ଜୀବନ ନେବାକୁ ଅନେଇ ବସିଛି ମୁକୁଳା ଡ୍ରେନ୍‌

ଭୁବନେଶ୍ୱର: ଗତବର୍ଷ ରାଜଧାନୀର ମୁକୁଳା ଡ୍ରେନ୍‌ରେ ଭାସିଯାଇ ଜଣେ ୧୫ ବର୍ଷୀୟ ନାବାଳକର ଜୀବନ ଯାଇଥିଲା। ଏହାପରେ ରାଜଧାନୀର ସମସ୍ତ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଯିବ ବୋଲି କୁହାଗଲା। ଘଟଣାକୁ ବର୍ଷେ ହେବାକୁ ଯାଉଛି। ପୁଣି ବର୍ଷା ଦିନ ଆସିଲାଣି। କିନ୍ତୁ ସ୍ଥିତି ଯଥାଂ ପୂର୍ବଂ ତଥା ପରଂ। ଏବେ ବି ରାଜଧାନୀର ଅଧିକାଂଶ ଛୋଟ ବଡ଼ ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି। ବାହାଘର ବେଳେ ବାଇଗଣ ରୂଆ ପରି କିଛି କିଛି ଡ୍ରେନ୍‌ରେ ଏବେ ନାମକୁ ମାତ୍ର ପାଚେରି ବୁଲାଯାଉଛି। ହେଲେ ପୁଣି ଜୀବନ ନେବାକୁ ମୁକୁଳା ଡ୍ରେନ୍‌ ଅନେଇ ବସିଛି ବୋଲି ଆଶଙ୍କା ପ୍ରକାଶ ପାଇଛି।

ସାମାନ୍ୟ ବର୍ଷା ହେଲେ ରାଜଧାନୀର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଉଛି। ଟିକେ ଅଧିକ ବର୍ଷା ହେଲେ ଲୋକଙ୍କ ଘର ଭିତରେ ପାଣି ପଶିଯାଉଛି। ରାସ୍ତା, ଘର, ଡ୍ରେନ୍‌ ସବୁ ଏକାକାର ହୋଇଯାଉଛି। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ରାଜଧାନୀବାସୀ ମୌସୁମୀ ପ୍ରଥମ ବର୍ଷାରେ ‌ଏହାର ଟ୍ରେଲର୍‌ ଦେଖି ସାରିଲେଣି। ସାମାନ୍ୟ ଅସରାଏ ବର୍ଷାରେ ଇସ୍କନ ଆଗରେ ଯେଉଁ ଭଳି ପାଣି ଲହଡ଼ି ମାରିଲା, ସେଥିରୁ ଆଗକୁ ସ୍ଥିତି ଯେ ଭୟଙ୍କର ହେବ, ଏଥିରେ ସନ୍ଦେହ ନାହିଁ। ବଡ଼ କଥା ହେଉଛି, ରାଜଧାନୀରେ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଅଧୀନରେ ସିଂହଭାଗ ଡ୍ରେନ୍‌ ଥିବା ବେଳେ ଜାତୀୟ ରାଜପଥ ଓ ଇଡ୍‌କୋ ଅଧୀନରେ କିଛି ଡ୍ରେନ୍‌ ରହିଛି। ରାଜଧାନୀର ପ୍ରମୁଖ ସ୍ଥାନମାନଙ୍କରେ ପୂର୍ତ୍ତ ବିଭାଗର ବଡ଼ ବଡ଼ ଡ୍ରେନ୍‌ ରହିଛି। ପ୍ରାୟ ୬ଶହ କିଲୋମିଟର ଲମ୍ବର ପୂର୍ତ୍ତ ବିଭାଗ ଡ୍ରେନ୍‌ ବିଏମ୍‌ସି ଡ୍ରେନ୍‌ ଅପେକ୍ଷା ଅଧିକ ଗଭୀର ଓ ଚଉଡ଼ାରେ ବହୁତ ବଡ଼। ପ୍ରତିବର୍ଷ ଡ୍ରେନ୍‌ ମରାମତି ଓ ସଫା କରିବାକୁ ପୂର୍ତ୍ତ ବିଭାଗ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅଧିକାଂଶ ଡ୍ରେନ୍‌ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ମୁକୁଳା ପଡ଼ିଛି। ଯେଉଁଠି ପାଦ ଖସିଲେ ମୃତ୍ୟୁ ସୁନିଶ୍ଚିତ।

