ଫିଟୁଛି ବାବା ବିଜୟାନନ୍ଦଙ୍କ ଠକେଇ ଗୁମର: ଗଂଜାମର ଠିକାଦାରଙ୍କଠାରୁ ୨୫ଲକ୍ଷ ଚଳୁ

ଆଶ୍ରମରେ ହେଉଥିଲା ଡିଲ୍

ଭୁବନେଶ୍ବର: ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କ ବିରୋଧରେ ଠକେଇ ତାଲିକା ବଢ଼ିବାରେ ଲାଗିଛି। ଗଂଜାମର ଜଣେ ଏ’ କ୍ଲାସ୍ ଠିକାଦାରଙ୍କୁ ଓଟିଡିସିରେ କାମ ଦେବା ବାହାନାରେ ୨୫ଲକ୍ଷ ଚଳୁ କରିଥିବା ଇଓଡବ୍ଲୁ ଏସ୍‌ପି ବି. ଗାଗାରିନ୍ ମହାନ୍ତି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଇଓଡବ୍ଲୁର ତଦନ୍ତକାରୀ ଟିମ୍ ବିଜୟାନନ୍ଦଙ୍କ ଆକାଉଣ୍ଟ୍‌କୁ ଆର୍‌ଟିଜିଏସ୍‌ରେ ଆସିଥିବା ୨ଲକ୍ଷ ଟଙ୍କାକୁ ଜବତ କରିଥିବା ବେଳେ ଦୁଇଟି ଏସ୍‌ବିଆଇ ଆକାଉଣ୍ଟ୍‌କୁ ଅଚଳ ମଧ୍ୟ କରିଛି। ଏସ୍‌ପି ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଧୂର୍ତ୍ତ ବିଜୟାନନ୍ଦ ଓ ଓଟିଡିସି ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତି ଠିକାଦାରମାନଙ୍କୁ ଠକିବା ପାଇଁ ଏକ ଅସାଧୁ ମେଣ୍ଟ କରିଥିଲେ। ବିଶେଷ କରି ଓଟିଡିସିରେ କାମ ଦେବା ବାହାନାରେ ଏମାନେ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ଏଥିପାଇଁ ଓଟିଡିସିର ଆଇବି ଓ ପାନ୍ଥ ନିବାସର ଉନ୍ନତୀକରଣ ପାଇଁ ଜାଲ୍‌ ଡକୁମେଣ୍ଟ୍‌ ଠୁ ଆରମ୍ଭ କରି ଓଟିଡିସିର ଅଫିସିଆଲ୍ ଷ୍ଟାମ୍ପ୍ ଆଦି ନକଲ କରି ରଖିଥିଲେ। ଵାର୍କ ଅର୍ଡରରେ ଅଧ୍ୟକ୍ଷଙ୍କ ଦସ୍ତଖତ ଦରକାର ହେଉଥିବାରୁ ଯନ୍ତ୍ରୀ ଚନ୍ଦନ ଅଧ୍ୟକ୍ଷ ସମେତ ଅନେକ ବରିଷ୍ଠ ପଦାଧିକାରୀଙ୍କ ଦସ୍ତଖତକୁ ଅବିକଳ ନକଲ କରିବାକୁ ଅଭ୍ୟାସ ଚଳାଇଥିଲେ। ଫଳରେ ସେ ଜାଲ୍ ଵାର୍କ ଅର୍ଡରରେ ଓଟିଡିସିର ବରିଷ୍ଠ ପଦାଧିକାରୀଙ୍କ ଦସ୍ତଖତ ନିଜେ କରି ଠିକାଦାରଙ୍କୁ ଦେଉଥିବା ଜଣାପଡ଼ିଛି।

ଏହା ବ୍ୟତୀତ ବାବା ବିଜୟାନନ୍ଦ ଓ ଚନ୍ଦନଙ୍କ ଅସାଧୁ ମେଣ୍ଟରେ ଆହୁରି ଅନେକ ଠକ ସାମିଲ ଥିବା ଓଟିଡିସି ସ୍ପଷ୍ଟ କରିଛି। ବିଜୟାନନ୍ଦ ଗିରଫ ହେବା ଖୁବ୍ କମଦିନ ହୋଇଥିବାରୁ ସେ ଆଉ କାହାକୁ ଠକେଇ କରିଛନ୍ତି ତା’ର ତଦନ୍ତ ଚାଲିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଆବଶ୍ୟକ ହେଲେ ତଦନ୍ତକାରୀ ଟିମ୍ ଆଗାମୀ ଦିନରେ ବିଜୟାନନ୍ଦଙ୍କୁ ରିମାଣ୍ଡରେ ଅଣିବ ବୋଲି ସେ କହିଛନ୍ତି।

ଆଶ୍ରମରେ ହେଉଥିଲା ଡିଲ୍
ଏକ ବିଶେ‌ଷ ସୂତ୍ରରୁ ଜଣାପଡ଼ିଛି, ଚୌଦ୍ବାରରୁ ଢେଙ୍କାନାଳ ଯିବା ରାସ୍ତାରେ ବିଜୟାନନ୍ଦଙ୍କର ଏକ ଆଶ୍ରମ ରହିଛି। ଉକ୍ତ ଆଶ୍ରମରେ ଅନେକ ସମୟରେ ନେତା, ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ବୈଠକ ବାବା ବିଜୟାନନ୍ଦଙ୍କ ସହ ହେଉଥିଲା। ସେଠାରେ କାହାକୁ କାମ ଦିଆଯିବ; କେତେ ଟଙ୍କାର କାମ ଦିଆଯିବ ତା’ ମଧ୍ୟ ଫିକ୍ସ କରାଯାଉଥିଲା। ସେହିଭଳି ଗତ ଫେବ୍ରୁଆରିରେ ଖଣ୍ଡଗିରି ଠାରେ ଆୟୋଜିତ କୁମ୍ଭମେଳାରେ ବାବା ବିଜୟାନନ୍ଦ ଯୋଗ ଦେଇଥିଲେ। ସେଠାରେ ଏକ ଓଡ଼ିଆ ଚଳଚ୍ଚିତ୍ର ‘ବାରହାତ ଖଣ୍ଡା’ର କାହାଣୀ ପୂଜା ହେବା ଅବସରରେ ଧୂର୍ତ୍ତ ବାବା ସେଠାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଠିକାଦାରଙ୍କ ଠାରୁ ଚଳୁ କରିଥିବା ଟଙ୍କା ବାବା ଏହି ଚଳଚ୍ଚିତ୍ର ପାଇଁ ଦେଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର