ଧଉଳି: ଧଉଳି ଶାନ୍ତିସ୍ତୂପ ପାଦଦେଶରେ ନିର୍ମିତ ବହୁ ପ୍ରତୀକ୍ଷିତ ବସ୍ଷ୍ଟାଣ୍ଡ ଆଜି ମଧ୍ୟାହ୍ନରେ ଉଦ୍ଘାଟିତ ହୋଇଛି। ଏଥିସହିତ ଦୁର୍ଘଟଣାଜନିତ ପରିସ୍ଥିତିକୁ ଏଡ଼ାଇବା ସହ ପର୍ଯ୍ୟଟକମାନଙ୍କୁ ସ୍ତୂପ ଉପରକୁ ସୁରକ୍ଷିତ ଭାବେ ନେବାଆଣିବା କରିବା ପାଇଁ ୬ଟି ଶୀତତାପ ନିୟନ୍ତ୍ରିତ ସଟଲ୍ ବସ୍ ସେବାର ମଧ୍ୟ ଶୁଭାରମ୍ଭ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଆଗାମୀ ଦିନରେ ରାଜ୍ୟର ଅନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କପିଳାସ, ବରୁଣେଇ ଓ ଧଉଳିରେ ରୋପ୍େଓ୍ଵ ହେବାର ଯୋଜନା ରହିଥିବା କହିଥିଲେ। ତାଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଡ . ନିତିନ ଭାନୁଦାଶ ଜାେଓ୍ଵଲ, ଭୁବନେଶ୍ୱର ଏଡିଏମ୍ ମନୋଜ କୁମାର ମହାନ୍ତି,ଏସ୍ସି ଶିବ ପ୍ରସାଦ ପଟ୍ଟନାୟକ, ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ, ଜିଏମ୍ ଓଟିଡିସି ଏସ୍ବିକେ ପ୍ରଧାନ, ଟ୍ରାନ୍ସପୋର୍ଟ ମ୍ୟାନେଜର୍ ଅକ୍ଷୟ ମହାଲିକ୍, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ, ୨୯ ନମ୍ବର ଜିଲ୍ଲାପରିଷଦ ଜୋନ୍ର ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟ, ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କ ସହିତ ଯୁବନେତା ପ୍ରଶାନ୍ତ ଚମ୍ପତ୍ତି ଓ ସୁବାସ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଷ୍ଟାଣ୍ଡରେ ବସ୍ ପାର୍କିଂ ପାଇଁ କୌଣସି ଦେୟ ଦେବାର ନିୟମ ନଥିବା ସଂପର୍କରେ ଅଧିକାରୀମାନେ ସୂଚନା ପ୍ରଦାନ କରିଥିବା ବେଳେ ସ୍ତୂପ ଉପରକୁ ଯିବାଆସିବା ପାଇଁ ଜଣେ ଯାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଫି ’ ଆଦାୟ ହୋଇଥିଲା। ହେଲେ ଅଟୋ, ବୋଲେରୋ ଓ କାର ଭଳି ଚାରିଚକିଆ ଯାନ ପିଛା ସର୍ବନିମ୍ନ ୨୦ରୁ ୪୦ ଟଙ୍କା ଲେଖାଏଁ ପାର୍କିଂ ଫି ‘ ଆଦାୟ ହେବାକୁ ସ୍ଥିର ହୋଇଛି। ଡିଡିସି ପକ୍ଷରୁ ୫ ଜଣ ଅସ୍ଥାୟୀ କର୍ମଚାରୀ ଏସବୁ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି।
ଡଷ୍ଟବିନ୍ କି ଯାତ୍ରୀ ବିଶ୍ରାମାଗାର ନାହିଁ
ଆଜି ଲୋକାର୍ପିତ ହୋଇଥିବା ଧଉଳି ବସ୍ଷ୍ଟାଣ୍ଡ ପରିସରରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଉଜ୍ୱଳ ଆଲାକ ବ୍ୟବସ୍ଥା , ସ୍ନାନଶୌଚ ହେବାପାଇଁ ଟଏଲେଟ୍ ଓ ନିକଟରେ ୫ ଏକର ପରମିତ ଐତିହ୍ୟ ସଂପନ୍ନ ପାର୍ବତୀ ପୁଷ୍କରିଣୀ ରହିଛି। ସେହିପରି ଏହାଭିତରେ ୪୦ଟି ଦୋକାନ ଘର ମଧ୍ୟ ଆବଣ୍ଟନ ହେବ। ହେଲେ ହଜାର ହଜାର ପର୍ଯ୍ୟଟକମାନଙ୍କ ଚଳପ୍ରଚଳ ଦୃଷ୍ଟିରୁ ଜରି, କାଗଜ ଓ ପ୍ଲାଷ୍ଟିକ୍ ବୋତଲ ଭଳି ବର୍ଜ୍ୟ ସାମଗ୍ରୀ ପକାଇବା ପାଇଁ ଏଠାରେ ଡଷ୍ଟବିନ୍ଟିଏ ମଧ୍ୟ ରଖାଯାଇନି। ସେହିପରି ପର୍ଯ୍ୟଟକମାନଙ୍କ ପାଇଁ ବସାଉଠା କରିବା ପାଇଁ ଯାତ୍ରୀ ବିଶ୍ରାମାଗାରଟିଏ ମଧ୍ୟ ନିର୍ମାଣ ହୋଇପାରିନି। ଯାହାଫଳରେ ପୂର୍ବାହ୍ନରେ ଏଠାରେ ବସ୍ ରହିବା ପରେ କାର୍ଯ୍ୟକ୍ରମରେ ବିଳମ୍ବ ହେବାଯୋଗୁ ପ୍ରଚଣ୍ଡ ଖରାରେ ଲୋକମାନେ ସିଝିଥିଲେ। ଏନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା।
୨ କିମି ଚାଲିଲେ ପର୍ଯ୍ୟଟକ
ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସକାଳ ଆଠଟା ସୁଦ୍ଧା ଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ନେଇ ଆସିଥିବା ବଡ଼ବସ ସବୁ ଅଟକାଇ ଦିଆଯାଇଥିଲା। ୧୦ଟା ମଧ୍ୟରେ ମନ୍ତ୍ରୀ ପହଞ୍ଚି ଉପରୋକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ଯାତ୍ରୀମାନେ ଛୋଟବସରେ ଶାନ୍ତିସ୍ତୂପ ଉପରକୁ ଯିବେ ବୋଲି କହି ବିଭାଗୀୟ ଅଧିକାରୀମାନେ ଯାତ୍ରୀମାନଙ୍କୁ ରୋକିଥିଲେ। ହେଲେ ମଧ୍ୟାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ସତ୍ୱେ ଅତିଥିମାନଙ୍କର ଆଉ ଦେଖାମିଳି ନଥିଲା। ଶେଷରେ ୨ କିମି ବାଟ ଚାଲିଚାଲି ଶତାଧିକ ପର୍ଯ୍ୟଟକ ଶାନ୍ତିସ୍ତୂପକୁ ଯାଇଥିଲେ ।