ବଣବୁଦା ଭିତରେ ମୁକୁଳା ଟ୍ରାନ୍‌ସଫର୍ମର

ତ୍ରିଶୂଳିଆ: ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗାଁ ଫୁଟବଲ ଖେଳପଡ଼ିଆ ନିକଟରେ ଥିବା ବିଦ୍ୟୁତ୍‌ ଟ୍ରାନସଫର୍ମରଟି ବିପଦସଂକୁଳ ଅବସ୍ଥାରେ ରହିଛି। ବଣବୁଦା ଭିତରେ ମୁକୁଳା ରହିଥିବା ଏହି ଟ୍ରା‌ନ୍‌ସଫର୍ମର ଗୋରୁଗାଈଙ୍କ ପାଇଁ ଗୋଡ଼େ ଗୋଡ଼େ ବିପଦକୁ ଆମନ୍ତ୍ରଣ କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତାର ବାଡ଼ ଘେରାଇବା ପାଇଁ ବହୁ ଦିନରୁ ଦାବି ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କର୍ଣପାତ କରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହାର ଚାରିପଟେ ଅନାବନା ଗଛ ଉଠି ବଣ ପାଲଟିଯାଇଛି।

ତାର ବାଡ଼ ନଥିବାରୁ ଗାଈଗୋରୁ ଏହା ଭିତରକୁ ପଶି ଯାଆନ୍ତି ଓ ବିଦ୍ୟୁତ୍ ଆଘାତରେ ସେମାନଙ୍କ ଜୀବନହାନି ହୋଇଥାଏ। ସେହିଭଳି ରାତ୍ରି ସମୟରେ ବିଦ୍ୟୁତ୍‌ ସରବରାହରେ ତୃଟି ହେଲେ ମରାମତି କରିବା ସମ୍ଭବ ହେଉନାହିଁ। ବଣବୁଦାକୁ ଡରି ଲାଇନ୍‌ମ୍ୟାନ୍‌ମାନେ ଟ୍ରାନ୍‌ସର୍ଫମର ପାଖକୁ ଯାଉନାହାନ୍ତି। ଫଳରେ ରାତିରେ ଲାଇନ୍‌ କଟିଲେ, ଲୋକେ ସାରା ରାତି ବିନା ବିଦ୍ୟୁତ୍‌ରେ କଲବଲ ହେବାକୁ ବାଧ୍ୟ ହେଉଛନ୍ତି। ବଡ଼ ଭୟଙ୍କର କଥାଟି ହେଉଛି ଏଥିରୁ ବିଦ୍ୟୁତ୍ ଖମ୍ବକୁ ସଂଯୋଗ ହୋଇଥିବା ତାର ତଳକୁ ଝୁଲି ରହିଛି। ତେଣୁ କେତେବେଳେ ତାର ଛିଡ଼ି ପଡ଼ିବ ବୋଲି ଲୋକେ ଆଶଙ୍କା କରୁଛନ୍ତି। ଗୋଡ଼ିସାହି ବିଦ୍ୟୁତ୍‌ କାର୍ଯାଳୟ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର