ଭୁବନେଶ୍ୱର: ପ୍ରକାଶିତ ହେବ ବ୍ରିଟିସ୍‌ ଅମଳର ମନ୍ଦିର ସଂରକ୍ଷଣ ରିପୋର୍ଟ। ବ୍ରିଟିସ୍‌ ଶାସନ କାଳରେ ‘ଆର୍ଣ୍ଣଟ’ଙ୍କ ଦ୍ୱାରା ରାଜଧାନୀରେ ଥିବା ମନ୍ଦିରଗୁଡ଼ିକର ସଂରକ୍ଷଣ ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଥିଲା ତାହା ପୁସ୍ତକ ଆକାରରେ ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହାସହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ମଧ୍ୟ ଲୋକମାନେ ଜାଣିବାକୁ ପାଇବେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ତାଙ୍କର ଭୂମିକା, ସେ ଲେଖିଥିବା ଚିଠି ଓ ତାଙ୍କର ବିଭିନ୍ନ କାର୍ଯ୍ୟକଳାପର ପୁଙ୍ଖାନୁପୁଙ୍ଖ ରିପୋର୍ଟ ପୁସ୍ତକରେ ପ୍ରକାଶ ପାଇବ। ଆସନ୍ତା ବର୍ଷ ମାର୍ଚ ମାସ ଶୁଦ୍ଧା ଏହି ରିପୋର୍ଟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

Advertisment

ସୂଚନା ଅନୁଯାୟୀ, ୧୯୦୩ ମସିହାରେ ଭୁବନେଶ୍ୱରରେ ଥିବା ମନ୍ଦିର ଓ ଖଣ୍ଡଗିରି, ଉଦୟଗିରି ଗୁମ୍ପାର ସଂରକ୍ଷଣ ପାଇଁ ଏମ୍‌.ଏଚ୍‌ ଆର୍ଣ୍ଣଟ୍‌ଙ୍କ ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଥିଲା। ୧୮୮୯ ମସିହାରେ ଏଥିପାଇଁ କାମ ଆରମ୍ଭ ହୋଇଥିବା ବେଳେ ୧୯୦୩ରେ ଏହା ପ୍ରକାଶିତ ହୋଇଥିଲା। ବେଙ୍ଗଲ ସରକାରଙ୍କ ଅନୁରୋଧକ୍ରମେ ଓ୍ଵାଟର୍‌ଲୁ ଏଣ୍ଡ ସନ୍‌ସ ଲିମିଟେଡ୍‌ ଲଣ୍ଡନ ଓ୍ଵାଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏମ୍‌.ଏଚ୍‌ ଆର୍ଣ୍ଣଟ ହେଉଛନ୍ତି ସେ ସମୟର ବେଙ୍ଗଲ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ। ୬୦ ପୃଷ୍ଠାର ଏହି ରିପୋର୍ଟରେ ଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ରାଜାରାଣୀ, ମୁକ୍ତେଶ୍ୱର ଓ ଏହାର ଆଖପାଖ ମନ୍ଦିର, ପର୍ଶୁରାମେଶ୍ୱର ମନ୍ଦିର ସମେତ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ସଂରକ୍ଷଣ ଉପରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ମନ୍ଦିରର ଫଟୋ ସମେତ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି।

ବ୍ରିଟିସ୍‌ ସମୟରେ ମନ୍ଦିରର ସଂରକ୍ଷଣ ପାଇଁ କି ପ୍ରକାର ପଦକ୍ଷେପ ନିଆଯାଇଥିଲା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ସଂରକ୍ଷଣ ପାଇଁ ବ୍ରିଟିସ୍‌ ସରକାର କେତେ ଟଙ୍କା ଖର୍ଚ କରିଥିଲେ ତାହାର ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ କରିବା ପାଇଁ ଅଭିଲେଖାଗାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ରାଜ୍ୟ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ମହେଶ ପ୍ରସାଦ ଦାସ, ଏଏସ୍‌ଆଇର ପୂର୍ବତନ ଅଧୀକ୍ଷକ ବିଜୟ କୁମାର ରଥ ଓ ପ୍ରଫେସର ଅଶୋକ ପଟ୍ଟନାୟକ ରହିଛନ୍ତି। ୧୯୭୫ରେ ଏହି ରିପୋର୍ଟ ରାଜ୍ୟ ଅଭିଲେଖାଗାରକୁ ଆସିଥିବା ଜଣାପଡ଼ିଛି।

ଏହାସହ ମଧୁବାବୁଙ୍କ ଜୀବନୀକୁ ମଧ୍ୟ ପୁସ୍ତକ ଜରିଆରେ ଲୋକଙ୍କୁ ଜଣାଇବାକୁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ ଅଭିଲେଖାଗାର। ମଧୁ ବାବୁ ସେ ସମୟରେ କେଉଁ କେଉଁ ବ୍ୟକ୍ତିମାନଙ୍କୁ ଚିଠି ଲେଖିଥିଲେ। ସେସବୁର ଛବି ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ସେ କରିଥିବା କାର୍ଯ୍ୟ ସଂପର୍କରେ ମଧ୍ୟ ଏଥିରେ ଉଲ୍ଲେଖ ରହିବ। ଏଥିପାଇଁ ତଥ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟ ବାହାରରେ ଯେଉଁ କାଗଜପତ୍ର ରହିଛି ତାହାକୁ ଅଣାଯାଇ ପୁସ୍ତକ ଜରିଆରେ ପ୍ରକାଶ କରାଯିବ। ତେବେ ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି, ବ୍ରିଟିସ୍‌ ସମୟରେ ମନ୍ଦିର ସଂରକ୍ଷଣ ପାଇଁ ରିପୋର୍ଟରେ କ’ଣ ଉଲ୍ଲେଖ ଥିଲା ତାହା ପୁସ୍ତକରେ ଉଲ୍ଲେଖ କରାଯିବ। ଯେହେତୁ ସାଧାରଣ ଲୋକ ଅଭିଲେଖାଗାରକୁ ଆସିବା ସମ୍ଭବ ନୁହେଁ ତେଣୁ ଏଭଳି ପୁସ୍ତକ ସେମାନଙ୍କ ପାଇଁ ଉପାଦେୟ ହୋଇପାରିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଏଥିରେ କେଉଁ କେଉଁ ତଥ୍ୟ ରହିବ ତାହା ସେମାନେ ନିଷ୍ପତ୍ତି ନେବେ। ଏହାସହ ମଧୁବାବୁଙ୍କ ଜୀବନୀ ଉପରେ ମଧ୍ୟ ଏକ ପୁସ୍ତକ ପ୍ରକାଶ ପାଇବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।