କରୋନା ଆତଙ୍କ : ଆଜିଠାରୁ ମୁକ୍ତାକାଶ ଜିମ୍‌ରେ ତାଲା

ବିଏମ୍‌ସି କଲ୍ୟାଣ ମଣ୍ଡପ ବୁକିଂ ବନ୍ଦ
କଳାବଜାର ରୋକିବାକୁ ୩ଟି ସ୍କ୍ବାଡ୍‌ ଗଠନ
ସଫେଇ ପାଇଁ ବିଏମ୍‌ସି ଆଣିବ ୧୦୦ ସ୍ପ୍ରେ ମେସିନ୍‌

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ନେଇ ରାଜଧାନୀରେ ଥିବା ପାର୍କଗୁଡ଼ିକରେ ସଚେତନ କାର୍ଯ୍ୟକ୍ରମ ହେବ। ତେବେ ପାର୍କରେ ଥିବା ମୁକ୍ତାକାଶ ଜିମ୍ ସାମଗ୍ରୀଗୁଡ଼ିକୁ ଆସନ୍ତାକାଲି(ସୋମବାର)ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଲା ପକାଯିବ। କୌଣସି ବି ବ୍ୟକ୍ତି ଏହାକୁ ବ୍ୟବହାର କରିବେ ନାହିଁ। ଏଥିସହ ସହରରେ ଥିବା ସମସ୍ତ ବିଏମ୍‌ସି କଲ୍ୟାଣ ମଣ୍ଡପ ଆଉ ଭଡ଼ାରେ ଦିଆଯିବ ନାହିଁ। ଯଦି ଘରୋଇ ମଣ୍ଡପ ବୁକିଂ ଦେବେ ତେବେ ସେମାନେ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର) ପାଳନ କରିବାକୁ ବାଧ୍ୟ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାରଠାରୁ ବିଏମ୍‌ସି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କୋଭିଡ୍‌-୧୯ ସେଲ୍ ଖୋଲାଯିବ। ମାସ୍କ ଓ ସାନିଟାଇଜରର କଳାବଜାର ରୋକିବା ପାଇଁ ୩ଟି ସ୍କ୍ୱାଡ ଗଠନ କରାଯାଇଛି। ସଫେଇ ପାଇଁ ବିଏମ୍‌ସି ୧୦୦ଟି ସ୍ପ୍ରେ ମେସିନ ଆଣିବ। ବିଏମ୍‌ସି ଅଧିକାରୀମାନେ ଦୁଇ ଘଣ୍ଟା ୱାର୍ଡ ବୁଲିବା ବାଧ୍ୟତାମୂଳକ। ବଡ଼ ଅଭିଯୋଗ ନଥିଲେ ବିଏମ୍‌ସି ଓ ବିଡିଏର ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ନ ଆସିବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି। ଆଜି ବିଏମ୍‌ସି କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଭୁବନେଶ୍ୱରର ସମସ୍ତ ଘରୋଇ ହସ୍ପିଟାଲ, ହୋଟେଲ୍ ଓ ଇନଷ୍ଟିଚ୍ୟୁଟର ମାଲିକମାନେ ଉପସ୍ଥିତ ଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀରେ ଥିବା ସମସ୍ତ ହୋଟେଲ ପାଇଁ ସ୍ୱତନ୍ତ୍ର ଏସ୍‌ଓପି ଜାରି ହୋଇଛି। ହୋ‌ଟେଲଗୁଡ଼ିକରେ ପର୍ଯ୍ୟାପ୍ତ ହ୍ୟାଣ୍ଡୱାସ୍ ମହଜୁଦ ରଖିବା, କମ୍ ସଂଖ୍ୟକ ଅତିଥି ଡାକିବା, ଥଣ୍ଡା ଜ୍ୱର ଲୋକଙ୍କୁ ଉତ୍ସବରେ ସାମିଲ ନ ହେବାକୁ ଅନୁରୋଧ କରାଯାଇଛି। ବିଦେଶରୁ ଆସୁଥିବା ପର୍ଯ୍ୟଟକ ମୋବାଇଲ ନମ୍ୱର ଓ ଟ୍ରାଭେଲ ତଥ୍ୟ ଅବଗତ କରାଇବେ।

ହସ୍ପିଟାଲରେ କୌଣସି ସନ୍ଦିଗ୍ଧ ଚିହ୍ନଟ ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ବିଏମ୍‌ସିକୁ ଜଣାଇବେ। ସମସ୍ତ ହସ୍ପିଟାଲ୍‌(ସରକାରୀ ଓ ବେସରକାରୀ)ରେ କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଓ ଶଯ୍ୟା ଖୋଲିବ। ପରୀକ୍ଷଣ ଇତିହାସ ଓ ସବିଶେଷ ବିବରଣୀ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ତଥ୍ୟ ଓ ପରୀକ୍ଷା, ଚିହ୍ନିତ ରୋଗୀଙ୍କ ଠିକଣା/ଇତିହାସ, କୌଣସି ବ୍ୟକ୍ତି ୧୪ ଦିନ ହେବ ବାହାରେ ଭ୍ରମଣ କରିଥିବା ଓ ସଂକ୍ରମଣ ବାବଦରେ ସୂଚନା, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶାନାମା ବ୍ୟତୀତ କୌଣସି ତଥ୍ୟ ପ୍ରଚାର ଓ ପ୍ରସାରରେ ରୋକ୍ ଲଗାଇବା, ଭୁଲ୍ ତଥ୍ୟ କୌଣସି ମାଧ୍ୟମରେ ପ୍ରଚାର କରିବା ଦଣ୍ଡନୀୟ ବୋଲି ଧରାଯିବ।

ସମ୍ବନ୍ଧିତ ଖବର