ଖୋଲା ଆକାଶ ତଳର ମଲ୍‌, ସବୁ ବର୍ଗର ଗ୍ରାହକ ସନ୍ତୁଷ୍ଟ

ପାଲଟିଛି ହଷ୍ଟେଲ ଓ କୋଚିଂର ପେଣ୍ଠସ୍ଥଳୀ

ମଲ୍‌ ସଂସ୍କୃତି କାହା ପାଇଁ ନୂଆ ନୁହେଁ। କିନ୍ତୁ ଖୋଲା ଆକାଶ ତଳେ ମଲ୍‌…! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ପାରମ୍ପରିକ ଷ୍ଟାଇଲ୍‌ରେ ବିଭିନ୍ନ ଆଉଟ୍‌ଲେଟ୍‌ ସହ ମଜାଣିଆ ପରିବେଶରେ ଭାଇଚାରା ଭିତରେ ସପିଂ କରିବାର ସୁଯୋଗ ଦେଉଥିବ‌ା ମଲ୍‌କୁ ଯିବାକୁ ସମସ୍ତେ ଚାହିଁବେ ନିଶ୍ଚିୟ। ନୂଆପଲ୍ଲୀର ପ୍ରିୟଦର୍ଶିନୀ ମାର୍କେଟ ନିଶ୍ଚିତ ଭାବେ ଆମକୁ ଏସବୁ ସୁବିଧା ଯୋଗାଇ ଦେଉଛି। ଏଠାରେ ଅତ୍ୟାଧୁନିକ ଇଣ୍ଟେରିଅର୍‌ ଡିଜାଇନ୍‌ ନାହିଁ ସତ କି ନାହିଁ ଆଧୁନିକ ଚଳନ୍ତା ସିଡି କିନ୍ତୁ ଏଠାରେ ଉପଲବ୍ଧ ହେଉଛି ନିତ୍ୟବ୍ୟବହାର୍ଯ୍ୟ ଓ ଜରୁରୀ ସାମଗ୍ରୀ ସବୁ। ପରିବା ବଜାରଠାରୁ ଆରମ୍ଭ କରି ରହିଛି ଫଳ ଓ ଫାଷ୍ଟ୍‌ଫୁଡ୍‌ ଷ୍ଟଲ୍‌, ରାସନ୍‌, ପ୍ରସାଧନ ସମାଗ୍ରୀ ଦୋକାନ, ମୋବାଇଲ୍‌ ଆଉଟ୍‌ଲେଟ୍‌ସ୍‌, ଇଲେକ୍ଟ୍ରୋନିକ ସାମଗ୍ରୀ ମରାମତି ଦୋକାନ, କୋରିୟର ସର୍ଭିସ୍‌ ଦୋକାନ, ଘଣ୍ଟା, ଶାଢ଼ି, ପୋଷାକ, ଡିପାର୍ଟମେଣ୍ଟାଲ୍‌ ଷ୍ଟୋର, ଷ୍ଟୁଡିଓଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାମଗ୍ରୀ ଏଠାରେ ଉପଲବ୍ଧ। ପୁଣି ସବୁ ବ୍ରାଣ୍ଡ ଓ ସବୁ ଦାମ୍‌ର। ଏଠାକୁ ଆସୁଥିବା ‌ନୂଆ ଗ୍ରାହକଟିଏ ବି ଏଠାର ସବୁଦିନିଆ ଗ୍ରାହକ ହୋଇଯିବ। ଦୋକାନୀମାନଙ୍କ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ଯୋଗୁଁ କିଛି ଗ୍ରାହକ ଏଠାରେ ଘଣ୍ଟା ଘଣ୍ଟା ଅତିବାହିତ କରନ୍ତି। କ୍ରିକେଟ ମ୍ୟାଚ୍‌ ଚାଲିଥିବା ସମୟରେ ଯୁବକମାନଙ୍କର ଏଠାରେ ଭିଡ଼ ଦେଖାଯାଏ।

ସପ୍ତାହିକ ହାଟରୁ ମାର୍କେଟ କମ୍ପ୍ଲେକ୍ସ
ସେହିପରି ଏହି ନୂଆପଲ୍ଲୀ ଅଞ୍ଚଳରେ ରହିଛି ଇନ୍ଦ୍ରଧନୁ ମାର୍କେଟ। ୧୯୮୭-୮୮ ମସିହାରେ ଅଞ୍ଚଳବାସୀଙ୍କ ବଜାର ଚାହିଦା ମେଣ୍ଟାଇବାକୁ ନାବାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଖୋଲିଥିଲା ଏକ ସାପ୍ତାହିକ ହାଟ। ସପ୍ତାହରେ ୨ ଥର ହାଟ ପାଳି ରହୁଥିବା ବେଳେ ହାଟରେ ହାଉଜାଉ ଭିଡ଼ ଜମୁଥିଲା। ଧୀରେ ଧୀରେ ହାଟରେ ଉଠାଦୋକାନୀଙ୍କ ସଂଖ୍ୟା ବଢ଼ିଗଲା। ପାଖାପାଖି ୨୦୦ ବ୍ୟବସାୟୀ ହାଟ ପାଳିରେ ବିକ୍ରିବଟା କରୁଥିବା ବେଳେ ହାଟର ନା ରହିଲା ‘ଗାନ୍ଧୀ ହାଟ’। ଏଣେ ହାଟ ପରିସର ବୃଦ୍ଧି ପାଉଥିବା ଦେଖି ବିଡିଏ ଗାନ୍ଧୀ ହାଟର ଉଠା ଦୋକାନୀଙ୍କୁ ଗୋଟିଏ ଜାଗାରେ ଥଇଥାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କଲା ‘ଇନ୍ଦ୍ରଧନୁ ମାର୍କେଟ ଥିମ୍‌’। ନୂଆଦିଲ୍ଲୀର ବୃହତ୍‌ ମାର୍କେଟ ସରୋଜିନୀ ମାର୍କେଟର ଡିଜାଇନ୍‌ ପ୍ରସ୍ତୁତ କରିଥିବା ଡିଜାଇନର୍‌ ହିଁ ତିଆରି କଲେ ଇନ୍ଦ୍ରଧନୁ ମାର୍କେଟର ନୀଳ ନକ୍ସା। ଗାନ୍ଧୀ ହାଟର ପ୍ରାୟ ସମସ୍ତ ବ୍ୟବସାୟୀ ଏଠାରେ ସ୍ଥାୟୀ ପିଣ୍ଡି ଓ ଦୋକାନ ଘର ନେଇ ବ୍ୟବସାୟ ଆରମ୍ଭ କଲେ। ମାତ୍ର ବିଡିଏ ପ୍ରଦତ୍ତ ଇନ୍ଦ୍ରଧନୁ ମାର୍କେଟ ନାମକୁ ଅନେକ ଏଯାଏଁ ଗ୍ରହଣ କରିପାରିନାହାନ୍ତି। ଅନେକ ପୁରୁଖା ଲୋକ ଏବେ ବି ଏହାକୁ ଗାନ୍ଧୀ ମାର୍କେଟ ବୋଲି କହୁଛନ୍ତି। ସଂପ୍ରତି ଏଠାରେ ୭ ଏକର ପରିମିତ ଅଞ୍ଚଳରେ ୩ କିସମର ଦୋକାନ ରହିଛି। ୨୨୪ଟି ପିଣ୍ଡି ରହିଥିବା ବେଳେ ୩୦୦ରୁ ଊର୍ଧ୍ବ ଦୋକାନ ଘର ରହିଛି। ପୁଣି ଏଠାରେ ୪୦ଟି ଦୋକାନ ଓ ନିବାସ ମିଶି କରି ରହିଛି। ଏହା ବ୍ୟତୀତ ୫୦୦ରୁ ଊର୍ଧ୍ବ ଉଠାଦୋକାନୀ ମଧ୍ୟ ଏଠାରେ ବ୍ୟବସାୟ କରୁଛନ୍ତି। ଦୈନିକ ୧୦ ହଜାର ଲୋକ ଏହି ମାର୍କେଟ ଉପରେ ନିର୍ଭରଶୀଳ। ପର୍ବପର୍ବାଣି ଦିନରେ ଏହା ଦ୍ବିଗୁଣିତ ହୋଇଯାଏ। ଏହା ମଧ୍ୟରେ ଆହୁରି ପୁଣି ରହିଛି କେନ୍ଦ୍ରୀୟ ପଣ୍ୟାଗାର ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ଆର୍ଥିକ ନିଗମ ଭଳି ସରକାରୀ ସମେତ ସିଣ୍ଡିକେଟ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଓ ଆହୁରି କିଛି ଘରୋଇ ଅନୁଷ୍ଠାନ।
ପାଲଟିଛି ହଷ୍ଟେଲ ଓ କୋଚିଂର ପେଣ୍ଠସ୍ଥଳୀ ଖାଲି ସେତିକି ନୁହେଁ ନୟାପଲ୍ଲୀ ଛକ ପାଖରେ ରହିଛି ବିଗ୍‌ ବଜାରର ଏକ ବଡ଼ ଷ୍ଟୋର୍‌। ପୁଣି ରହିଛି ଭି-ଟୁ ଭଳି ଫ୍ୟାସନ୍‌ ଷ୍ଟୋର। ଫଳରେ ଏହା ସପିଂ ପାଇଁ ଏକ ବଡ଼ ହବ୍‌ରେ ପରିଣତ ହୋଇଛି। ପାଖରେ ଇସ୍କନ ମନ୍ଦିର ଥିବାରୁ ଶହ ଶହ ଲୋକଙ୍କ ସମାଗମ ଏଠାକୁ ହୁଏ। ନୟାପଲ୍ଲୀ ଓ ଆଇଆର୍‌ସି ଭିଲେଜରେ ବିଶେଷ କରି ବହୁ ସଂଖ୍ୟାରେ ଘରୋଇ ହ‌ଷ୍ଟେଲ ଥିବାରୁ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭିଡ଼ ଏହି ସବୁ ମଲ୍‌ ଓ ବଜାରରେ ଅଧିକ ଦେଖାଯାଏ। ପୁଣି ଏହି ଅଞ୍ଚଳ ବିଭିନ୍ନ କୋଚିଂ ପାଇଁ ପ୍ରସିଦ୍ଧି ଲାଭ କରିଛି।

ସମ୍ବନ୍ଧିତ ଖବର