ବିଏମ୍‌ସିର ପ୍ରାୟ ୧୬୫୭ କିମି ରାସ୍ତା ରହିଛି। ଏଥିମଧ୍ୟରୁ ପାଖାପାଖି ୬ ଶହ କିଲୋମିଟର ଡ୍ରେନ୍‌ ହୋଇପାରିଛି। ସେଥିରୁ ମଧ୍ୟ ଅଧାରୁ ବେଶି ଡ୍ରେନ୍‌ ବିପଜ୍ଜନକ ଅବସ୍ଥାରେ ମୁକୁଳା ପଡ଼ିଛି। ମୁଖ୍ୟ ୧୦ଟି ଡ୍ରେନ୍‌ ମଧ୍ୟରୁ କିଛି ଡ୍ରେନ୍ ଜନବସତି ଦେଇ ଯାଇଥିଲେ ହେଁ ଏଥିରେ ସ୍ଲାବ୍ ପଡ଼ୁନଥିବାରୁ ନିୟମିତ ଦୁର୍ଘଟଣା ଘଟୁଛି। ଚଳିତ ବର୍ଷ ତରବରିଆ ଭାବେ ଡ୍ରେନ୍‌ ସଫା କରାଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଅନେକ ସ୍ଥାନରେ ଡ୍ରେନ୍‌ ସଫା କରିବା ବେଳେ ସ୍ଲାବ୍‌ ଖୋଲା ରଖାଯାଉଛି, କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ଘୋଡ଼ାଇ ଦିଆଯାଉନାହିଁ।

ପୁରୁଣା ଡ୍ରେନ୍‌ ମରାମତି ହେଉନଥିବାରୁ ସ୍ଲାବ୍‌ ପଡ଼ିଥିବା ଡ୍ରେନ୍‌ରେ ମଧ୍ୟ ମଝିରେ ମଝିରେ ଖୋଲା ରହିଛି। ବର୍ଷା ସମୟରେ ଏଥିରେ ଦୁର୍ଘଟଣା ଘଟିବା ସହ ଜୀବନ ବି ଯାଉଛି। ଜାତୀୟ ରାଜପଥର ପ୍ରାୟ ୬୦ କିଲୋମିଟର ଦୈର୍ଘ୍ୟର ଡ୍ରେନ୍‌ ରହିଛି। ଅବଶ୍ୟ ଜାତୀୟ ରାଜପଥର ଅଧିକାଂଶ ଡ୍ରେନ୍‌ରେ ସ୍ଲାବ୍‌ ରହିଥିବା ବେଳେ ପ୍ରାୟ ୨୦ ପ୍ରତିଶତ ମୁକୁଳା ରହିଥିବା ସୂଚନା ମିଳିଛି। ସେହିପରି ଇଡ୍‌କୋ ଅଧୀନରେ ମଧ୍ୟ ୧୮ରୁ ୨୦ କିମି ଲମ୍ବର ଥିବା ଡ୍ରେନ୍‌ ମଧ୍ୟରୁ ଅଧାରୁ ଅଧିକ ମୁକୁଳା ପଡ଼ିଛି। ତେବେ ମୁଖ୍ୟତଃ ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଅଧାପନ୍ତରିଆ କାମ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ବର୍ଷ ସାରା ଏହି ବିଭାଗର ବାବୁମାନେ ଶୋଇ ରହୁଥିବା ବେଳେ ଏବେ ଲକ୍ଷ୍ମୀସାଗର ଭଳି କିଛି ବଡ଼ ଡ୍ରେନ୍‌ରେ ପ୍ରତିବନ୍ଧକ ବାଡ଼ ଲଗାଉଥିବା ଦେଖିବାକୁ ମିଳିଛି।

ଗତ ବର୍ଷ ଯାଇଥିଲା ରାଜାର ପ୍ରାଣ

୨୦୧୫ ମସିହାରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ୍‌ ନିକଟରେ ମୁକୁଳା ଡ୍ରେନ୍‌ରେ ଭାସି ଯିବାରୁ ନାବାଳକ ପୁପୁନ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ୨୦୧୫ରୁ ୨୦୨୨ ମଧ୍ୟରେ ୭ ବର୍ଷ ଭିତରେ ମୁକୁଳା ଡ୍ରେନ୍‌ରେ ୭ ଜଣ ଭାସିଗଲେଣି। ୨୦୨୧ରେ ବରମୁଣ୍ଡା ଶତାବ୍ଦୀନଗର ଦେଇ ଯାଇଥିବା ବିଏମ୍‌ସିର ୮ନମ୍ବର ନାଳରେ ଜ୍ୟୋତିପ୍ରକାଶ ବେହେରା ଓରଫ ରାଜା ନିଖୋଜ ହୋଇଯାଇଥିଲେ ଓ ପରେ ତାଙ୍କ ମୃତଦେହ ମିଳିଥିଲା। ବରମୁଣ୍ଡା ଢିପସାହିର ହୃଷୀକେଶ ବେହେରାଙ୍କ ପୁଅ ଟ୍ୟୁସନ୍ ଯିବା ପାଇଁ ସାଇକେଲ ଧରି ସୌଭାଗ୍ୟନଗର ଯାଉଥିବା ବେ‌ଳେ ଡ୍ରେନ୍‌ରେ ପଡ଼ି ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଏହି ଅଘଟଣ ସମଗ୍ର ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା। ବିଭିନ୍ନ ମହଲରୁ ବିଏମ୍‌ସିକୁ ଦାୟୀ କରାଯାଇଥିଲା। କଂଗ୍ରେସ ଓ ବିଜେପି ପକ୍ଷରୁ ଏହାକୁ ନେଇ ଗଣଆନ୍ଦୋଳନ କରା‌ଯାଇଥିଲା।

ଫାଇଲ୍‌ ତଳେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ

ବାରମ୍ବାର ମୁକୁଳା ଡ୍ରେନ୍‌ରେ ଅଘଟଣ ଘଟିବାରୁ ସୁପ୍ରିମ୍‌କୋର୍ଟରେ ମାମଲା ପହଞ୍ଚିଥିଲା। ସୁପ୍ରିମ୍‌କୋର୍ଟ ମାମଲାର ବିଚାର କରି କୌଣସି ଡ୍ରେନ୍‌ ମୁକୁଳା ନ ରଖିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ରାଜ୍ୟ ସରକାର ଡ୍ରେନ୍‌ ନିର୍ମାଣକାରୀ ପୂର୍ତ୍ତ ବିଭାଗ, ବିଏମ୍‌ସି, ଜାତୀୟ ରାଜପଥ ଓ ଇଡ୍‌କୋକୁ ଚିଠି ଲେଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସମସ୍ତେ ଚୁପ୍‌ ହୋଇଯାଇଥିଲେ। ସରକାର ଏଦିଗରେ ତତ୍ପରତା ନଦେଖାଇବାରୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ନାଲି ଫିତା ତଳେ ଚପି ଯାଇଛି ବୋଲି ଅଭିଯୋଗ ହେଉଛି। ଏଦିଗରେ ସରକାର ଚିନ୍ତା ନକଲେ, ରାଜା ଓ ପୁପୁନ୍ ପରି ପିଲାଙ୍କ ଜୀବନ ଅକା‌ଳରେ ଚାଲିଯିବ।

ସମ୍ବନ୍ଧିତ ଖବର