ପ୍ଲାଟ୍‌ଫର୍ମରେ ଓପନ୍‌ ବାର୍‌: ପୁଲିସ କି ରେଳ ପ୍ରଶାସନକୁ ଖାତିର ନାହିଁ

ଭୁବନେଶ୍ବର: ସମୟ ପାଖାପାଖି ରାତି ୯ଟା। ସ୍ଥାନ ରେଲ୍‌ୱେ ପ୍ଲାଟ୍‌ଫର୍ମ। ହଜାର ହଜାର ଲୋକଙ୍କ ଧାଁ ଦଉଡ଼। ଅଥଚ ଏ ଭିଡ଼ ଭିତରେ ଲୋକଟିଏ ନିଜ ପରିବାର ସହ ଆସିଲା। ସାଙ୍ଗରେ ଆଣିଥିବା ମଦ ବୋତଲକୁ ବିନା ଦ୍ବିଧାରେ ଖୋଲିଲା, ପିଇଲା। ଲୋକଙ୍କ ଭିଡ଼ ମଝିରେ ଏଭଳି ଅସ୍ବାଭାବିକ ଆଚରଣ ଦେଖାଉଥିଲେ ହେଁ ତା ମନରେ ଟିକେ ଶଙ୍କା ନଥିଲା। ପୁଲିସ୍‌ଙ୍କୁ ବି ସାମାନ୍ୟ ଡର ନଥିଲା। ବରଂ ନିଜେ ଜରି ପୁଡ଼ିଆରେ କିଣି ଆଣିଥିବା ଖାଦ୍ୟକୁ ସ୍ତ୍ରୀକୁ ବଢ଼େଇ ଦେଇ ବାଢ଼ିବାକୁ ନିର୍ଦେଶ ଦେଲା। ୨ କୁନି ଝିଅ ବି ତାଙ୍କ ସାଙ୍ଗରେ ଖାଇ ବସିଲେ। ଅଥଚ ସମସ୍ତଙ୍କ ସାମ୍ନାରେ ସେ ଢକଢକ କରି ମଦ ପିଇ ଚାଲିଥିଲା। ପ୍ଲାଟ୍‌ଫର୍ମ ତ ନୁହେଁ, ଯେମିତି ଓପନ୍‌ ବାର୍‌। କିଛି ବଞ୍ଜାରାଙ୍କ ଏଭଳି ବ୍ୟବହାର କେବଳ ଗୋଟିଏ ରାତିର ଦୃଶ୍ୟ ନୁହେଁ, ବରଂ ପ୍ରତି ରାତିରେ ଏଠି ଏମିତି ଘଟେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନରେ ବେଲୁନ୍‌ ବିକ୍ରି କରୁଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ରାତିରେ ନିଶାସକ୍ତ ଅବସ୍ଥାରେ ସେମାନଙ୍କ ଆଚରଣ ରେଲ୍‌ୱେ ଷ୍ଟେସନ୍‌ରେ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରୁଛି। କେବଳ ଯେ ମଦ ପିଉଛନ୍ତି, ସେକଥା ନୁହେଁ। କିଛି ବ୍ୟକ୍ତିବିଶେଷ ଓ ଛୋଟ ପିଲା ହାତରେ ଗାମୁଛା ଧରି ଏକ ଅଠାକୁ ଶୁଙ୍ଘିଶୁଙ୍ଘି ଘୂରି ବୁଲୁଛନ୍ତି। ନିଶାରେ ଏତେ ଚୂର ରହୁଛନ୍ତି ଯେ ପାଦ ଠିକ୍‌ରେ ପଡ଼ୁନାହିଁ। ସେଇ ଅବସ୍ଥାରେ ରାତି ସାରା ଷ୍ଟେସନ୍‌ରେ ଚକ୍କର କାଟୁଛନ୍ତି। କେତେବେଳେ କାହାକୁ ଟଙ୍କା ମାଗୁଛନ୍ତି, ପୁଣି କେତେବେଳେ ପ୍ଲାଟ୍‌ଫର୍ମର ଶିଡ଼ିରେ ନଯାଇ ଟ୍ରେନ୍‌ ଲାଇନ୍‌ ଉପରେ ଆଉ ଏକ ପ୍ଲାଟ୍‌ଫର୍ମକୁ ଯାଉଛନ୍ତି। ନିଶାରେ ଚୂର ରହୁଥିବାରୁ ଜୀବନ ମରଣକୁ ବି ତାଙ୍କର ଖିଆଲ ରହୁନାହିଁ। ନିଶାସକ୍ତ ଅବସ୍ଥାରେ ସେମାନଙ୍କ ଅସ୍ବାଭାବିକ ଆଚରଣ ଅନ୍ୟମାନଙ୍କ ମନରେ କେବଳ ଭୟ ସଞ୍ଚାର କରୁନାହିଁ, ବରଂ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରୁଛି। କିଛି ଦିନ ତଳେ ବଞ୍ଜାରାମାନେ ପରସ୍ପର ମଧ୍ୟରେ ଏପରି ମାଡ଼ଗୋଳ ଲାଗିଲେ ଯେ ପ୍ଲାଟ୍‌ଫର୍ମ ଏଟିଏମ୍‌ କାଉଣ୍ଟର ସମ୍ମୁଖରେ ଖାଦ୍ୟ ଫିଙ୍ଗା ଫୋପଡ଼ା କରିଥିଲେ। ଅନେକ ବଞ୍ଜାରା ନିଜ ପରିବାର ସହ ଏହା ମଧ୍ୟରେ ରାତି କଟାଉଛନ୍ତି। ତେବେ କିଛି ବଞ୍ଜାରାଙ୍କ ଏହିଭଳି ଅସ୍ବାଭାବିକ ଆଚରଣ ଓ ଆପରାଧିକ ସମ୍ପୃକ୍ତି ଯୋଗୁଁ ବହୁ ଯାତ୍ରୀ ସମସ୍ୟା ଭୋଗୁଛନ୍ତି। ଆର୍‌ପିଏଫ୍‌ ପକ୍ଷରୁ ଅଧିକାଂଶ ସମୟରେ ଚଢ଼ଉ କରାଯାଇ ସେମାନଙ୍କୁ ହଟାଯାଉଛି। ମାତ୍ର ଅବସ୍ଥା ସୁଧୁରୁନାହିଁ। ବାସହୀନ ଆଶ୍ରୟସ୍ଥଳୀ ପକ୍ଷରୁ ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଆଶ୍ରୟସ୍ଥଳୀକୁ ଆଣିବାକୁ ପ୍ରୟାସ କରୁଛନ୍ତି। ମାତ୍ର ସେମାନେ ଆଶ୍ରୟସ୍ଥଳୀ ନା ଶୁଣିଲେ ଛତ୍ରଭଙ୍ଗ ଦେଉଛନ୍ତି। ରେଳ ପ୍ରଶାସନ ଓ କମିସନରେଟ୍‌ ପୁଲିସ ଏପରି ଆଚରଣ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ରେଳଯାତ୍ରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର