ଆହାର ଖୋଲ ହେ…

ଭୁବନେଶ୍ବର: ବାତ୍ୟାରେ ଘର ଭାଙ୍ଗି ଯାଇଛି। ଆଜବେଷ୍ଟସ ପକେଇବାକୁ ଲୋକ ମିଳୁନାହାନ୍ତି। ଭଙ୍ଗା ଘରେ ଜରି ପାଲ ପକେଇ ରହିବାକୁ ପଡ଼ୁଛି। ପୁଣି ଖରା ଦାଉ ସାଧୁଛି। ଖରା କୋପରେ ଦେହମୁଣ୍ଡ ସିଝି ଯାଉଛି। ‌ଏ ଅସମୟରେ ‘ଆହାର’ କେନ୍ଦ୍ରଟା ଖୋଲା ଥିଲେ ଗଣ୍ଡେ ଭାତ ପେଟକୁ ଯାଆନ୍ତା। ହେଲେ ସେତକ ବି ସମ୍ଭବ ହେଉନି ବୋଲି କହିଛନ୍ତି ସାଲିଆ ସାହିର ଜଗତ ମାଝି। ରାଜଧାନୀରେ ବାତ୍ୟା ଯନ୍ତ୍ରଣାର ଚିତ୍ରକୁ ନଜର ପକାଇବା ବେଳେ ‌ଯେବେ ନୂଆପଲ୍ଲୀ ଦୁର୍ଗାମଣ୍ଡପ ନିକଟରେ ଥିବା ଆହାର କେନ୍ଦ୍ର ଦ୍ବାର ନିକଟରେ ଜଗତଙ୍କୁ ଭେଟିଲୁ ସେ ନିଜର କ୍ଷୁଧାର୍ଥ ଅଭିବ୍ୟକ୍ତିକୁ ଏହିପରି ବଖାଣିଥିଲେ।

ବାସ୍ତବରେ ଏହା କେବଳ ଜଗତଙ୍କର ସମସ୍ୟା ନୁହେଁ, ଆହାର କେନ୍ଦ୍ର ଉପରେ ନିର୍ଭର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସମାନ ପ୍ରତିକ୍ରିୟା। ତାଙ୍କଠାରୁ ବୁଝିବା ପରେ ଜଣାପଡ଼ିଲା, ବସ୍ତିରେ ପ୍ରାୟ ଅଧିକାଂଶ ପୁରୁଷ ଓ ମହିଳା ଦିନରେ କାମକୁ ପଳାନ୍ତି। ତେଣୁ ତାଙ୍କ ପିଲାମାନେ ଏବଂ ଘରର ବୃଦ୍ଧମାନଙ୍କ ପାଇଁ ଏହି ଆହାର କେନ୍ଦ୍ର ହିଁ ଭରସା ଥିଲା। ଅନ୍ୟ ଦୃଷ୍ଟିରୁ ଦେଖିଲେ ଏବେ ବହୁ ବସ୍ତି ବାସିନ୍ଦାଙ୍କ ଘର ଭାଙ୍ଗି ଯାଇଥିଲେ ହେଁ ସେମାନଙ୍କ ଭଙ୍ଗା ଘର ସର୍ଭେ ହୋଇନଥିବାରୁ ଅନେକ ଜାଣିଶୁଣି ନିଜ ଘର ସଜାଡ଼ି ନାହାନ୍ତି। ଏଣେ ଖୋଲା ଘର ଯୋଗୁଁ ଘର ଛାଡ଼ି ଅନେକ କାମଧନ୍ଦା କରିବାକୁ ଯାଇ ପାରୁନାହାନ୍ତି। ତେଣୁ ଆହାର ଉପରେ ନିର୍ଭରଶୀଳ ହୋଇଯାଇଥିବା ଗରିବ ଶ୍ରେଣୀର ଲୋକଙ୍କ ପେଟକୁ ଏହା ଲାତ ମାରିବା ସଦୃଶ ହୋଇଛି।

ଖାଲି ସେତିକି ନୁହେଁ, ଅନେକ ହୋଟେଲ୍‌ ବି ଏପର୍ଯ୍ୟନ୍ତ ଖୋଲି ନାହିଁ। ଦିନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହୁଥିବାରୁ ଅନେକ ଏ ଅସହ୍ୟ ଗରମରେ ହୋଟେଲ୍‌ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି। ପୁଣି ଯେଉଁମାନେ ହୋଟେଲ୍‌ ଖୋଲୁଛନ୍ତି, ସେମାନଙ୍କର ଖାଦ୍ୟ ଶୀଘ୍ର ସରିଯାଉଛି। ହେଲେ ଏଭଳି ଅସମୟରେ ରାଜଧାନୀରେ ଥିବା ୧୧ଟି ଆହାର କେନ୍ଦ୍ରକୁ ବନ୍ଦ ରଖାଯାଇଛି। ମିଳିଥିବା ସୂଚନା ମୁତାବକ, ଆହାର କେନ୍ଦ୍ରକୁ ଭାତ ଡାଲମା ପ୍ରସ୍ତୁତ କରି ଯୋଗାଉଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଅନୁଷ୍ଠାନ ଖାଦ୍ୟ ଯୋଗାଇ ପାରୁନାହିଁ। ତେବେ ଏହି ଆଳରେ ଅସମୟରେ କୌଣସି ବିକଳ୍ପ ବାହାର ନକରି ଆହାର କେନ୍ଦ୍ରଗୁଡ଼ିକୁ ବନ୍ଦ କରିଦେବା ଅନେକ ହଜମ କରିପାରୁନାହାନ୍ତି। ସ୍ମାର୍ଟ ବୈଷୟିକ ସୁବିଧାର ଉପଯୋଗ କରିବା ପରିବର୍ତ୍ତେ ଆହାର କେନ୍ଦ୍ରକୁ ଏ ସମୟରେ ଏତେ ଦିନ ବନ୍ଦ କରିଦେବା କି ପ୍ରକାରର ସ୍ମାର୍ଟ ସହରର ଲକ୍ଷଣ ବୋଲି ରନ୍ଧା ଖାଦ୍ୟରୁ ବଞ୍ଚିତ ଅନେକ ବ୍ୟକ୍ତିଙ୍କ ପ୍ରଶ୍ନ କରିଛନ୍ତି।

ପୁରୀରୁ ଆସି ଭୁବନେଶ୍ବରରେ ରହୁଥିବା ଦୀନବନ୍ଧୁ ସାହୁ କହିଛନ୍ତି, ମୁଁ ଏଠାରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ଜଣଙ୍କ ଶିଡ଼ି ଘରେ ଦେଢ଼ ହଜାର ଟଙ୍କା ଦେଇ ରୁହେ। ସକାଳେ ସନ୍ଧ୍ୟାରେ ଯାହା ଯେମିତି ଚଳିଯାଏ। ଆହାର ଯୋଗୁଁ ମଧ୍ୟାହ୍ନ ଭୋଜନଟା କିନ୍ତୁ ଭଲରେ ହୋଇଯାଏ। ଏବେ ସେ ବେଳେବେଳେ ରୋଷେଇ କରୁଛନ୍ତି, ନଚେତ୍‌ ଶୁଖିଲା ଖାଦ୍ୟ ଖାଇ ରହିଯାଉଛନ୍ତି ବୋଲି କହିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କ୍ୟାପିଟାଲ୍‌ ହସ୍ପିଟାଲ୍‌, ବସ୍‌ଷ୍ଟାଣ୍ଡ୍‌, ମାଷ୍ଟରକ୍ୟାଣ୍ଟିନ୍‌, ନୂଆପଲ୍ଲୀରେ ଯଦି ଆହାର କେନ୍ଦ୍ର ଖୋଲା ଯାଇପାରନ୍ତା ତେବେ ଏ ଅସମୟରେ ଅନେକଙ୍କ କାମରେ ଲାଗି ପାରନ୍ତା।

ସମ୍ବନ୍ଧିତ ଖବର