ଜୀବନ ଗଲା ପରେ ବି ଚେତିନି ବିଏମ୍‌ସି

ବିପଦସଂକୁଳ କଲଭର୍ଟ ଦେଇ ଯାଉଛନ୍ତି ଲୋକ, ମୃତକଙ୍କ ପରିବାରକୁ ରାଜନେତାଙ୍କ ସମବେଦନାର ସୁଅ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ବର : ଗତକାଲି ସଂଧ୍ୟାରେ ସାଲିଆସାହି ଏକାମ୍ରଭିଲ୍ଲା ଅଞ୍ଚଳ ବୃଦ୍ଧା ଟି. ଆପ୍ପାଲାମା ମୁକୁଳା ଡ୍ରେନ୍‌ରେ ଭାସି ପ୍ରାଣ ହରାଇବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କଲଭର୍ଟ ଯୋଗୁଁ ଯିବା ଆସିବା ସମସ୍ୟା ଓ ବର୍ଷାଦିନ ସତ୍ତ୍ବେ ଡ୍ରେନ୍‌ ଉପରେ ସ୍ଲାବ ନ ପଡ଼ିବା ବିଏମ୍‌ସିର କାର୍ଯ୍ୟଦକ୍ଷତା ଆଡ଼କୁ ସିଧାସିଧା ଅଙ୍ଗୁଳି ନିର୍ଦେଶ କରୁଛି। ଏହି ଘଟଣା ପରେ ମଧ୍ୟ ଚେତି ନାହିଁ ବିଏମ୍‌ସି। ଆଜି ମଧ୍ୟ ସେଠାରେ ମୁକୁଳା ଡ୍ରେନ୍‌ ବିପଦକୁ ଆମନ୍ତ୍ରଣ କରୁଛି। ପ୍ରତ୍ୟେକ ଦିନ ବିପଦସଂକୁଳ ଅବସ୍ଥାରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଯିବା ଆସିବା କରୁଛନ୍ତି। ଶହଶହ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। ଏହି ଅଘଟଣ ଘଟିବା ପରେ ବିଧାୟକଙ୍କଠାରୁ ସ୍ବେରେଜ୍ ବୋର୍ଡର ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ମୃତକଙ୍କ ପରିବାରବର୍ଗକୁ ସମବେଦନା ଜଣାଇବା ପାଇଁ ଆଜି ପହଞ୍ଚିଥିଲେ। ମୃତା ଆପ୍ପାଲାମାଙ୍କ ସ୍ବାମୀ ଟି. ମାଧିଆଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଭେଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

ମାତ୍ର ଯେଉଁ ସମସ୍ୟା ପାଇଁ ଏଭଳି ଅଘଟଣ ଘଟିଲା, ତାହାର କିଭଳି ସମାଧାନ ହେବ, ସେଥିପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣିଥରେ ଯଦି ବର୍ଷା ହୁଏ, ତା’ ହେଲେ ଗତକାଲି ଭଳି ଅଘଟଣକୁ ଏଡ଼ାଇ ଦେଇହେବ ନାହିଁ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।

ବିଏମ୍‌ସିର ୧୫ନଂ ୱାର୍ଡରେ ରହିଛି ସାଲିଆସାହି ଏକାମ୍ର ଭିଲ୍ଲା ଅଞ୍ଚଳ। ଏହି ଅଞ୍ଚଳ ଦେଇ ରାଜଧାନୀର ୪ନଂ ଡ୍ରେନ୍ ଯାଇଛି। ଗତକାଲି ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଲା ସେ ନିକଟରେ ଏକ କଲଭର୍ଟ ତିଆରି ହୋଇଛି। କଲଭର୍ଟର ଉଭୟ ପାର୍ଶ୍ବ ରାସ୍ତା ଢେର୍‌ ତଳେ ଥିବାରୁ ଲୋକମାନେ ଗୋଟିଏ ପଟ ଦେଇ ଯିବା ଆସିବା କରୁଛନ୍ତି। ଗୋଟିଏ ଗାଡ଼ି ଯଦି ଯାଉଛି, ତା’ ହେଲେ ଅନ୍ୟମାନଙ୍କୁ ସେହି ରାସ୍ତା ଦେଇ ଯିବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯେଉଁ ପଟ ଦେଇ ଲୋକମାନେ ଯିବା ଆସିବା କରୁଛନ୍ତି ସେହି ପଟେ ଡ୍ରେନ୍‌ ମୁକୁଳା ପଡ଼ିଛି।

ସାମାନ୍ୟ ଅସାବଧାନତା ଜୀବନ ନେଇ ଯାଇପାରେ। ବର୍ଷା ହେଲେ ସେଠାରେ ପରିସ୍ଥିତି ଗମ୍ଭୀର ହୋଇପଡ଼ୁଛି। ମୁକୁଳା ଡ୍ରେନ୍‌ରେ ପାଣି ଭରିଯିବା ପରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। କିଛି ମାସ ଧରି ସ୍ଥାନୀୟ ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଏହି ରାସ୍ତା ଦେଇ ଆପ୍ପାଲାମା ଯାଉଥିବା‌ ବେଳେ ଗୋଡ଼ ଖସିଯିବାରୁ ଡ୍ରେନ୍‌ରେ ପଡ଼ି ଯାଇଥିଲେ ଓ ଜୀବନ ଚାଲି ଯାଇଥିଲା।

ପୂର୍ବତନ କର୍ପୋରେଟର ସମୀର ପ୍ରଧାନଙ୍କ କହିବା କଥା, ସେଠାରେ ଏକ କଲଭର୍ଟ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ବର୍ଷାଦିନେ ପାଣି ସେଠାରେ ଜୋରରେ ଆସୁଥିବାରୁ ବଡ଼ କଲଭର୍ଟ ନିର୍ମାଣ ପାଇଁ ବିଏମ୍‌ସି ପକ୍ଷରୁ ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ସ୍ବେରେଜ୍ ବୋର୍ଡ ପକ୍ଷରୁ ସ୍ବେରେଜ୍ କାମ ଆରମ୍ଭ ହୋଇଯାଇଥିଲା। ସ୍ବେରେଜ୍ ବୋର୍ଡର କାମ ୫ମାସ ହେବ ଶେଷ ହୋଇଥିଲେ ହେଁ ରାସ୍ତା କାମ ହେବା ବାକି ରହିଥିଲା। ଆସନ୍ତା କିଛି ଦିନ ଭିତରେ ରାସ୍ତା କାମ ହେବାର ଥିଲା। ଯେହେତୁ ରାସ୍ତା କାମ ଶେଷ ହୋଇନାହିଁ, ତେଣୁ ଡ୍ରେନ୍‌ରେ ସ୍ଲାବ୍ ପକାଇବା ପାଇଁ ବିଳମ୍ବ ହେଉଛି। କଲଭର୍ଟ ନିର୍ମାଣ ସମୟରେ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଥିଲେ। ଫଳରେ କାମ ୧୫/୧୭ଦିନ ବିଳମ୍ବ ହୋଇଥିଲା। ଏହା ଭିତରେ ବିଏମ୍‌ସି ଓ ସ୍ବେରେଜ୍ ବୋର୍ଡ ସହିତ ଆଲୋଚନା କରାଯାଇଛି। ଖୁବଶୀଘ୍ର ଏହି କାମ ଶେଷ ହେବ ବୋଲି ଆଶା କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି।

ମୃତକଙ୍କ ପରିବାରକୁ ଗୋଟିଏ ମାସର ଦରମା ଦେଲେ ବିଧାୟକ

ଗତକାଲି ଆପ୍ପାଲାମା ଡ୍ରେନ୍‌ରେ ଭାସି ଯିବା ପରେ ସ୍ଥାନୀୟ ଲୋକମାନେ ଏକାମ୍ର ପାର୍କକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିଥିଲେ। ଏହି ସମୟରେ ବିଧାୟକ ସୁଶାନ୍ତ ରାଉତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଲକ୍ଷେ ଟଙ୍କାର କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ସକାଳେ ମୃତ ଆପ୍ପାଲାମାଙ୍କ ଘରକୁ ରା‌ଜନେତାଙ୍କ ସୁଅ ଛୁଟିଥିଲା। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ସମର୍ଥକ ଓ ବିଧାୟକ ଶ୍ରୀ ରାଉତ ମୃତକଙ୍କ ପରିବାରକୁ ସ୍ବାନ୍ତ୍ବନା ଦେଇଥିଲେ। ବିଧାୟକ ଶ୍ରୀ ରାଉତ ନିଜର ପ୍ରଥମ ମାସର ଦରମା ବାବଦ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଗତକାଲି ହସ୍ପିଟାଲରେ ମୃତ ଆପ୍ପାଲାମାଙ୍କ ପୁଅ ସତ୍ୟନାରାୟଣଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର