ଆସୁଛି ମୌସୁମୀ : ରାଜଧାନୀରେ ଅଧା ଡ୍ରେନ୍‌ ମୁକୁଳା

୬ ବର୍ଷରେ ଗଲାଣି ୫ ଜୀବନ, ୨୦୦ କିମିରୁ ଅଧିକ ଡ୍ରେନ୍‌ର ସ୍ଲାବ୍‌ ନାହିଁ

ଭୁବନେଶ୍ବର : ଆଉ ଦୁଇ ତିନି ଦିନରେ ଓଡ଼ିଶା ଛୁଇଁବ ମୌସୁମୀ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରି ସାରିଲାଣି। ରାଜଧାନୀରେ ଏଥର ଯେପରି ଜଳବନ୍ଦୀ ସମସ୍ୟା ନ ହେବ, ସେଥିପାଇଁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ବି ଜୋରଦାର୍‌ ଡ୍ରେନ୍‌ ସଫେଇ କରୁଛନ୍ତି। କିନ୍ତୁ ଲୋକ ଯେପରି ‌ମୁକୁଳା ଡ୍ରେନ୍‌ରେ ପଡ଼ି ନ ମରିବେ, ସେ ବ୍ୟବସ୍ଥା କେହି କରୁନାହାନ୍ତି। ରାଜଧାନୀରେ ପ୍ରାୟ ୨୦୦କିମିରୁ ଅଧିକ ଡ୍ରେନ୍ ମୁକୁଳା ଛାଡ଼ି ଦେଇଛନ୍ତି। ଯେଉଁଠି ପଡ଼ିଲେ ମୃତ୍ୟୁ ନିଶ୍ଚିତ।

ରାଜଧାନୀରେ ମୁକୁଳା ଡ୍ରେନ୍ ଗତ ୬ବର୍ଷାର ୫ଟି ଜୀବନ ନେଲାଣି। ପ୍ରତିବର୍ଷ ଡ୍ରେନ୍‌ରେ ପଡ଼ି‌ ଲୋକଙ୍କର ମୃତ୍ୟୁ ହେଉଛି। ଶତାଧିକ ଲୋକ ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ହେଉଛନ୍ତି। ଏପରିକି ଅନେକ ଗୁରୁତରଙ୍କର ହସ୍ପିଟାଲରେ ପଡ଼ି ପଡ଼ି ଜୀବନ ଚାଲି ଯାଉଛି। ହେଲେ ପ୍ରଶାସନର ନିଦ ଭାଙ୍ଗୁନି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି ଯେ କୌଣସି ଡ୍ରେନ୍‌ ମୁକୁଳା ପଡ଼ିବନି, ଡ୍ରେନ୍‌ ନିର୍ମାଣ ହେବା ପରେ ଏହା ଉପରେ ସ୍ଲାବ୍‌ ପଡ଼ିବ। ହେଲେ ରାଜଧାନୀରେ ଯେଉଁଠିକୁ ଚାହିଁବ ସେଠି ଡ୍ରେନ୍‌ ମୁକୁଳା। ନିୟମ ଅନୁଯାୟୀ, ଯେଉଁଠି ରାସ୍ତା ହେବ, ତାହା କଡ଼ରେ ଡ୍ରେନ୍‌ ହେବ। ହେଲେ ଏବେ ବି ବହୁ ରାସ୍ତା ଅଛି ଯେଉଁଠି ଡ୍ରେନ୍‌ ନାହିଁ। ଯେଉଁଠି ଡ୍ରେନ୍‌ ଅଛି, ସେଠାରେ କେତେକ ସ୍ଥାନରେ ସ୍ଲାବ୍‌ ଥିଲେ ବି ତାହା ଭଙ୍ଗା ଦଦରା ହୋଇ ପଡ଼ିଛି ନଚେତ୍ ମୁକୁଳା ଛାଡ଼ି ‌ଦିଆଯାଇଛି। ଯାହା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୨୦୧୯ରେ ନୂଆପଲ୍ଲୀ ଏକାମ୍ରଭିଲ୍ଲା ଅଞ୍ଚଳରେ ଜଣେ ମହିଳା ଡ୍ରେନ୍‌ରେ ପଡ଼ି ଭାସିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ରେ ଗଙ୍ଗନଗରରେ ଜଣେ ଶିକ୍ଷକ, ୨୦୧୭ରେ ନୂଆପଲ୍ଲୀ ବେହେରା ସାହିରେ ମହିଳାଙ୍କର, ୨୦୧୬ରେ ଶୈଳଶ୍ରୀ ବିହାରରେ ଜଣେ ବୃଦ୍ଧା, ୨୦୧୫ରେ ନୂଆପଲ୍ଲୀ ବେହେରାସାହିରେ ଜଣେ ସ୍କୁଲ ଛାତ୍ରଙ୍କର ଡ୍ରେନରେ ପଡ଼ି ମୃତ୍ୟୁ ହୋଇଥିଲା।

୬ବର୍ଷରେ ୫ଜଣଙ୍କର ମୃତ୍ୟୁ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଏମିତି ‌ଚେତିଛନ୍ତି ଯେ ବିଏମ୍‌ସିର ଅଧାରୁ ଅଧିକ ଡ୍ରେନ୍‌ ଏବେ ମୁକୁଳା ପଡ଼ୁଛି। ବିଏମ୍‌ସିର ୧୬୫୭କିମି ରାସ୍ତା ଥିବା ବେଳେ ୩୮୫କିମି ଡ୍ରେନ୍‌ ହୋଇଛି। ଯେଉଁଥିରୁ ପ୍ରାୟ ୨୦୦କିମି ଡ୍ରେନ୍‌ ମୁକୁଳା ପଡ଼ିଛି।

‌‌‌କେବଳ ଏତିକି ନୁହେଁ, ଇଡ୍‌କୋର ମାତ୍ର ୧୨ କିମିର ଡ୍ରେନ୍‌ ଥିବା ବେଳେ ସେଥିରୁ ଅଧାରୁ ଅଧିକ ଡ୍ରେନ୍‌ରେ ବି ସ୍ଲାବ୍‌ ନାହିଁ। ପୂର୍ତ୍ତ ବିଭାଗର ଯଦିଓ ବହୁ ଡ୍ରେନ୍‌ରେ ସ୍ଲାବ୍‌ ଅଛି, ସେଥିରୁ ଅଧିକାଂଶ ଭଙ୍ଗାଦଦରା। କେତେବେଳେ ଯେ ଡ୍ରେନ୍‌ ଭାଙ୍ଗି ଗଳିପଡ଼ିବ, ତାହା କହି ହେବନି। ସମସ୍ତ ମୁଖ୍ୟ ରାସ୍ତାରେ ପୂର୍ତ୍ତ ବିଭାଗ ଡ୍ରେନ୍‌ ଥିବାରୁ ସେଥି‌ରୁ ଯେଉଁ ସବୁ ଡ୍ରେନ୍‌ରେ ସ୍ଲାବ୍‌ ନାହିଁ ତାହା ଏବେ ସବୁଠୁ ଅଧିକ ବିପଦପୂର୍ଣ୍ଣ ସାଜିଛି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରତି ଏକ ବର୍ଗମିଟର ଆରସିସି ନୂଆ ଡ୍ରେନ୍‌ ନିର୍ମାଣ କଲେ ୮ ହଜାର ଟଙ୍କା ଖର୍ଚ୍ଚ ହେବ। ଏଥିରେ ତଳେ ଓ ଦୁଇ ପାର୍ଶ୍ବରେ କଙ୍କ୍ରିଟରେ ନିର୍ମାଣ ହେବା ସହ ସ୍ଲାବ୍‌ ପାଇଁ ଅତିରିକ୍ତ ଅଢେ଼ଇ ହଜାର ଟଙ୍କା ଖର୍ଚ୍ଚ ହେବ। ହେଲେ ଏହି ଅଢ଼େଇ ହଜାର ଟଙ୍କା ପାଇଁ ବହୁ ଡ୍ରେନ୍‌ ମୁକୁଳା ପଡ଼ିଛି।

ସମ୍ବନ୍ଧିତ ଖବର