍ସା ଆରମ୍ଭ ପରେ ଆଶ୍ବସ୍ତି ମିଳିବ ବୋଲି ଆଶା ଥିଲା। ମାତ୍ର କୋଭିଡ ସବୁ କିଛି ବରବାଦ କରିଦେଲା। ଗତବର୍ଷ ଫେବ୍ରୁଆରି ମାସରେ ଡାକ୍ତର ଅସ୍ତ୍ରୋପଚାର ପାଇଁ ଓଟିକୁ ନେଇଗଲେ। ସାଲାଇନ ଲଗାଯାଇଥିଲା, ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା। ତେବେ କାହିଁକି କେଜାଣି ଅଚାନକ ଅସ୍ତ୍ରୋପଚାର ହୋଇ ପାରିବ ନାହିଁ କହି ଡାକ୍ତର ଓଟିରୁ ବାହାରକୁ ଆଣି ଆସିଲେ। ମାର୍ଚ ୨୨ ତାରିଖରେ ପୁଣିଥରେ ଅସ୍ତ୍ରୋପଚାର ତାରିଖ ଦିଆଗଲା। କରୋନା ଯୋଗୁଁ ଲକ୍‌ଡାଉନ୍‌ ହୋଇଯିବାରୁ କିଛି ହୋଇ ପାରିଲା ନାହିଁ। ଅନେକ ମାସ ଧରି ସେହିଭଳି ପରିସ୍ଥିତି ଲାଗି ରହିଲା। ଏଣେ ମାମୁନିଙ୍କ ଦୁଃଖ ବଢିବାରେ ଲାଗିଲା। ଏମ୍ସ ସ୍ବଭାବିକ ହେବା ପରେ ଜାନୁଆରି ମାସରେ ପୁଣି ଦେଖାଇବା ପରେ ଡାକ୍ତରଙ୍କ ପରାମର୍ଶରେ ପୁନର୍ବାର ଆଉ ଥରେ ସବୁ ଟେଷ୍ଟ ହୋଇଥିଲା। ମାର୍ଚ ମାସରେ ଡାକ୍ତରଙ୍କୁ ଦେଖାଇବା ପରେ ଏପ୍ରିଲ ୨୨ ତାରିଖରେ ଇଏନ୍‌ଟି ବିଭାଗରେ ଆଡ୍‌ମିସନର ତାରିଖ ଦିଆଯାଇଥିଲା। କିନ୍ତୁ ଗତକାଲି ୨୨ ତାରିଖରେ ପହଞ୍ଚିବା ବେଳକୁ ତାଙ୍କୁ ଆଡମିସନ ନିଆଗଲାନି। ତାଙ୍କର କୋଭିଡ ଟେଷ୍ଟ ହୋଇ ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତର ଚିକିତ୍ସା କଲେ। କିନ୍ତୁ ଅସ୍ତ୍ରୋପଚାର କେବେ ହେବ ଏହାକୁ ନେଇ କିଛି ସ୍ପଷ୍ଟ କରୁନାହାନ୍ତି। ୨୪ ଓ ୨୫ ତାରିଖରେ ଭୁବନେଶ୍ବର ସଟ୍‌ଡାଉନ୍‌ ରହିବ। ଏହା ସତ୍ତ୍ବେ ଡାକ୍ତରଖାନାରେ ରହି ମାମୁନି ଆସନ୍ତାକାଲି ଡାକ୍ତରଙ୍କୁ ଦେଖାଇବେ। ଅସ୍ତ୍ରୋପଚାର ନହେଲେ କଣ କରିବେ କିଛି କହିପାରୁ ନାହାନ୍ତି ମାମୁନି। କେବଳ ଚିକିତ୍ସା ବ୍ୟବସ୍ଥା ନେଇ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଯାହା।

ସମ୍ବନ୍ଧିତ ଖବର