ଜୟଦେବଙ୍କ ପୀଠରେ ନିର୍ମାଣ ହେବ ମୁକ୍ତାକାଶ ରଙ୍ଗମଞ୍ଚ, ୭ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ

ପ୍ରଥମ ପର୍ଯ୍ୟାୟରେ ୧କୋଟି ୮୯ ଲକ୍ଷ ଟଙ୍କା ମଂଜୁର, ୫ ଏକର ପତିତ ଜମିର ଉନ୍ନତି କରାଯିବ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ କେନ୍ଦୁବିଲ୍ବସ୍ଥିତ ଜୟଦେବଙ୍କ ପୀଠରେ ପୁଣି ଗୁଞ୍ଜରିତ ହେବ ଗୀତଗୋବିନ୍ଦର ମଧୁର ମୂର୍ଚ୍ଛନା। ଫନି କ୍ଷତିଗ୍ରସ୍ତ ଜୟଦେବ ପୀଠର ପୁନରୁଦ୍ଧାର ପାଇଁ ସରକାରୀ ସ୍ତରରେ ନୀଳନକ୍ସା ପ୍ରସ୍ତୁତ ସରିଛି। ଦର୍ଶକମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକଳ୍ପର ବ୍ୟୟ ଅଟକଳ ଚିଠା ବିଭାଗୀୟ ଦପ୍ତରରେ ମଧ୍ୟ ମଂଜୁରି ଲାଭ କରିଛି। ମିଳିଥିବା ସୂଚନା ମୁତାବକ, ପୀଠରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ହେବ। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ମୋଟ ୭କୋଟି ୭ ଲକ୍ଷ ବ୍ୟୟ କରାଯିବ। ସେଥିମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୮୯ ଲକ୍ଷ ଟଙ୍କା ମଂଜୁର ହୋଇଛି। ସମଗ୍ର ବିକାଶ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏବେ କସରତ ଆରମ୍ଭ ହୋଇଛି। ନିର୍ମାଣ କାର୍ଯ୍ୟ ଟେଣ୍ଡର୍‌ ପ୍ରକ୍ରିୟା ମଧ୍ୟର ରହିଥିବା ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ କହିଛନ୍ତି।

ଏନେଇ ରାଜ୍ୟ ପର୍ଯ୍ୟଟନ ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲି ଅପରାହ୍‌ଣରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୀଠ ପରିସର‌ ପରିଦର୍ଶନରେ ଆସି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ତାଙ୍କ ସହ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି, ପର୍ଯ୍ୟଟନ ଅଧିକାରୀ ଶ୍ରୀ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କବିତା ମଂଜରୀ ପରିଡ଼ା, ସ୍ଥାନୀୟ ଜିଲ୍ଲା ପରିଷଦ ଓ ସରପଞ୍ଚ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ହୋଇଥିବା ଆଲୋଚନାରୁ ମିଳିଥିବା ସୂଚନା ମୁତାବକ, ୧୦୦ଫୁଟ୍‌ ବ୍ୟାସାର୍ଦ୍ଧ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ହେବା ସହ ଏହାର ସମ୍ମୁଖ ଭାଗରେ ଏକ ବ୍ୟାଖ୍ୟାନ କେନ୍ଦ୍ର ରହିବ। ସେଠାରେ ଜୟଦେବଙ୍କ କାରୁକାର୍ଯ୍ୟପୂର୍ଣ୍ଣ ପ୍ରତିମୂର୍ତି ସହିତ ଅନ୍ୟ ଐତିହ୍ୟ ସମ୍ପନ୍ନ ପ୍ରତିମୂର୍ତି ତଥା ସାମଗ୍ରୀ ପ୍ରଦର୍ଶିତ ହେବ। ଗ୍ରିନ୍‌ରୁମ୍‌ ସାଙ୍ଗକୁ ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ସମବେତ ଦର୍ଶକଙ୍କ ଲାଗି ଗ୍ୟାଲେରି ଓ ମନୋରମ ପାର୍କ ନିର୍ମାଣ ହେବ। ଫନିରେ ଉଜୁଡ଼ି ଯାଇଥିବା ଜୟଦେବ ପୀଠର ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ୨୫ ଏକର ପରିମିତ ସବୁଜିମାଭରା ପୀଠରେ ସକାଳ ଓ ସଂଧ୍ୟାରେ ଗୀତଗୋବିନ୍ଦ ଶୁଣିବାକୁ ମିଳିବ। ରାଜଧାନୀ ଉପକଣ୍ଠରେ ଥିବା ଜୟଦେବ ପୀଠକୁ ଅନ୍ତର୍ଜାତୀୟସ୍ତରରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ଲାଗି ଏହିଭଳି ଯୋଜନା ଆରମ୍ଭ ହୋଇଛି। ପୀଠ ନିକଟରେ ସଂରକ୍ଷିତ ୫ ଏକର ପରିମିତ ପତିତ ଜମିର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରିବା ଲାଗି ମଧ୍ୟ ଯୋଜନା ରହିଛି।

ସମ୍ବନ୍ଧିତ ଖବର