ଭୁବନେଶ୍ୱର,(ବିବୁଧ ମହାନ୍ତି): ୨୦୧୯, ଜୁଲାଇ ୨୫। ପ୍ରବଳ ବର୍ଷାରେ ରାସ୍ତା ନାଳ ଏକାକାର ହୋଇଗଲା। ରାସ୍ତାରୁ ନଳାକୁ ପାଣି ସୁଅ ପଡ଼ିଥିଲା। ଜୟଦେବ ବିହାର-ଏକାମ୍ର ଭିଲ୍ଲା ରାସ୍ତାରେ ଯାଉଥିବା ସାଲିଆସାହିର ଟି. ଆପ୍ପାଲାମ୍ମା ପାଣି ସୁଅରେ ନଳା ଭିତରକୁ ଭାସି ଗଲେ। କିଛି ସମୟ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଜୀବନ ଆଉ ନଥିଲା।
୨୦୨୧, ସେପ୍ଟେମ୍ବର ୧୯। ଅପରାହ୍ଣ ୨ଟା। ବରମୁଣ୍ଡା ଢିପସାହିର ଦଶମ ଶ୍ରେଣୀ ଛାତ୍ର ରାଜା ଟ୍ୟୁସନ୍ ଯାଉଥିବା ବେଳେ ସୌଭାଗ୍ୟନଗରରେ ଥିବା ମୁକୁଳା ଡ୍ରେନ୍ରେ ସାଇକେଲ୍ ସହ ଭାସି ଯାଇଥିଲେ। ୨୪ ଘଣ୍ଟା ପରେ ଶବ ଉଦ୍ଧାର ହେଲା।
୨୦୨୨, ଜୁଲାଇ ୧୯। ୱାର୍ଡ ନମ୍ବର ୫୮ ଭୁଆସୁଣୀ ଲେନ୍ର ୫ ବର୍ଷର ଶିଶୁ ଗୌତମ ରେଡ୍ଡୀ। ପ୍ରବଳ ବର୍ଷାରେ ପଡ଼ିଥିବା ସୁଅରେ ଭାସି ଯାଇ ଗଙ୍ଗୁଆ ନାଳରେ ପଡ଼ିଥିଲେ। ଜୀବନ ଚାଲି ଯାଇଥିଲା। ଗଙ୍ଗୁଆ ନାଳ ଜଳସମ୍ପଦ ବିଭାଗର ବୋଲି କହି ବିଏମ୍ସି ନିଜ କାନ୍ଧରୁ ଦୋଷ ଖସାଇ ଦେଇଥିଲା।
୨୦୨୩, ଜାନୁଆରି ୧୩। ହକି ଖେଳ ପାଇଁ ସାରା ସହର ଚକାଚକ୍। ବିଏମ୍ସି, ବିଡିଏ, ପୂର୍ତ୍ତ, ଏନ୍ଏଚ୍ଏଆଇ ସହ ସବୁ ବିଭାଗର କଡ଼ା ନଜରରେ ଥିଲା ସହର। ଦକ୍ଷିଣ-କୋରିଆରୁ ଆସିଥିବା ଫଟୋ ସାମ୍ବାଦିକ ମୁକୁଳା ନଳାରେ ଗଳି ପଡ଼ିଲେ। ସୌଭାଗ୍ୟକୁ ସେତେବେଳେ ବର୍ଷା ପାଣିର ସୁଅ ନଥିବାରୁ ଅଳ୍ପକେ ବର୍ତ୍ତିଗଲେ।
ଏ ସମସ୍ତ ଘଟଣା ପାଇଁ ସ୍ମାର୍ଟ ସିଟିମାନଙ୍କ ମଧ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୁବନେଶ୍ବର ସାରା ବିଶ୍ବରେ ନିନ୍ଦିତ ହୋଇଥିଲା। ଯଦିଓ କୌଣସି ଅଧିକାରୀଙ୍କ ଉପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ହୋଇନଥିଲା, ତଥାପି ଜୋରଦାର୍ ତନାଘନା ହୋଇଥିଲା। ଗଙ୍ଗୁଆ ଜଳସମ୍ପଦ ବିଭାଗର କହି ଖସି ଯାଉଥିବା ବିଏମ୍ସି ରାସ୍ତାକଡ଼ରେ ଥିବା ଗଙ୍ଗୁଆ ବନ୍ଧରେ ବାଡ଼ ବାନ୍ଧିଥିଲା। ପୂର୍ତ୍ତ ବିଭାଗ ମୁକୁଳା ଡ୍ରେନ୍ ଖୋଜି ସ୍ଲାବ୍ ପକାଇଥିଲା। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ବି ନଳା ଖୋଜିଥିଲେ। ହେଲେ କିଛି ଦିନ ପରେ ସବୁ ଚୁପ୍ଚାପ୍ ବସିପଡ଼ିଲେ। ଏବେ ବି ସହରରେ ଏମିତି ଅନେକ ମୁକୁଳା ନାଳ ମୃତ୍ୟୁକୁ ନିମନ୍ତ୍ରଣ କରୁଛି। ବରଂ ଏବର୍ଷ ବି ଆହୁରି ନୂଆ ସମ୍ବେଦନଶୀଳ ଜାଗା ଚିହ୍ନଟ ହୋଇଛି।
ପୂର୍ବବର୍ଷମାନଙ୍କରେ ଯେଉଁଠି ପାଣି ଜମୁନଥିଲା, ସେ ଅଞ୍ଚଳ ଚଳିତ ବର୍ଷାରେ ଉବୁଟୁବୁ ହୋଇଛି। ଫଳରେ ଏହି ବିଭାଗମାନଙ୍କର ଅକଲଗୁଡ଼ୁମ୍ ହୋଇଛି। ଆଗକୁ ପ୍ରବଳ ବର୍ଷା ରହିଥିବା ବେଳେ ବିଏମ୍ସି ଶତପ୍ରତିଶତ ପ୍ରସ୍ତୁତ ହୋଇ ନାହିଁ। ଜଳବନ୍ଦୀ ସମସ୍ୟା ପାଇଁ ବିଏମ୍ସି ସିଧାସଳଖ ପୂର୍ତ୍ତ ବିଭାଗ ଅବହେଳାକୁ ଦାୟୀ କରୁଥିବାରୁ ଏହି ବିଭାଗ ଭେଳା ବୁଡ଼ାଇବ ବୋଲି କୁହାଯାଉଛି। ଇସ୍କନ୍ ସାମ୍ନା ରାସ୍ତା ଅବସ୍ଥା ‘ଯଥା ପୂର୍ବଂ ତଥା ପରଂ’ ରହିଥିବାରୁ ଏନ୍ଏଚ୍ଏଆଇର ବର୍ଷା ପ୍ରସ୍ତୁତି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏଣୁ ନିକଟ ଅତୀତରେ କଟକର ମୁକୁଳା ନାଳରେ ପଡ଼ି ୨ ପ୍ରାଣ ହରାଇବା ଭଳି ଅଘଟଣ ଭୁବନେଶ୍ବରରେ ବି ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସବୁ ସମ୍ବେଦନଶୀଳ ଜାଗାରେ ବାରିକେଡିଂ କରିବା ସହ ମୁକୁଳା ନଳାକୁ ସ୍ଲାବ୍ ପକାଇବା ପାଇଁ ବିଏମ୍ସି ତତ୍ପର ହୋଇଛି। ତଥ୍ୟ ମୁତାବକ, ବିଏମ୍ସି ଅଞ୍ଚଳରେ ୭୭.୦୭କିମି ଲମ୍ବାର ମୁଖ୍ୟ ନାଳ ରହିଥିବା ବେଳେ ୧୧୨୩ କିମିର ଇଣ୍ଟରନାଲ୍ ଡ୍ରେନ୍ ରହିଛି। ପୂର୍ତ୍ତ ବିଭାଗର ୩୫୦.୦୨ କିମିର ଡ୍ରେନ୍ ରହିଥିବା ବେଳେ ଇଡ୍କୋର ୬୫.୦୨ କିମି ଡ୍ରେନ୍ ରହିଛି। ଏନ୍ଏଚ୍ଏଆଇର ୩୪.୪୩ କିମି ଡ୍ରେନ୍ ରହିଛି। ମୁଖ୍ୟ ଡ୍ରେନ୍ଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ୧୭ ଏଜେନ୍ସିଙ୍କ ଜରିଆରେ ସଫା କରାଯାଇଛି। ୬୪ ୱାର୍ଡରେ ଥିବା ଇଣ୍ଟରନାଲ୍ ଡ୍ରେନ୍ ୬ ଏଜେନ୍ସି ସଫା କରିଥିବା ବେଳେ ବାକି ୩ଟି ୱାର୍ଡରେ ବିଏମ୍ସି ସଫା କରୁଛି। ଏହା ନିୟମିତ ହେଉଥିବା ବିଏମ୍ସି ଦର୍ଶାଉଛି।
ସବୁଠାରୁ ଅଧିକ ଲମ୍ବା ଡ୍ରେନ୍ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ବଡ଼ ବଡ଼ ନଳା ହୋଇଥିବାରୁ ଏଥିରେ ଜୀବନ ଚାଲିଯିବାର ଆଶଙ୍କା ରହିଛି। ୩୫୦.୦୨ କିମି ଲମ୍ବାର ଡ୍ରେନ୍ ବର୍ଷା ପୂର୍ବରୁ ସଫା ହେବା କଥା, ହେଲେ ବହୁ ବାଦବିବାଦ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏବେ ସଫା ଆରମ୍ଭ ହେଉଥିବା ସୂଚନା ମିଳିଛି। ଆଗକୁ ପ୍ରବଳ ବର୍ଷା ରହିଛି। ଏତେ ଲମ୍ବାର ଡ୍ରେନ୍ ସଫା ହେବା ସମ୍ଭାବନା ନଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି।
ଇଡ୍କୋର ଡ୍ରେନ୍ ବିଶେଷକରି ଶିଳ୍ପାଞ୍ଚଳରେ ରହିଛି। ଚନ୍ଦକା, ରସୁଲଗଡ଼, ମଞ୍ଚେଶ୍ବର ଓ ଭଗବାନପୁରରେ ଥିବା ୬୫.୦୨ କିମି ଡ୍ରେନ୍ ସଫା ସରିଥିବା ଇଡ୍କୋ କହିଛି। ରାଜପଥ କଡ଼ରେ ଏନ୍ଏଚ୍ଏଆଇର ଡ୍ରେନ୍ ରହିଛି। ଫୁଲନଖରାରୁ ବରମୁଣ୍ଡା ଓ ଖଣ୍ଡଗିରିରୁ ଡିଏନ୍ ରେଗାଲିଆ ପର୍ଯ୍ୟନ୍ତ ନଳା ସଫା ଆରମ୍ଭ ହୋଇଛି। ଏହା ମଧ୍ୟ ବର୍ଷା ପୂର୍ବରୁ ସଫା ହେବା ସମ୍ଭାବନା ନାହିଁ।
ବିଏମ୍ସିର ୬୦୪ କିମି ମୁକୁଳା ନାଳରେ ସ୍ଲାବ୍ ପଡ଼ିଥିବା ବେଳେ ୫୮.୪୭ କିମିରେ ସ୍ଲାବ୍ ପଡ଼ିନାହିଁ। ପୂର୍ବରୁ ୩୨ଟି ସମ୍ବେଦନଶୀଳ ଜାଗା ଚିହ୍ନଟ ହୋଇଥିବା ବେଳେ ଏ ବର୍ଷ ଏହି ସଂଖ୍ୟା ୫୦ରେ ପହଞ୍ଚିଛି। ଏଥିମଧ୍ୟରୁ ପ୍ରାୟ ୩୦ଟି ସ୍ଥାନରେ ବାରିକେଡିଂ ହୋଇଥିବା ବେଳେ ବାକି ଜାରି ରହିଥିବା ବିଏମ୍ସି କହିଛି। ପୂର୍ବରୁ ବାଉଁଶରେ ବାଡ଼ ଦିଆଯାଉଥିବା ବେଳେ ଏଥର ଲିଙ୍କ୍ ଚେନ୍ ପ୍ରକ୍ରିୟାରେ ଲୁହାବାଡ଼ କରାଯାଉଛି। ଏଣୁ ବର୍ଷା ସମୟରେ ନଳାରେ ଭାସିଯିବା ଭଳି ଅଘଟଣ ଘଟିବ ନାହିଁ ବୋଲି ବିଏମ୍ସି ଯୁକ୍ତି ବାଢ଼ିଛି।