ଭୁବନେଶ୍ୱର: ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ...ତୁମର ଆମର...। ଚୁନା ଚୁନା ଗୀତରେ ଭିଜୁଥିଲା କୋମଳମତି ପିଲାଙ୍କ ମନ। କଣ୍ଢେଇର ପ୍ରେମ ନିବେଦନରେ ହସିହସି ବେଦମ ହେଉଥିଲେ ପିଲାଙ୍କଠୁ ଯୁବକ। ରାଜଧାନୀରେ ଆଜି ଖୋଲିଛି ଏହି ଗପର ପେଡ଼ି। ଆଜି ସହରର ୩ଟି ପାର୍କରେ ଗପ ଓ କଣ୍ଢେଇ ଅଭିନୟରେ ବିଭୋର ହେବାର ଅବକାଶ ଆଣି ଦେଇଛି ‘ଭୁ ଫେଷ୍ଟୋ’। ବିଡିଏ ଏବଂ ବକୁଲ ଫାଉଣ୍ଡେସନ୍ର ମିଳିତ ପ୍ରୟାସରେ ଆୟୋଜିତ ଅନ୍ତର୍ଜାତୀୟ ଗପ କୁହା ଉତ୍ସବରେ ଆଇଜି ପାର୍କରେ ନିତା ଗୋପାଳକ୍ରିଷ୍ଣନ୍ ଓ ଦୀପା କିରନ୍ ୨୦୦ ବଧିର ପିଲାଙ୍କୁ ସାଙ୍କେତିକ ଭାଷାରେ ଗପ କହିଥିଲେ। ପରେ ଫ୍ରେଞ୍ଚ ପପେଟର ସାବ୍ରିନା ଆରୁସାମ କଣ୍ଢେଇ ଖେଳରେ ଗପର କୁହୁକ ପେଡ଼ି ଖୋଲିଦେଇଥିଲେ। ଏଥିସହ ଚଳଚ୍ଚିତ୍ର ଅଭିନେତ୍ରୀ ଉଷସୀ ମିଶ୍ର ବି ଓଡ଼ିଆରେ ଗପ କହି ପିଲାଙ୍କୁ ମଜାଇ ରଖିଥିଲେ। ଖଣ୍ଡଗିରିସ୍ଥିତ ଖାରବେଳ ପାର୍କରେ ରବୀନ୍ଦ୍ର କୁମାର କୌତୁକିଆ ପ୍ରଶ୍ନ ପଚାରି ମଜା କରିଥିବା ବେଳେ ମଜାଳିଆ ଗପ ଶୁଣିବାକୁ ମିଳିଥିଲା। ଦିବ୍ୟମ, ଅସିତ୍ ଓ ଫୈଜଲ୍ ଶେଷରେ ନୃତ୍ୟ ପରିବେଷଣ କରିଥିଲେ। ସେହିଭଳି ବୁଦ୍ଧ ଜୟନ୍ତୀ ପାର୍କରେ ଆର୍ଜେଣ୍ଟିନାର ପୌଲା ମାର୍ଟିନ୍ଙ୍କଠାରୁ ତାଙ୍କ ଦେଶର ଗପ ଶୁଣି ପିଲାମାନେ ଏକ ଭିନ୍ନ ଦୁନିଆର ଅନୁଭବ କରିଥିଲେ। ଲୋପାମୁଦ୍ରା ମଧ୍ୟ ଦର୍ଶକଙ୍କୁ ନୃତ୍ୟ ଗୀତରେ ବାନ୍ଧି ରଖିଥିଲେ। ପ୍ରାଚୀତାରା ନିଆରା ବେଶରେ ବିଭିନ୍ନ ସାମାଜିକ ବାର୍ତା ଦେଇଥିଲେ।
କ୍ଲିଣ୍ଟନ୍ଙ୍କ ରକ୍ ସୋ
ଭୁବନେଶ୍ବର: ଆଜି ପ୍ରଦର୍ଶନୀ ପଡ଼ିଆର ମୁକ୍ତାକାଶ ମଞ୍ଚ ପାଲଟିଥିଲା କୋକ୍ ଷ୍ଟୁଡିଓ। ଏକ୍ କଲପି କହେ କଲପି.. ହେଉ କି ମଦିରା..। ତୁଝ୍କୋ ଯୋ ପାୟା..ହେଉ ଅବା ‘ଦିଲ୍ ତୋ ବଚ୍ଛା ହୈ ଜି..। ଧୁମ ଧଡ଼ାକା ଗୀତରେ ଦର୍ଶକଙ୍କୁ ବିଭୋର କରିଥିଲେ କ୍ଲିଣ୍ଟନ୍ ସେରେଜୋ ଓ ବ୍ୟାଣ୍ଡ୍। ଡଟ୍ ଫେଷ୍ଟ୍ର ଷଷ୍ଠ ଦିନରେ ଏହିଭଳି ଅନୁଭବ ନେଇଥିଲେ ଦର୍ଶକ। କ୍ଲିଣ୍ଟନ୍ଙ୍କ ହାତରେ ଗିଟାର ଧରି ମଞ୍ଚକୁ ଚଢ଼ିବା କ୍ଷଣି ଦର୍ଶକଙ୍କ ହୋ ହଲାରେ ଫାଟି ପଡ଼ିଥିଲା ପରିବେଶ। କୋକ୍ ଷ୍ଟୁଡିଓର ବ୍ୟାଣ୍ଡ୍ ସହ ମଜିଥିଲେ ଏବଂ ମଞ୍ଚ ସାମ୍ନାରେ ଖୁବ୍ ଡେଇଁଥିଲେ ଦର୍ଶକ। ରକ୍, ପପ୍ ଓ ବଲିଉଡ୍ ହିଟ୍ସରେ ଉଚ୍ଛୁଳିଥିଲା ଡଟ୍ ଫେଷ୍ଟ୍। ଖାଲି ସେତିକି ନୁହେଁ ଆର୍ ଡି ବର୍ମନ୍ ହିଟ୍ସ ମଧ୍ୟ ସେ ଭେଟିଦେଇଥିଲେ। ତାଙ୍କ ସହ କଣ୍ଠଦାନ କରିଥିଲେ ଭାବ୍ୟା ପଣ୍ଡିତ, ସୁଦୀପ ଓ ପ୍ରିୟଙ୍କା। ପ୍ରଥମେ ଓଡ଼ିଆ ଝିଅ ରୋଜାଲିନ୍ ସାହୁଙ୍କ ସଂଗୀତ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।