କୋଭିଡ୍‌ କଟକଣାର ଖୋଲା ଉଲ୍ଲଂଘନ: ବାର୍‌ ପାଲଟୁଛି ରଙ୍ଗଶାଳା, ରାଜଧାନୀର ଆଉ ୧୨ ବାର୍‌ରେ ଚଢ଼ଉ

ଜରିମାନା ଆଦାୟ; ୪ ବାର୍‌ କର୍ତ୍ତୃପକ୍ଷ ଥାନାରେ

ଚନ୍ଦ୍ରଶେଖରପୁର: ରାଜଧାନୀରେ କୋଭିଡ୍‌ କଟକଣା ଉଲ୍ଲଂଘନ କରି ବାର୍‌ରେ ନାଚଗୀର ଆସର କରିବା ଏବଂ ବିଳମ୍ବିତ ରାତିଯାଏ ବାର୍‌ ଖୋଲା ରଖିବା ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହୋଇ କମିସନରେଟ୍‌ ପୁଲିସ। ଗତକାଲି ସହରର ୧୧ଟି ବାର୍‌ ଉପରେ ଚଢ଼ଉ ହୋଇଥିବାବେଳେ ଆଜି ରାତିରେ ପୁଣି ଚନ୍ଦ୍ର‌ଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳର ପ୍ରାୟ ୧୨ଟି ବାର୍‌ରେ ଚଢ଼ଉ କରାଯାଇଛି। ଏଥିରୁ ୪ଟି ବାର୍‌ରେ କୋଭିଡ୍‌ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ୪ଟି ବାର୍‌ର କର୍ତ୍ତୃପକ୍ଷଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟ କିଛି ସ୍ଥାନରୁ ପୁଲିସ ଜରିମାନା ଆଦାୟ କରିଥିବା ସୂଚନା ମିଳିଛି।

ସୂଚନାନୁସାରେ ଆଜି ଇନ୍‌ଫୋସିଟି ଥାନା ଅଧୀନସ୍ଥ ୭ଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ୫ଟି ବାର୍‌ରେ ଚଢ଼ଉ ହୋଇଥିଲା। ରାତି ପ୍ରାୟ ସାଢ଼େ ୯ଟାରୁ ଏହି ଚଢ଼ଉ ଆରମ୍ଭ ହୋଇଥିଲା। ଜୋନ୍‌ ଏସିପି ପ୍ରକାଶ ଚନ୍ଦ୍ର ପାଲ, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରଦୀପ ରାଉତ ଓ ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର ମିଳିତ ଭାବେ ବାର୍‌ଗୁଡ଼ିକରେ ଚଢ଼ଉ କରି ସାମାଜିକ ଦୂରତା, ମୁହଁରେ ମାସ୍କ ଆଦି ଯାଞ୍ଚ କରାଯାଇଥିଲା। ବିଭିନ୍ନ ବାର୍‌ରେ ପାର୍ଟି ହେଉଥିଲା, କିନ୍ତୁ ବହୁ ଗ୍ରାହକଙ୍କ ମୁହଁରେ ମାସ୍କ ନଥିଲା କି ସେମାନଙ୍କ ମଧ୍ୟରେ ସାମା‌ଜିକ ଦୂରତା ନଥିଲା। ଏମିତି ଅବସ୍ଥା ଥିବା ୪ ବାର୍‌ର କର୍ମଚାରୀମାନଙ୍କୁ ପୁଲିସ ଥାନାକୁ ନେଇ ଯାଇଥିବାବେଳେ କିଛି ବାର୍‌ରୁ ଜରିମାନା ଆଦାୟ କରାଯାଇଥିଲା।

ବାର୍‌ ପାଲଟୁଛି ରଙ୍ଗଶାଳା,  ମ୍ୟୁଜିକ୍ ଲାଇସେନ୍ସରେ ଚାଲୁଛି ଡ୍ୟାନ୍ସ!
ଅବକାରୀ ପରେ ପୁଲିସର ନିଦ ଭାଙ୍ଗିଲା

ଭୁବନେଶ୍ବର: ବାର୍‌ ପାଲଟୁଛି ରଙ୍ଗଶାଳା। ସବୁ ନିୟମକାନୁନକୁ ଫାଙ୍କି ଚାଲୁଛି ଡ୍ୟାନ୍ସ, ଉଡ଼ୁଛି ଟଙ୍କା। କୋଭିଡ୍ ଗାଇଡଲାଇନ୍‌କୁ ବି ଫୁ’ କରି ଦେଉଛନ୍ତି। ନିର୍ଦ୍ଧାରିତ ସମୟ ପରେ ଖୋଲି ବିକ୍ରି କରୁଛନ୍ତି। ବାର୍‌ର ନିୟମ ଉଲ୍ଲଂଘନ ନେଇ ‘ସମ୍ବାଦ’ରେ ବହୁ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଆଖି ବୁଜି ଦେଇଥିଲେ ଅବକାରୀ, ପୁଲିସ। ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ସାଉଥ୍ ସିଟି ବାର୍‌ର ଗୁମର ଖୋଲିଯିବା ପରେ ଅବକାରୀ ବିଭାଗର ତତ୍ପରତା ପ୍ରକାଶ ପାଇଛି। ବାର୍‌କୁ ଦିଆଯାଉଥିବା ଲାଇସେନ୍ସରେ ୪୦ଟି ସର୍ତ୍ତ ରହିଛି। ଲାଇସେନ୍ସକୁ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ, କୋଭିଡ୍ ଗାଇଡଲାଇନ୍, କର୍ମଚାରୀମାନେ ପରିଚୟପତ୍ର ଓ ଡ୍ରେସକୋଡ୍ ବ୍ୟବହାର କରୁଛନ୍ତି ନା ନାହିଁ, ସିସିଟିଭି ରହିଛି ନା ନାହିଁ, ନିର୍ଦ୍ଧାରିତ ସମୟସୀମାରେ ବାର୍‌ ବନ୍ଦ କରୁଛନ୍ତି ନା ନାହିଁ ତାହା ଯାଞ୍ଚ କରାଯିବା କଥା। କିନ୍ତୁ ଲାଇସେନ୍ସ ଦେଇ ନିଦରେ ଶୋଇ ପଡ଼ିଥିଲା ଅବକାରୀ ବିଭାଗ। ସାଉଥ୍ ସିଟି ବାର୍ ଘଟଣା ଅବକାରୀ ଅପାରଗତା ପଦାରେ ପକାଇବା ପରେ ଏବେ ନିଦ ଭାଙ୍ଗିଛି। ସେହିପରି ପୁଲିସ କେବଳ ସାଉଣ୍ଡ ଓ ମ୍ୟୁଜିକ୍ ପାଇଁ ଲାଇସେନ୍ସ ଦେଉଛି। କିନ୍ତୁ ଏହାକୁ କେମିତି ପାଳନ କରାଯାଉଛି ତାହାର ମଧ୍ୟ ଯାଞ୍ଚ କରାଯାଉନି। ରାସ୍ତା କଡ଼ରେ ଥିବା କେତେକ ବାର୍ ନିର୍ଦ୍ଧାରିତ ସମୟ ପରେ ଖୋଲା ରହୁଥିଲେ ମଧ୍ୟ ପାଟ୍ରୋଲିଂ ଗାଡ଼ି ନଜରକୁ ଏ ସବୁ ଆସୁନାହିଁ। ଅବକାରୀ ପରେ ଆଜି ସନ୍ଧ୍ୟାରୁ ପୁଲିସ କେତେକ ବାର୍‌ରେ ଯାଞ୍ଚ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଅବକାରୀ ବିଭାଗ ଶେଷ ଥର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଶେଷ ଥର ପାଇଁ ଡ୍ୟାନ୍ସ ଲାଇସେନ୍ସ ପ୍ରଦାନ କରିଥିଲା। ଏହା ପରଠାରୁ ଡ୍ୟାନ୍ସ ବାର ପାଇଁ ଅନୁମତି ମିଳି ନ ଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ରାଜଧାନୀରେ ୧୧୩ ବାର୍, ବାର ଓ ରେଷ୍ଟୁରାଣ୍ଟକୁ ଲାଇସେନ୍ସ ମିଳିଥିବା ବେଳେ ସେମାନଙ୍କୁ ମଧ୍ୟରୁ କେତେକ ଆଇନ ଉଲ୍ଲଂଘନ କରୁଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଦିଆଯାଇଥିବା ସାଉଣ୍ଡ୍ ଓ ମ୍ୟୁଜିକ ଲାଇସେନ୍ସ ଯେଉଁଠି ଉଲ୍ଲଂଘନ କରାଯାଉଥିବା ନଜରକୁ ଆସିବ ସେଠାରେ ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେହିପରି ନିୟମିତ ଯାଞ୍ଚ ଚାଲୁଥିବା ବେଳେ ଆଗକୁ ମଧ୍ୟ ଜାରି ରହିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର