ମଦ ଦୋକାନ ସାମ୍‌ନା ଖୋଲା ବାର୍‌

ପୁଲିସ ମାତିଛି ବ୍ରାଉନସୁଗାର ଓ ଗଞ୍ଜେଇ ବେପାରୀଙ୍କ ପଛରେ

ଭୁବନେଶ୍ବର: ନିୟମ ରହିଛି ‘ଠିପି ବନ୍ଦ’ ମଦ ଦୋକାନ ସମ୍ମୁଖରେ କେହି ମଦ ପିଇ ପାରିବେ ନାହିଁ। ଏପରିକି ମଦ ଦୋକାନ ସମ୍ମୁଖରେ କେହି ଚାଖଣା, ପାଣି ପାଉଚ, ଡିସପୋଜାଲ ଗ୍ଲାସ ମଧୢ ବିକ୍ରି କରିପାରିବେ ନାହିଁ। କିନ୍ତୁ ଏହି ନିୟମ ଏବେ କେବଳ କମିସନରେଟ୍‌ ପୁଲିସର ଖାତା କଲମରେ ରହି ଯାଇଛି। କାରଣ କମିସନରେଟ ପୁଲିସର ଏଭଳି ନିୟମକୁ ଆଉ କେହି ଖାତିର କରୁନାହାନ୍ତି। ମଦ ଦୋକାନ ସମ୍ମୁଖ ଏବେ ଓପନବାର ପାଲଟୁଛି। ଖୁଲମଖୁଲା ମଦ ଦୋକାନ ଆଗରେ ଠିଆ ହୋଇ ମଦ ପିଆ ଚାଲିଛି। ଆଉ ଚାଖଣା ପାଇଁ ସିଝା ମଟରଠାରୁ ଆରମ୍ଭ କରି ଚିକେନ ପକୋଡା, ସିଝା ଅଣ୍ଡା, ପ୍ଲାଷ୍ଟିକ ଗ୍ଲାସ ଓ ପାଣି ପାଉଚ ମଧୢ ମିଳୁଛି। କାଁ ଭାଁ କେତେବେଳେ ପୁଲିସ ଚଢ଼ଉ କରୁଛି। ପରେ ଅବସ୍ଥା ଯାହାକୁ ସେୟା। ସ˚ଘାତିକ କଥା ହେଉଛି, କେତେକ ମଦ ଦୋକାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି ଏବଂ ସକାଳୁ ସକାଳୁ ନିର୍ଦିଷ୍ଟ ସମୟର ଯଥେଷ୍ଟ ପୂର୍ବରୁ ଖୋଲିଯାଉଛି ମଧ୍ୟ। କମିସନରେଟ୍‌ ପୁଲିସ୍‌ ଏବେ ବ୍ରାଉନସୁଗାର ଓ ଗଞ୍ଜେଇ ଭଳି ନିଶା ବେପାରୀଙ୍କ ପଛରେ ପଡ଼ିଛି। ଏଣେ କିନ୍ତୁ ଅସମ୍ଭାଳ କଲେଣି ମଦ୍ୟପ। ମଦ୍ୟପାନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘୂରି ବୁଲୁଛନ୍ତି।

ମିଳିଥିବା ସୂଚନା ମୁତାବକ, ରାଜଧାନୀର ନୂଆପଲ୍ଲୀ ଥାନା ଅଧୀନ ସିଆରପି ଛକ ପୂର୍ବ ମଦ ଦୋକାନ, ଖାରବେଳନଗର ଥାନା ଅଧୀନ ରାମମନ୍ଦିର ସମ୍ମୁଖ, ମାଷ୍ଟରକ୍ୟାଣ୍ଟିନ୍‌, କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର, ଫାଳିକିଆ ବସ୍ତି ନିକଟ ଓ ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡ୍‌ରେ ଥିବା ଏକାଧିକ ମଦ ଦୋକାନ, ନୂଆପଲ୍ଲୀ, ବରମୁଣ୍ତା, ୟୁନିଟ-୪, ପଳାସୁଣୀ, ଚନ୍ଦ୍ରଶେଖରପୁର ଭଳି ଏକାଧିକ ମଦ ଦୋକାନ ଆଗରେ ଖୁଲମ୍‌ଖୁଲା ମଦ୍ୟପାନ କରୁଛନ୍ତି। ଲୋକ ମଦ ଦୋକାନ ସମ୍ମୁଖରେ କାର୍‌ ପାର୍କିଂ କରି କାର୍‌ ଭିତରେ ବସି ମଦ ପିଉଛନ୍ତି। ସିଆରପି ଛକରେ ସ୍ଥିତି ଅସମ୍ଭାଳ। ସତେ‌ଯେମିତି ମେଳା ଲାଗିଛି। ମଦ୍ୟପାନ ପରେ ମତୁଆଲା ହୋଇ ରାଜଧାନୀରେ ଆତଙ୍କ ସୃଷ୍ଟି କରୁଛନ୍ତି।

ମଦୁଆଙ୍କୁ ସାବାଡ଼ କରିବାକୁ କମିସନରେଟ ପୁଲିସ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ସପ୍ତାହର ଶେଷ ଶନିବାର ଓ ରବିବାର ଏହି ଟିମ୍‌ ରାଜଧାନୀର ବିଭିନ୍ନ ମଦ ଦୋକାନରେ ଚଢ଼ଉ କରି ବେଆଇନ ଭାବେ ମଦ୍ୟପାନ କରୁଥିବା ଯୁବକମାନଙ୍କଠାରୁ ଜରିମାନା ଆଦାୟ କରୁଥିଲା। ଏପରିକି ମଦ ଦୋକାନ ସମ୍ମୁଖରେ ଉଠା ଦୋକାନ ଖୋଲିବାକୁ ମଧ୍ୟ ବେପାରୀଙ୍କୁ ବାରଣ କରାଯାଉଥିଲା। ତେଣୁ ସେହି ସମୟରେ ମଦ ଦୋକାନ ସମ୍ମୁଖରେ ମଦ ପିଇବାକୁ କେହି ସାହସ ବି କରିପାରୁନଥିଲେ। କିନ୍ତୁ ଏବେ ରାଜଧାନୀର ସବୁ ମଦ ଦୋକାନ ଆଗରେ ଚାଖଣାଠାରୁ ଆରମ୍ଭ କରି ସିଝା ମଟର ଚିକେନ୍‌ ପକୋଡା, ଗ୍ଲାସ୍‌ ଓ ପାଣି ମଧୢ ମିଳୁଛି। ଫଳରେ ସେହିଠାରେ ହିଁ ମଦ ପିଇବାକୁ ସୁବିଧା ହେଉଛି। ବିଗତ ଦିନ‌ରେ ଏହି କାରଣରୁ ଗଣ୍ତଗୋଳ ଘଟିଛି, ଏପରିକି ମଦ ଦୋକାନ ସମ୍ମୁଖରେ ୪ରୁ ଅଧିକ ହତ୍ୟାକାଣ୍ତ ଘଟିଛି ରାଜଧାନୀରେ। ଗତ ବର୍ଷ ପଳାସୁଣୀ ମଦ ଦୋକାନ ସମ୍ମୁଖରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। କିନ୍ତୁ ଏବେ ପରିସ୍ଥିତି ଅସମ୍ଭାଳ। ଏହି କାରଣର ସାଧାରଣ ଲୋକ ମଧୢ ତ୍ରାହି ତ୍ରାହି ଡାକିଲେଣି। ପରିବାର ନେଇ ମଦ ଦୋକାନ ସମ୍ମୁଖରେ ଯିବାକୁ ମଧୢ ଭୟ ଲାଗୁଛି। ଚୋରା ମଦ ବିକ୍ରିଠାରୁ ଏଭଳି ଖୁଲମଖୁଲା ମଦ୍ୟପାନ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇଛି।

ଏ ତ ଗଲା ଠିପି ବନ୍ଦ ମଦ ଦୋକାନ କଥା। ରାଜଧାନୀର ବିଭିନ୍ନ ସ୍ଥାନରେ ଏବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେଆଇନ ଭାବେ ମଦ ବିକ୍ରି ହେଉଛି। କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ୟୁକୋ ବ୍ୟାଙ୍କ ଗଳି, ଏକ ନମ୍ବର ମାର୍କେଟ, ଫାଳିକିଆ ବସ୍ତି, ଖାରବେଳନଗର ଥାନା ଅଧୀନ ଶାନ୍ତିନଗର ବସ୍ତି, ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ୍‌ ପଛପଟ ବସ୍ତି, କେତେକ ବାର୍, ନୂଆପଲ୍ଲୀ ସାଲିଆସାହି, ଖଣ୍ଡଗିରିର ବିଭିନ୍ନ ଢ଼ାବା, ୟୁନିଟ-୬ ଗଙ୍ଗନଗର ବିକ୍ରି ହେଉଛି। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଆଉ ମଦ ଦୋକାନ ସମ୍ମୁଖରେ ଚାଖଣା ଦୋକାନ ଖୋଲିବା, ପାଣି ପାଉଚ, ଗ୍ଲାସ୍‌ ଆଦି ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଖୁବ୍‌ ଶୀଘ୍ର ଏକ ଟିମ୍‌ ଗଠନ କରାଯାଇ ମଦ ଦୋକାନ ସମ୍ମୁଖରେ ଚଢ଼ଉ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର