ଖୋଲିଲା ସହିଦନଗର-ବମିଖାଲ ଓଭରବ୍ରିଜ୍‌, ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ

୭ବର୍ଷ ପରେ ଖୋଲିଲା ବ୍ରିଜ୍‌, ୱାନ୍‌ ୱେ ବ୍ରିଜ୍ କଟକରୋଡ୍‌ ସମସ୍ୟା ଦୂର କରିପାରିବନି!

ଭୁବନେଶ୍ବର: ନିର୍ମାଣ ଆରମ୍ଭ ହେବାର ଦୀର୍ଘ ୭ବର୍ଷ ପରେ ଆଜି ସହିଦନଗର-ବମିଖାଲ ରେଲ୍‌ୱେ ଓଭରବ୍ରିଜ୍‌ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି। ୪୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଓଭରବ୍ରିଜ୍‌କୁ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସମେତ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

ଏହି ଓଭରବ୍ରିଜ୍‌ରେ ଲୋକମାନେ ସହିଦନଗରରୁ ରସୁଲଗଡ଼ ଛକକୁ ଏବଂ ବମିଖାଲରୁ ସହିଦନଗରକୁ ଯାତାୟାତ କରିପାରିବେ। କିନ୍ତୁ ରସୁଲଗଡ଼ରୁ ସହିଦନଗର ଅଭିମୁଖେ ଯିବାକୁ ଚାହୁଁଥିବା ଲୋକଙ୍କୁ ଓଭରବ୍ରିଜ୍‌ ତ‌େଳତଳେ ଜୟଦୁର୍ଗା ନଗର ଛକ ପର୍ଯ୍ୟନ୍ତ ଯିବାକୁ ହେବ। ସେଠାରେ ୟୁଟର୍ଣ୍ଣ ନେଇ ଏକାମ୍ର ଟକିଜ୍ ଛକ ନିକଟରେ ଓଭରବ୍ରିଜ୍‌ ଉପରେ ଚଢ଼ିବାକୁ ହେବ। ତେବେ ଯାଇ ସହିଦନଗର ଯାଇପାରିବେ। ହେଲେ ଓଭରବ୍ରିଜ୍‌ରେ ଚଢ଼ିବା ପାଇଁ ଲୋକ ୮୦୦ମିଟରରୁ ଅଧିକ ଆସିବାକୁ ପସନ୍ଦ କରୁନାହାନ୍ତି। ସେହିପରି ସହିଦନଗର ପାର୍ଶ୍ବରୁ ବମିଖାଲ ବା କଳ୍ପନା ଦିଗରେ ଯିବାକୁ ଥିବା ଲୋକଙ୍କୁ ଓଭରବ୍ରିଜ୍‌ରେ ଏସପ୍ଲାନେଡ୍ ମଲ୍‌ ସମ୍ମୁଖ ରାସ୍ତା ପର୍ଯ୍ୟନ୍ତ ଆସିବାକୁ ‌େହବ। ସେଠାରେ ୟୁଟର୍ଣ୍ଣ ନେଇ ପୁଣି ଓଭରବ୍ରିଜ୍‌ କ‌େଡ଼କଡ଼େ ବମିଖାଲ ବା କଳ୍ପନା ଦିଗରେ ଯିବାକୁ ପଡ଼ୁଛି। ତେଣୁ ପ୍ରଥମ ଦିନରୁ ହିଁ ଲୋକ ରଙ୍ଗ ରୁଟ୍‌ରେ ଯିବା ଆରମ୍ଭ କରିଦେଲେଣି। ସ୍ଥାନୀୟ ଲୋକଙ୍କ କହିବା କଥା, ୪୪‌େକାଟି ଟଙ୍କା ଖର୍ଚ୍ଚରେ ଓଭରବ୍ରିଜ୍ ନିର୍ମାଣ ହେଲା କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ହେଲାନି। ସତ୍ୟନଗର ଓଭରବ୍ରିଜ୍ ଭଳି ଏହି ଓଭରବ୍ରିଜ୍‌ ଓସାରିଆ ହୋଇଥିଲେ ବି ଏହାକୁ ୱାନ୍‌ ୱେ କରିଦିଆଯାଇଛି। ଏପରିକି ବ୍ରିଜ୍‌ ଉପରେ ଯେଉଁ ଡିଭାଇଡର୍‌ କରାଯାଇଛି ତାହା ଭୁଲ୍‌ ସ୍ଥାନରେ ଓ ଭୁଲ୍‌ ଡିଜାଇନ୍‌ରେ ନିର୍ମାଣ କରାଯାଇଥିବାରୁ ଲୋକମାନଙ୍କ ଯାତାୟାତରେ ସମସ୍ୟା ଉପୁଜିବ। ପୂର୍ତ୍ତ ବିଭାଗ ଏଦିଗରେ ଚିନ୍ତା ନକଲେ ଏହି ଓଭରବ୍ରିଜ୍ କଟକରୋଡ୍‌ର ସମସ୍ୟାର ସମାଧାନ କରିପାରିବନି। ସେହିପରି ଏକାମ୍ର ଟକିଜ୍ ନିକଟରେ ଥିବା କଟ୍‌କୁ ବନ୍ଦ କରି ଦିଆଯାଇଥିବାବେଳେ ଏବେ ଗୋବିନ୍ଦ ପ୍ରସାଦ, ଜୟଦୁର୍ଗା ନଗର, ଗାୟତ୍ରୀ ନଗର ପ୍ରଭୃତି ଅଞ୍ଚଳର ଲୋକଙ୍କୁ ପ୍ରାୟ ୨୦୦ମିଟର ଯାଇ ୟୁଟର୍ଣ୍ଣ ନେବାକୁ ପଡ଼ୁଛି। ଯାହାଦ୍ବାରା ବହୁ ଲୋକ ରଙ୍ଗ ରୁଟ୍‌ରେ ଯାତାୟାତ କରୁଛନ୍ତି। କେବଳ ଏତିକି ନୁହେଁ ଜୟଦୁର୍ଗା ଛକ ନିକଟରେ ଏବଂ ବମିଖାଲ ଦୁର୍ଗାପୂଜା ମଣ୍ଡପ ନିକଟରେ ଗାଡ଼ିଗୁଡ଼ିକ ୟୁ ଟର୍ଣ୍ଣ ନେଉଥିଲେ ହେଁ ଏଠାରେ ରାସ୍ତା ଅଣଓସରିଆ ଥିବାରୁ ଏବଂ କଟ୍‌ ଛୋଟ ଥିବାରୁ ରାସ୍ତାରେ ଅଯଥାରେ ଭିଡ଼ ଜମୁଛି ଏବଂ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ହେଲେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ସମାଧାନ କରାଯାଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷେ ସହିଦ ନଗର ଲେଭେଲ୍‌ କ୍ରସିଂ ଉଚ୍ଛେଦ ପାଇଁ ଏହି ରେଳ ଓଭରବ୍ରିଜ୍ ନିର୍ମାଣ ହୋଇଥିବାବେଳେ କେବେ ଲେଭେଲ୍‌ କ୍ରସିଂ ରାସ୍ତା ବନ୍ଦ ହେଉଛି ତାହାକୁ ଅପେକ୍ଷା। ସୂଚନାଯୋଗ୍ୟ ଯେ, ଦୀର୍ଘ ୭ବର୍ଷ ହେଲା ନିର୍ମାଣ ହେଉଥିବା ଏହି ଓଭରବ୍ରିଜ୍‌ ପାଇଁ ୨୮କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବାବେଳେ କାମ ଶେଷ ହେଲା ବେଳକୁ ଏହା ୪୪କୋଟିରେ ପହଞ୍ଚିଛି। ଏହି ଓଭରବ୍ରିଜ୍‌ ନିର୍ମାଣ ସମୟରେ ଜଣେ ପଥଚାରୀ ଏବଂ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଯନ୍ତ୍ରୀ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର