ବାଲିଅନ୍ତା ବଜାର: ସ୍ଥାନୀୟ ବେଣୁପୁର ଛକରେ ସମବାୟ ସମିତି ଗୃହ ପଛ ପଟେ ୧୦୦ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବଡ଼ ବିପଜ୍ଜନକ ଅବସ୍ଥାରେ ରହିଛି। ମୁକୁଳା ପଡ଼ିଥିବା ଏହି ଟ୍ରାନ୍‌ସଫର୍ମରର କିଛି ମୁଖ୍ୟ ତାର ବାଉଁଶରେ ବଡ଼ ବିଚିତ୍ର ଭାବେ ବନ୍ଧା ହୋଇଛି। ବର୍ଷା ଦିନ ହୋଇଥିବାରୁ ଓଦା ବାଉଁଶ ପାଇଁ କେତେବେଳେ କିଛି ଅଘଟଣ ଘଟିବା ଆଶଙ୍କା କରି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବି‌ଶେଷକରି ଗାଈଗୋରୁଙ୍କ ପାଇଁ ଏଭଳି ସ୍ଥିତି ବଡ଼ ଭୟଙ୍କର ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହି ଟ୍ରାନ୍ସଫର୍ମରରୁ ବେଣୁପୁର ଛକ ସମେତ ଆଖପାଖ ୱାର୍ଡକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି।

Advertisment

ଟ୍ରାନ୍ସଫର୍ମରଟି ପଞ୍ଚାୟତ କାର୍ଯ୍ୟାଳୟ, ସମବାୟ ସମିତି ଗୃହ ଓ ବିବାହ ମଣ୍ଡପ ପାଖ ରାସ୍ତାରେ ମୁକଳା ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମରଠାରୁ ମାତ୍ର ୧ କିମି ଦୂରରେ ରହିଛି ବିଦ୍ୟୁତ୍ କାର୍ଯ୍ୟାଳୟ। ମାତ୍ର ସେମାନେ ଏଠାରେ ପାଚେରି କରିବା ଦିଗରେ ଆଦୌ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ତେବେ ଏଠି ଆଉ ଏକ ବିଚିତ୍ର ଦୃଶ୍ୟକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ମୁଖ୍ୟ ତାରଗୁଡ଼ିକ ବାଉଁଶରେ ବନ୍ଧା ହୋଇଛି ଓ ସେଥିରେ ବିଦ୍ୟୁତ୍‌ ସଂଯୋଗ କରଯାଇଛି। ତେଣୁ ବର୍ଷା ବେଳେ ଓଦା ବାଉଁଶରେ ବିଦ୍ୟୁତ୍ ସ୍ରୋତ ରହୁଥିବା ଆଶଙ୍କା ରହିଛି। ଗାଈଗୋରୁମାନେ ବାଉଁଶ ସଂସ୍ପର୍ଶରେ ଆସିଲେ, ସେମାନଙ୍କ ପ୍ରାଣହାନୀ ଘଟିବା ନିଶ୍ଚିତ ବୋଲି ଲୋକେ ଅଭିଯୋଗ କରିଛନ୍ତି।