ଖୋଲିବ ଭୁବନେଶ୍ୱର-ପ୍ୟାରିସ୍‌ ସାଂସ୍କୃତିକ ଡେସ୍କ୍‌

ଭୁବନେଶ୍ୱର: ଓଡ଼ିଶା ଓ ଫ୍ରାନ୍‌ସ ମଧ୍ୟରେ ସାଂସ୍କୃତିକ ବିନିମୟ ପାଇଁ ସୁଯୋଗ ସୃଷ୍ଟି ହେବ। ଖୁବ୍‌ଶୀଘ୍ର ଭୁବନେଶ୍ୱର-ପ୍ୟାରିସ୍‌ ସାଂସ୍କୃତିକ ଡେସ୍କ ପ୍ରତିଷ୍ଠା ହେବ। ଭାରତରେ ଫ୍ରାନ୍ସ ଦୂତାବାସର ସହଯୋଗ ଓ ସାଂସ୍କୃତିକ ବ୍ୟାପାର ଉପଦେଷ୍ଟା ତଥା ଫ୍ରେଞ୍ଚ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଇନ୍‌ ଇଣ୍ଡିଆର ନିର୍ଦେଶକ ଡ.ବର୍ଟ୍ରାଣ୍ଡ୍‌ ଡି ହାର୍ଟିଂ ଏହି ସୂଚନା ଦେଇଛନ୍ତି। ଡେସ୍କ ଜରିଆରେ ଏକକାଳୀନ ଭୁବନେଶ୍ୱର ଓ ପ୍ୟାରିସ୍‌ରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଓଡ଼ିଶାର ଐତିହ୍ୟ, ସାଂସ୍କୃତିକ ସମ୍ପଦ, ନୃତ୍ୟ ସଂଗୀତ, ଚାରୁକଳା, ବୟନକଳାର ବିଶ୍ୱ ଆଦୃତି ପାଇଁ କର୍ମଶାଳା, ବିନିମୟ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ସମାରୋହ ଆୟୋଜିତ ହେବ।

ଆଜି ଅପରାହ୍ନରେ ଡ. ହାର୍ଟିଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ସହ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ସହମତି ପ୍ରକାଶ ପାଇଥିଲା। ଫ୍ରେଞ୍ଚ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଇନ୍‌ ଇଣ୍ଡିଆର ସାଂସ୍କୃତିକ ସଂଯୋଜକ ଆଲିସ ବ୍ରୁନୋଟ୍‌, ପ୍ରତିନିଧି ଶେଫାଳି ଜେଟ୍‌ଲି ସୁରୀ, ଏମିଲିଆ କାର୍ଟର, ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ, ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ, ଅଭିଲେଖାଗାରର ଅଧୀକ୍ଷକ ସୂଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଲିସ ବ୍ରୁନୋଟ୍‌ଙ୍କ ସମେତ ଏକ ଟିମ୍‌ ରଘୁରାଜପୁର ଗ୍ରାମକୁ ଯାଇ ସେଠାରେ ପାରମ୍ପରିକ କଳାକାରଙ୍କ ସହ ଭାବ ବିନିମୟ କରିଥିଲେ। ‘ରାଇସ୍‌’ ଅନୁଷ୍ଠାନର କ୍ଷିତୀଶଙ୍କ ସହଯୋଗରେ ସେ ରଘୁରାଜପୁର ବୁଲିବା ସହ ଏଠାକୁ ଆହୁରି ଅଧିକ ଫ୍ରେଞ୍ଚ୍‌ କଳାକାରଙ୍କୁ ପଠାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର