‘ମୁକ୍ତା’ର ମୁକ୍ତାକାଶ ବ୍ୟାୟାମଶାଳା: ରାସ୍ତାକଡ଼ରେ ସୁରକ୍ଷା ଦେବ କିଏ?

ଭୁବନେଶ୍ୱର:(ଦେବବ୍ରତ ଷେଣ୍ଢ) ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା(ମୁକ୍ତା)ରେ ନିର୍ମାଣ ହେଉଛି ମୁକ୍ତାକାଶ ବ୍ୟାୟାମଶାଳା। ବିଭିନ୍ନ ଷ୍ଟ୍ରିଟ୍‌ରେ ରାସ୍ତାକଡ଼ରେ ଏହି ଜିମ୍‌ ସବୁ ନିର୍ମାଣ କରାଯାଉଛି। ଖୁବ୍‌ ଶୀଘ୍ର ଏହି ଜିମ୍‌ଗୁଡ଼ିକ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍‌ଘାଟିତ ହେବ। ସାଧାରଣ ଲୋକେ ବିନା ମୂଲ୍ୟରେ ଜିମ୍‌ ସେବା ପାଇବା ଲକ୍ଷ୍ୟରେ ଏହି ଯୋଜନା କରାଯାଉଛି। ତେବେ ଦାମୀ ତଥା ଆଧୁନିକ ଜିମ୍ ଉପକରଣ ସବୁ ଖୋଲାମେଲାରେ ଲଗାଯାଉଥିବାରୁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୋ’ ସାଇକେଲ ଚୋରି ହେବା ଭଳି ଏହି ସବୁ ଉପକରଣ ଚୋରି ହେବାର ସମ୍ଭା‌ବନା ରହିଛି। ତେଣୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ବିଏମ୍‌ସି ପ୍ରଶାସନ ଏଦିଗରେ ଚିନ୍ତା କରିବା ଉଚିତ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ମୁକ୍ତା ଯୋଜନାରେ ମିସନ ଶକ୍ତି ତତ୍ତ୍ବାବଧାନରେ ଏଭଳି ମୁକ୍ତାକାଶ ବ୍ୟାୟାମଶାଳା ନିର୍ମାଣ କରାଯାଉଛି। ବିଏମ୍‌ସିର ପ୍ରତି ୱାର୍ଡରେ ଏଭଳି ଜିମ୍‌ ନିର୍ମାଣ ଚାଲିଛି। ବିଭିନ୍ନ ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାମାନଙ୍କୁ ଏହି କାମର ତଦାରଖ ଦାୟିତ୍ବ ନ୍ୟସ୍ତ କରାଯାଇଛି। ପ୍ରତି ୱାର୍ଡରେ ଅନେକଗୁଡ଼ିଏ ମହିଳା ସ୍ବୟଂ ସହାୟକ ଗ୍ରୁପ୍ ଥିବା‌ରୁ ଲଟେରି ମାଧ୍ୟମରେ ସେମାନଙ୍କୁ କାମ ଦିଆଯାଇଛି। ସେମାନେ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ମଧ୍ୟ ରହିବେ।

ଏଥିପାଇଁ ବିଏମ୍‌ସି ପକ୍ଷରୁ ସମୁଦାୟ ୨ କୋଟି ୪୯ ଲକ୍ଷ ୫୧ହଜାର ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ଟ୍ୱିଷ୍ଟର୍, ସୋଲ୍‌ଡର୍ ଏକ୍ସର୍‌ସାଇଜର୍, ସିଟ୍ ଅପ୍ ବେଞ୍ଚ, ଏୟାର ସୁଇଙ୍ଗ୍, ଗ୍ଲାଇଡର୍‌ ବା ସେଟ୍ ବ୍ୟାକ୍ ଲେଗ୍ ପ୍ରେସ୍, ନି ହିପ୍ ରାଇଜ୍ ଅନ୍ ପାରାଲେଲ ବାର୍, ବେଞ୍ଚ ୱିଥ୍ ଫିକ୍ସିଡ୍ ଡମ୍ବୁଲ୍, ବେଞ୍ଚ୍ ୱିଥ୍ ଫିକ୍ସିଡ୍ ୱେଟ୍ ଲିଫଟ୍, ପୋଲ ୱିଥ୍ ଫିକ୍ସିଡ୍ ୱେଟ୍ ଭଳି ବିଭିନ୍ନ ପ୍ରକାରର ଉପକରଣ ଲଗାଚାଲିଛି। ଆଜିକାଲି ଦେୟଯୁକ୍ତ ଜିମ୍‌ରେ ଯେମିତି ଅତ୍ୟାଧୁନିକ ଯନ୍ତ୍ରପାତି ବା ଉପକରଣ ବ୍ୟବହାର କରାଯାଉଛି, ଠିକ ସେମିତି ଉପକରଣ ଏହି ରାସ୍ତାକଡ଼ ବ୍ୟାୟା‌ମଶାଳାରେ ଲଗାଯାଉଛି। ଏହି ବ୍ୟାୟାମଶାଳାର ଚଟାଣକୁ କଂକ୍ରିଟ୍ କରାଯାଇ ପ୍ଲେଟ୍ ଲଗାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଫଳରେ ବୟସ୍କ ଲୋକମାନଙ୍କ ପାଇଁ ବସିବା, ଚାଲିବା ସହ ବ୍ୟାୟାମ କରିବାରେ କିଛି ସମସ୍ୟା ରହିବ ନାହିଁ। ବିଶେଷକରି ଛୋଟ ପିଲାଙ୍କ ପାଇଁ ମଧ୍ୟ ବିଭିନ୍ନ କ୍ରିଡ଼ା ସାମଗ୍ରୀ ବା ଜିମ୍‌ ଉପକରଣ ଲଗାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା କଥା ରାଜ୍ୟ ସରକାରଙ୍କ ଏହି ଯୋଜନା ବେଶ୍ ମହତ କାମ। ଗରିବ ସାଧାରଣ ଲୋକମାନେ ଏଥିରୁ ବହୁ ପରିମାଣରେ ଉପକୃତ ହେବେ। ପ୍ରାତଃଭ୍ରମଣରେ ଯିବା ସମୟରେ ବ୍ୟାୟାମ କରିବାର ସୁଯୋଗ ପାଇବେ। ଏଥିପାଇଁ ପଇସା ଦେବାକୁ ପଡ଼ୁନଥିବାରୁ ସବୁ ବର୍ଗର ଲୋକେ ଏହାର ସୁବିଧା ନେଇପାରିବେ। ତେବେ ମୁଖ୍ୟ ସମସ୍ୟା ହେବ ଏହାର ସୁରକ୍ଷା। ରାତିରେ ଚୋରି ହେବାର ଆଶଙ୍କା ରହିଛି। ଏଭଳି ଜିମ୍‌ ହେଉଥିବା ସ୍ଥାନରେ ବା ନିକଟରେ ସିସିଟିଭି ନଥିବାରୁ ରାତିରେ ଚୋରମା‌ନେ ବଡ଼ ସହଜରେ ଏସବୁ ଉପକରଣ ଖୋଲିନେଇପାରିବେ। ସେହିଭଳି ଦୁର୍ବୃତ୍ତମାନେ ମଧ୍ୟ ଏହାକୁ ଭାଙ୍ଗି ପକାଇବା କିଛି ଅସମ୍ଭବ ନୁହେଁ। ତେଣୁ ବିଏମ୍‌ସି ପ୍ରଶାସନ ଏଦିଗରେ କିଛି ପଦକ୍ଷେପ ଗ୍ରହଣ କରିବା କଥା। ସେହିଭଳି ଏହା ରାସ୍ତା କଡ଼ରେ ନିର୍ମାଣ ହେଉଥିବାରୁ ମହିଳା ତଥା ଯୁବତୀମାନେ ଏହି ଯୋଜନାରୁ ଫାଇଦା ଉଠାଇବା ସହଜ ହେବ ନାହିଁ। ଖୋଲାମେଲାରେ ସେମାନେ ବ୍ୟୟାମ କରିବାକୁ ନିଶ୍ଚୟ ଅପ୍ରସ୍ତୁତ ହେବେ। ପାର୍କ ଭଳି ସ୍ଥାନରେ ହୋଇଥିଲେ ହୁଏତ ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଆନ୍ତା।

ଏନେଇ ବିଏମ୍‌ସି ଜଣେ ଅଧିକାରୀ କହିଛନ୍ତି ଯେ ଏହି ବ୍ୟାୟାମଶାଳା ନିର୍ମାଣ କରିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ମତାମତ ନିଆଯାଉଛି। ସେମାନେ ବୈଠକ କରି ସ୍ଥାନ ଚିହ୍ନଟ କରିବା ପରେ ବିଏମ୍‌ସି ପକ୍ଷରୁ ପୁଣି ତଦାରଖ କରାଯାଉଛି। ତାପରେ ଯା‌ଇ ଉକ୍ତ ସ୍ଥାନରେ ଜିମ୍ ସାମଗ୍ରୀ ଇନ୍‌ଷ୍ଟାଲ୍ କରୁଛନ୍ତି। ନିର୍ମାଣଠାରୁ ଜଗାରଖା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦାୟିତ୍ବ ମହିଳା ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇଛି। ତେବେ ଅଧିକ ସୁରକ୍ଷା କଥାକୁ ନେଇ ଉଦ୍‌ଘାଟନ ପୂର୍ବରୁ ଚିନ୍ତା କରାଯିବ ଓ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର