ଭୁବନେଶ୍ବର: ୭ ବର୍ଷ ତଳର କଥା। ସାଇନ୍ସ ପାର୍କ ବସ୍ତିର ଶ୍ରୀଧର ନାଥ ମହିଳା ସମିତିର ୨୫ ଜଣ ସଭ୍ୟା ଏକାଠି ହେଲେ, ନିଜକୁ ସ୍ବାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡ଼ିଲେ। ଜଣ ପିଛିା ହଜାେର ଲେଖାଏଁ ୨୫ ହଜାର ଟଙ୍କା ସଂଗ୍ରହ କରି ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ଗଳି ସାମ୍ନାରେ ଖୋଲିଲେ ଏକ ହୋଟେଲ। ସରକାରଙ୍କ ଜନଧନ ଯୋଜନାରୁ ମିଳିଥିବା ଟଙ୍କାରେ ହୋଟେଲ ପାଇଁ ଫ୍ରିଜ୍ ସହ କିଛି ଆବଶ୍ୟକୀୟ ସାମଗ୍ରୀ କିଣାଗଲା। ପରିବା କଟାଠାରୁ ଆରମ୍ଭ କରି ମସଲା ବଟା, ରୋଷେଇ, ଗ୍ରାହକଙ୍କୁ ଖାଦ୍ୟ ପରସିବା ଓ ବାସନ ମଜା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମିଳିମିଶି କଲେ। ଦିନକୁ ପ୍ରାୟ ୨୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଲା। ହୋଟେଲ ଚଳାଇବା କଷ୍ଟକର ବ୍ୟାପାର ହୋଇପଡ଼ିଥିଲେ ମଧ୍ୟ କେହି ହାର ମାନି ନଥିଲେ। କିନ୍ତୁ ଗତ ୩ ତାରିଖରେ ହୋଇଥିବା ବାତ୍ୟା ‘ଫନି’ ସବୁ ବିଗାଡ଼ି ଦେଇଛି। ୭ ବର୍ଷର ଝାଳବୁହା ପରିଶ୍ରମକୁ ମାଟିରେ ମିଶାଇ ଦେଇଛି। ନଷ୍ଟ କରିଦେଇଛି ହୋଟେଲ ଭିତରେ ମହଜୁଦ ସମସ୍ତ ସାମଗ୍ରୀ ଓ ଆସବାବପତ୍ର। ଛାତ ସିନା ଉଡ଼ିଯାଇଛି, ହେଲେ ମନକୁ ଦୃଢ଼ କରି ସେମାନେ ପୁଣି ଅଣ୍ଟା ସଳଖିଛନ୍ତି। ଖୋଲା ଆକାଶ ତଳେ ଡହଡହ ଖରାରେ ଏବେ ରୋଷେଇ ଚାଲିଛି। ଜରିପାଲ ଟାଣି ଗ୍ରାହକଙ୍କୁ ଖାଦ୍ୟ ପରଶା ଯାଉଛି। ମୁଣ୍ଡ ଉପରେ ଛାତ ନାହିଁ ସତ, କିନ୍ତୁ ସେମାନଙ୍କ ଆତ୍ମବିଶ୍ବାସ ଏବେ ବି ଭାଙ୍ଗିନି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀଧର ନାଥ ମହିଳା ସମିତିର ମୁଖ୍ୟ ଗୋଲାପ ବଇରିଗଞ୍ଜନ କୁହନ୍ତି, ପରିବାର ଚଳାଇବା ତଥା ପିଲାଙ୍କ ଭବିଷ୍ୟତ ପାଇଁ ଆମକୁ କିଛି କରିବାକୁ ପଡ଼ିବ ଭାବି ଘରୁ ଗୋଡ଼ କାଢ଼ିଥିଲୁ। ପ୍ରଥମେ ସମସ୍ତେ ଟଙ୍କା ସଂଗ୍ରହ କରି ବିଏମ୍ସି ଭେଣ୍ଡିଂ ଜୋନ୍ରେ ଏକ ଦୋକାନ ଦେଲୁ। ତାକୁ ବୁଲ୍ଡୋଜର ଚଢ଼ାଇ ଭାଙ୍ଗିଦେଇଥିଲା। ବହୁ କଷ୍ଟରେ ଏହି ହୋଟେଲ ଆରମ୍ଭ କଲୁ। ଏହି ହୋଟେଲ ହିଁ ଆମ ୨୫ ପରିବାରର ସାହା ଭରସା ଥିଲା। ମାସକୁ ପ୍ରାୟ ୧୫ ହଜାରରୁ ଅଧିକ ଲାଭ ବି ହେଉଥିଲା। କିନ୍ତୁ ଏହି ବାତ୍ୟା କାଳ ସାଜିଲା। ୮ ଦିନ ଧରି ଧୁ ଧୁ ଖରାରେ ରୋଷେଇ କରି ହୋଟେଲ ଚାଲୁ ରଖିଛୁ। ପାଖରେ ଆବଶ୍ୟକ ଅର୍ଥ ନଥିବାରୁ ପୁଣି ଥରେ ଛାତ ପକାଇବା ଆମ ପାଇଁ ବହୁତ କଷ୍ଟ। ସହାୟତା ପାଇଁ ସରକାରୀ ବାବୁମାନଙ୍କ ଆଗରେ ନେହୁରା ହେଉଛୁ। ହେଲେ ବାତ୍ୟାରେ ଏତେ କ୍ଷୟକ୍ଷତି ପରେ ଆମ ଦୁଃଖ କିଏ ବୁଝିବ। ଏଣୁ ଆମେ ନିଜେ ନିଜ ହୋଟେଲକୁ ପୁଣି ଠିଆ କରିବାକୁ ଆଗେଇ ଆସୁଛି। ହୋଟେଲର ଅନ୍ୟ ସଦସ୍ୟା ଶାନ୍ତିଲତା ସାହୁ, ରଞ୍ଜନା ବାରିକ, ସଞ୍ଜୁଲତା ଖୁଣ୍ଟିଆ, ରଞ୍ଜିତା ମହାପାତ୍ର, ବନିତା ସାହୁ, ରଜନୀଗନ୍ଧା ସାହୁ, ସତ୍ୟଭାମା ସାହୁ, ଲକ୍ଷ୍ମୀ ପରିଡ଼ା, ଗୋଲାପ ପରିଡ଼ାଙ୍କ ସମେତ ୨୫ ଜଣ ମହିଳା ଏହି ହୋଟେଲକୁ ଠିଆ କରିବାକୁ ହାଡ଼ ଭଙ୍ଗା ପରିଶ୍ରମ କରିଚାଲିଛନ୍ତି।