ଭୁବନେଶ୍ୱର: ଖୋର୍ଦ୍ଧା-ଭୁବନେଶ୍ୱର-କଟକ ମଧ୍ୟରେ ଭିଡ଼ କମାଇବା ପାଇଁ ଜାତୀୟ ରାଜପଥ-୧୬ରେ ବାଇପାସ୍ (ଅର୍ଦ୍ଧ ବୃତ୍ତାକାର ରିଙ୍ଗ୍ ରୋଡ୍) ହେବ। ଏହି ପ୍ରକଳ୍ପରେ ମୋଟ୍ ୮୪କିମିର ରିଙ୍ଗ ରୋଡ୍ ନିର୍ମାଣ ହେବାକୁ ଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ରାଜ୍ୟ ସରକାର ଓ ଜାତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୬୪କିମିର ନକ୍ସା/ଡିଜାଇନ୍କୁ ସଡ଼କ ପରିବହନ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏହି ୬୪କିମି ରାସ୍ତା ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ଏହାପରେ ବାକି ୨୦କିମି ରାସ୍ତାର ଡିଜାଇନ୍ ପ୍ରସ୍ତୁତ ହେବ। ଏହାକୁ ଅନୁମୋଦନ ପାଇଁ ମନ୍ତ୍ରଣାଳୟକୁ ପଠାଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ଡି.ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ-୧୬ର ଖୋର୍ଦ୍ଧା ନିକଟସ୍ଥ ପଲ୍ଲୀତୋଟାପଡ଼ାରୁ ଏହି ବାଇପାସ୍ ବାହାରିବ। ଏହା ମଙ୍ଗୁଳି ଛକ ନିକଟରେ ଜାତୀୟ ରାଜପଥ-୪୨କୁ ସଂଯୋଗ କରିବ ବୋଲି ପୂର୍ବରୁ ପ୍ରସ୍ତାବ ଥିଲେ ହେଁ ଏହାକୁ ସମ୍ପ୍ରସାରଣ କରି ଖୁଣ୍ଟୁଣି ନିକଟସ୍ଥ ନିର୍ଗୁଣ୍ଡିଠାରେ ସଂଯୋଗ କରାଯିବ। ଜାତୀୟ ରାଜପଥ-୪୨ରେ ଏହା ସଂଯୋଗ କଲେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଗୁରୁତର ହେବା ସମ୍ଭାବନା ଥିବାରୁ ଏହାକୁ ଟାଙ୍ଗୀ ନିକଟରେ ପୁଣି ଜାତୀୟ ରାଜପଥ-୧୬ରେ ମିଶାଇବାକୁ ସ୍ଥିର ହୋଇଛି। ଅନୁମୋଦିତ ହୋଇଥିବା ନକ୍ସାରେ ଆଠଗଡ଼-ଧବଳେଶ୍ୱର ରାସ୍ତାକୁ ବାଦ୍ ଦିଆଯାଇଛି। ଏହି ରାସ୍ତାରେ ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ଓଭରବ୍ରିଜ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବାଇପାସ୍ ପଲ୍ଲୀ ତୋଟାପଡ଼ାରୁ ବାହାରି ଚନ୍ଦକା ଅଭୟାରଣ୍ୟର ବାମ ପାର୍ଶ୍ୱ ଦେଇ ଯାତମୁଣ୍ଡିଆ, ଅଂଶୁପା କୂଳ ଦେଇ ଟାଙ୍ଗୀ ଓ ନିର୍ଗୁଣ୍ଡି ଛୁଇଁବ। ଏହାଦ୍ୱାରା ବ୍ରହ୍ମପର ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକ ଭୁବନେଶ୍ୱର, କଟକ ଭିତରେ ପ୍ରବେଶ ନକରି ବାଇପାସ୍ରେ ଯାଇପାରିବେ।
ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଡିପିଆର୍ ଅନୁଯାୟୀ ଏହି ବାଇପାସ୍ ୬୮.୭୨୪କିମିର ହେବାକୁ ଥିବାବେଳେ ଏଥିପାଇଁ ପ୍ରାୟ ୧୩୦୦କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତି କିମି ପିଛା ପ୍ରାୟ ୨୦ କୋଟିି ଖର୍ଚ୍ଚ ହେବ। ଏହି ବାଇପାସ୍ ପାଇଁ ଯେତିକି ଜମି ଅଧିଗ୍ରହଣ ହେବ ତା’ର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ବାଇପାସ୍ରେ ତିନିଟି ବଡ଼ ବ୍ରିଜ୍, ୧୧ଟି ଛୋଟ ବ୍ରିଜ୍, ଗୋଟିଏ ରେଳ ଓଭରବ୍ରିଜ୍, ୯ଟି ଭିୟୁପି, ଗୋଟିଏ ପିୟୁପି, ୨ଟି ହାତୀ ଅଣ୍ଡରପାସ୍, ୨ଟି ଗୋରୁ ଅଣ୍ଡରପାସ୍, ୧୬୧ଟି ବକ୍ସ କଲଭର୍ଟ, ୨ଟି ଟୋଲ୍ ପ୍ଲାଜା, ୫୮ଟି ଛକ ରହିବ। ଏହି ରାସ୍ତା ୬ଥାକିଆ ବିଶିଷ୍ଟ ହେବ। ତେଣୁ ପ୍ରତି କିମି ପିଛା ପ୍ରାୟ ୨୦କୋଟି ଖର୍ଚ୍ଚ ହେବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/BISU-BIPASS.jpg)