ପୁରୁଣା ଭୁବନେଶ୍ବର: ରାଜଧାନୀର ପ୍ରମୁଖ ଡ୍ରେନ୍ମାନଙ୍କ ମଧ୍ୟରେ ୭ ନମ୍ବର ଡ୍ରେନ୍କୁ ଗଣାଯାଏ। ବରମୁଣ୍ଡା ଅଞ୍ଚଳରୁ ବାହାରିଥିବା ଏହି ଡ୍ରେନ୍ ଗଙ୍ଗନଗର ଦେଇ ଏରୋଡ୍ରମ୍ ଅଞ୍ଚଳ ଓ ନବୀନନିବାସ ପଛପଟ ଦେଇ ପୁରୁଣା ଭୁବନେଶ୍ବରରେ ପଡ଼ିଛି। ଏହା ପରେ ରଥରୋଡ୍, କୋଟିତୀର୍ଥ ରୋଡ୍, ଲୁଇସ୍ ରୋଡ୍ ଦେଇ ଗଙ୍ଗୁଆରେ ମିଶିଛି। ଏହା ରାଜଧାନୀର ଅନ୍ୟତମ ବିପଜ୍ଜନକ ଡ୍ରେନ୍ ଭାବେ ମଧ୍ୟ ଗଣାଯାଏ। ବର୍ଷ ସାରା ନର୍ଦ୍ଦମା ଜଳ ପ୍ରବାହିତ ହେଉଥିବା ଏହି ଡ୍ରେନ୍ଟି ବର୍ଷା ଦିନେ ଭୟଙ୍କର ହୋଇଯାଏ। ଏହାର ବହୁ ସ୍ଥାନ ମୁକୁଳା ରହିଥିବା ବେଳେ ବହୁ ଅଂଶ ଜବରଦଖଲ ହୋଇ ରହିଛି। ସେହିଭଳି ଅନେକ ସ୍ଥାନରେ ପାଚେରି ନଥିବାରୁ ଏହି ଡ୍ରେନ୍ର ପାର୍ଶ୍ବ ଖାଇଖାଇ ରାସ୍ତାକୁ ମାଡ଼ି ଆସିଲାଣି। ବହୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଗାର୍ଡୱାଲ୍ ନାହିଁ। ସଫେଇ କଥା ନ କହିବା ଭଲ। ତେଣୁ ବର୍ଷା ଅଧିକ ହେଲେ ଏହି ଡ୍ରେନ୍ ଉଛୁଳି ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହୁଏ।
ରଥଦାଣ୍ଡ ଅଞ୍ଚଳ, କେଦାରଗୌରୀ ଓ ଲୁଇସ୍ ରୋଡ୍ ଅଞ୍ଚଳରେ ଏହି ଡ୍ରେନ୍ ମୁକୁଳା ପଡ଼ିଛି। ଏହି ସବୁ ସ୍ଥାନ ଜନଗହଳିପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଠାରେ ଡ୍ରେନ୍ ଉପରେ ସ୍ଲାବ ପଡ଼ୁନାହିଁ। ଗୋସାଗରେଶ୍ବର ଛକରେ ଜମି ରହୁଥିବା ପାଣି ସମସ୍ୟାର ସମାଧାନ ଓ ରଥଦାଣ୍ଡରେ ଡ୍ରେନ୍ ପାଇଁ ଅଢ଼େଇ ବର୍ଷ ପୂର୍ବେ ଶୁଭ ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିନି। ଏହି ଡ୍ରେନ୍ ପାଇଁ ୫.୯୦ ଏକର ଜମି ଅଧିଗ୍ରହଣ ହେବା ଲାଗି ଯୋଜନା ଥିଲା। ତାହା ବି ସେମିତି ଅଧୁରା ହୋଇ ରହିଛି। ତୀର୍ଥେଶ୍ବର ରୋଡ୍ରୁ ଲୁଇସ୍ରୋଡ୍ ଓ ଗଙ୍ଗନଗର ଅଞ୍ଚଳରେ ଏହି ଡ୍ରେନ୍କୁ ଜବରଦଖଲ କରି ଘର ତିଆରି ହୋଇଛି। ରଥ ରୋଡ୍ ନିକଟରେ ଏହି ଡ୍ରେନ୍ ପାଚେରି ଭାଙ୍ଗିଯାଇଥିବାରୁ ରଥଦାଣ୍ଡ ଆଡ଼କୁ ରାସ୍ତା ଖାଇ ଗଲାଣି। ପରିତାପର କଥା, ଏହି ଡ୍ରେନ୍ର ମରାମତି ଓ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କେବଳ ଲୋକଦେଖାଣିଆ ବୈଠକ କରୁଥିବା ଅଭିଯୋଗ ହେଉଛି।
/sambad/media/post_attachments/wp-content/uploads/2021/09/65f4sh564fh65sf65hsfhshsh.jpg)
ଭୁବନେଶ୍ବର: ଲଗାଣ ବର୍ଷାରେ ପୁରୁଣା ଭୁବନେଶ୍ବର ଗୋସାଗରେଶ୍ବର ଓ ରାମେଶ୍ବରପାଟଣାର ଅଧିକାଂଶ ଲୋକେ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି। ଏହି ଅଞ୍ଚଳ ଦେଇ ଯାଇଥିବା ପ୍ରାକୃତିକ ନାଳ ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ସୂଚନା ଅନୁଯାୟୀ, ରଥଦାଣ୍ଡ ଉଭୟ ପାର୍ଶ୍ବରେ ରେଳଲାଇନ୍ ପର୍ଯ୍ୟନ୍ତ ଅନେକ ପ୍ରାକୃତିକ ନାଳ ଥିଲା। ବର୍ଷା ହେଲେ ଏହି ସବୁ ନାଳ ଦେଇ ଜଳ ନିଷ୍କାସନ ହୋଇଥାଏ। କିନ୍ତୁ ଆଜି ସେସବୁ ନାହିଁ। ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ଘର କରିଛନ୍ତି। ଅଭିଯୋଗ ଅନୁସାରେ, ଡ୍ରେନ୍ ନମ୍ବର ୭ ନିକଟରେ ଗୌତମନଗର ମୌଜାର ପ୍ଲଟ ନମ୍ବର ୭୧୬ରେ ନାଳ ଜମି ଜବରଦଖଲ ହୋଇଛି। ଏହା ସଂଲଗ୍ନ ପ୍ଲଟ ନମ୍ବର ୭୪୨ ଓ ୭୫୨ ପାଣି ନାଳ ରହିଛି। କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ପୋତିବା ଆରମ୍ଭ କରିଛନ୍ତି। ଖୋଲାଖୋଲି ଭାବେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୁନ୍ଦରପଦାରେ ମାଳମାଳ ମୁକୁଳା ଡ୍ରେନ୍
ଭୁବନେଶ୍ୱର: ସୁନ୍ଦରପଦା ଓ କପିଳପ୍ରସାଦ ଅଞ୍ଚଳର ବହୁ ବଡ଼ବଡ଼ ଡ୍ରେନ୍ ମୁକୁଳା ରହିଛି। ସ୍ଲାବ୍ ନଥିବାରୁ ଅନେକ ସମୟରେ ଡ୍ରେନ୍ ଭିତରକୁ ଛୋଟ ଛୁଆ ଓ ଗାଈଗୋରୁ ଖସି ପଡ଼ି ଆହତ ହେଉଛନ୍ତି। ବର୍ଷା ଦିନେ ଏହି ସବୁ ଡ୍ରେନ୍ଗୁଡିକରେ ପ୍ରଖର ସ୍ରୋତ ହୁଏ। ତେଣୁ ବର୍ଷା ଦିନରେ ଏହି ସବୁ ଡ୍ରେନ୍ ବିପଜ୍ଜନକ ହୋଇପଡ଼େ। ସ୍ଥାନୀୟ ସ୍ୱେଚ୍ଛାସେବୀ ନୀଳମଣି ମିଶ୍ରଙ୍କ କହିବା କଥା, ଏନେଇ ବିଏମ୍ସି ନିକଟରେ ଅନେକଥର ଅଭିଯୋଗ କରାଯାଇଛି। କିନ୍ତୁ ଡ୍ରେନ୍ ସବୁ ସେମିତି ମୁକୁଳା ରହିଛି। ଆଜି ବରମୁଣ୍ଡାରେ ଅଘଟଣ ହେଲା। କାଲି ଏଠାରେ ଘଟିବା କିଛି ଅସମ୍ଭବ ନୁହେଁ। ତେଣୁ ବରମୁଣ୍ଡା ଘଟଣା ଆମକୁ ସତର୍କ କରାଇଛି। ଏଣିକି ଡ୍ରେନ୍ ଉପରେ ସ୍ଲାବ୍ ପଡ଼ିବାରେ ଅବହେଳା ହେଲେ ବିଏମ୍ସି ଅଧିକାରୀମାନଙ୍କୁ ଶାନ୍ତିରେ ବସିବାକୁ ଦିଆଯିବ ନାହିଁ। ଘନଘନ ଜନ ଆନ୍ଦୋଳନ କରି ବିଏମ୍ସି କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
/sambad/media/post_attachments/wp-content/uploads/2021/09/56s4f65h4fs65h456hsfhfhsfhsfh.jpg)
ମୁକୁଳା ପଡ଼ିଛି ୪ ନମ୍ବର ଡ୍ରେନ୍
ଚନ୍ଦ୍ରଶେଖରପୁର: ମୁକୁଳା ଡ୍ରେନ୍ ଯୋଗୁଁ ରାଜଧାନୀରେ ଅନେକ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚେତୁନି ବିଏମ୍ସି। ଜୟଦେବବିହାରସ୍ଥିତ ବିଏମ୍ସିର ୪ ନମ୍ବର ଡ୍ରେନ୍ ଖୋଲାମେଲା ହୋଇ ପଡ଼ି ରହିଛି। ବର୍ଷା ହେଲେ ଏହି ଡ୍ରେନରେ ପାଣି ପୂରି ଯାଉଛି। ଫଳରେ ୧୬, ୨୬ ନମ୍ବର ୱାର୍ଡର ବାସିନ୍ଦା ବର୍ଷା ସମୟରେ ବିପଦସଂକୁଳ ଅବସ୍ଥାରେ ଯା’ ଆସ କରୁଛନ୍ତି। ଛୋଟ ପିଲାମାନେ ନିକଟରେ ଖେଳକୁଦ କରୁଥିବା ସମୟରେ କେତେବେଳେ ଯେ ଅଘଟଣ ଘଟିବ କହିହେବ ନାହିଁ।
ଏ ନେଇ ସ୍ଥାନୀୟ ବାସିନ୍ଦା ବିଜୟ ମହାପାତ୍ର କୁହନ୍ତି , ବର୍ଷା ହେଲେ ଏ ଅଞ୍ଚଳରେ ସମସ୍ୟା ବଢ଼େ। ବର୍ଷା ବେଳେ ଏହି ଡ୍ରେନ୍ରେ ପାଣି ପୂରିଯାଏ। ଫଳରେ ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ହୋଇଯାଏ। କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ବର୍ତ୍ତମାନ ଆମେ ଅସୁବିଧା ଭୋଗୁଛୁ। ତେଣୁ ପ୍ରଶାସନ ତୁରନ୍ତ ଏହାର ସମାଧାନ କରୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/65sf4h654sfh65ffhsfhfhsfh.jpg)