ମଦ ଦୋକାନ ସାମ୍‌ନା ଓପନ୍‌ବାର

ମତୁଆଲା ମଦ୍ୟପ, ପୁଲିସ ଚୁପ୍‌

ଭୁବନେଶ୍ୱର: ନିୟମ ରହିଛି କେହି ମଦ ଦୋକାନ ସମ୍ମୁଖରେ ମଦ ପିଇ ପାରିବେ ନାହିଁ। ଏପରିକି ମଦ ଦୋକାନ ସମ୍ମୁଖରେ କେହି ଚାଖଣା, ପାଣି ପାଉଚ, ଡିସପୋଜାଲ ଗ୍ଲାସ ମଧ୍ୟ ବିକ୍ରି କରି ପାରିବେ ନାହିଁ। କିନ୍ତୁ ଏହି ନିୟମ କେବଳ କମିସନରେଟ ପୁଲିସର ଖାତା କଲମରେ ରହି ଯାଇଛି। କାରଣ କମିସନରେଟ ପୁଲିସର ଏଭଳି ନିୟମକୁ ଆଉ କେହି ଖାତିର କରୁନାହାନ୍ତି। ମଦ ଦୋକାନ ସମ୍ମୁଖ ଏବେ ପାଲଟି ଯାଇଛି ଓପନବାର। ଖୁଲମ ଖୁଲା ମଦ ଦୋକାନ ଆଗରେ ମଦ ପିଆ ଚାଲିଛି। ଆଉ ଚାଖଣା ପାଇଁ ସିଝା ମଟରଠାରୁ ଆରମ୍ଭ କରି ଚିକେନ ପକୋଡା, ଗ୍ଲାସ ଓ ପାଣି ମଧ୍ୟ ମିଳୁଛି। କାଁ ଭାଁ କେତେବେଳେ ପୁଲିସ ଚଢ଼ଉ କରୁଛି। ପରେ ଅବସ୍ଥା ଯାହାକୁ ସେୟା। ସଂଘାତିକ କଥା ହେଉଛି, କେତେକ ମଦ ଦୋକାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ମଧ୍ୟ ରହୁଛି।
ମିଳିଥିବା ସୂଚନା ମୁତାବକ, ରାଜଧାନୀର ଖାରବେଳନଗର ଥାନା ଅଧୀନ ରାମମନ୍ଦିର ସମ୍ମୁଖ, ମାଷ୍ଟରକ୍ୟାଣ୍ଟିନ୍‌, କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର, ଫାଳିକିଆ ବସ୍ତି ନିକଟ, କଟକ ରୋଡ୍‌ରେ ଥିବା ଏକାଧିକ ମଦଦୋକାନ, ନୂଆପଲ୍ଲୀ, ବରମୁଣ୍ଡା, ୟୁନିଟ-୪, ପଳାସୁଣୀ, ଚନ୍ଦ୍ରଶେଖରପୁର ଭଳି ଏକାଧିକ ମଦ ଦୋକାନ ଆଗରେ ଖୁଲମଖୁଲା ମଦ୍ୟପାନ କରୁଛନ୍ତି। ଲୋକ ମଦ ଦୋକାନ ସମ୍ମୁଖରେ ପାର୍କିଂ କରି କାର୍‌ ଭିତରେ ବସି ମଦ ପିଉଛନ୍ତି। ରାମମନ୍ଦିର ଓ ସିଆରପି ଛକରେ ସ୍ଥିତି ଅସମ୍ଭାଳ। ସତେ ଯେମିତି ମେଳା ଲାଗିଛି। ମଦ୍ୟପାନ ପରେ ମତୁଆଲା ହୋଇ ରାଜଧାନୀରେ ଆତଙ୍କ ସୃଷ୍ଟି କରୁଛନ୍ତି। ତତ୍କାଳୀନ ଡିସିପି ହିମାଂଶୁଲାଲ ମଦୁଆଙ୍କୁ ସାବାଡ଼ କରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ସପ୍ତାହର ଶେଷ ଦିନ ଶନିବାର ଓ ରବିବାର ଏହି ଟିମ୍‌ ରାଜଧାନୀର ବିଭିନ୍ନ ମଦ ଦୋକାନରେ ଚଢ଼ଉ କରି ବେଆଇନ ଭାବେ ମଦ୍ୟପାନ କରୁଥିବା ଯୁବକମାନଙ୍କଠାରୁ ଫାଇନ୍‌ ଆଦାୟ କରୁଥିଲା। ଏପରିକି ମଦ ଦୋକାନ ସମ୍ମୁଖରେ ଉଠା ଦୋକାନ ଖୋଲିବାକୁ ମଧ୍ୟ ସେ ଅନୁମତି ଦେଇ ନ ଥିଲେ। ସେହି ସମୟରେ ମଦ ଦୋକାନ ସମ୍ମୁଖରେ ମଦ ପିଇବାକୁ କେହି ସାହସ ବି କରି ପାରୁ ନ ଥିଲେ। କିନ୍ତୁ ଏବେ ରାଜଧାନୀର ସବୁ ମଦ ଦୋକାନ ଆଗରେ ଚାଖଣାଠାରୁ ଆରମ୍ଭ କରି ସିଝା ମଟର, ଚିକେନ ପକୋଡା, ଗ୍ଲାସ ଓ ପାଣି ମଧ୍ୟ ମିଳୁଛି। ଯାହା ଫଳରେ ସେହିଠାରେ ହିଁ ମଦ ପିଇବାକୁ ସୁବିଧା ହେଉଛି। ବିଗତ ଦିନରେ ଏହି କାରଣରୁ ଗଣ୍ଡଗୋଳ ଘଟିଛି, ଏପରିକି ମଦ ଦୋକାନ ସମ୍ମୁଖରେ ୪ରୁ ଅଧିକ ହତ୍ୟାକାଣ୍ଡ ଘଟିଛି ରାଜଧାନୀରେ। କିଛି ଦିନ ତଳେ ପଳାସୁଣୀ ମଦ ଦୋକାନ ସମ୍ମୁଖରେ ଜଣେ ଯୁବକଙ୍କୁ ନର୍ମମ ହତ୍ୟା କରାଯାଇଥିଲା। କିନ୍ତୁ ଏବେ ପରିସ୍ଥିତି ଅସମ୍ଭାଳ। ଏହି କାରଣର ସାଧାରଣ ଲୋକ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି। ପରିବାର ନେଇ ମଦ ଦୋକାନ ସମ୍ମୁଖରେ ଯିବାକୁ ମଧ୍ୟ ଭୟ ଲାଗୁଛି। ଚୋରା ମଦ ବିକ୍ରିଠାରୁ ଏଭଳି ଖୁଲମଖୁଲା ମଦ୍ୟପାନ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି।

ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଆଉ ମଦ ଦୋକାନ ସମ୍ମୁଖରେ ଚାଖଣା ଦୋକାନ ଖୋଲିବା, ପାଣି ପାଉଚ, ଗ୍ଲାସ ଆଦି ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଖୁବ୍‌ ଶୀଘ୍ର ଏକ ଟିମ୍‌ ଗଠନ କରାଯାଇ ମଦ ଦୋକାନ ସମ୍ମୁଖରେ ଚଢ଼ଉ କରାଯିବ ବୋଲି ଶ୍ରୀ ସାହୁ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର