ଭାଲେଣ୍ଟାଇନ୍‌ସ୍‌ ଡେ: ପ୍ରେମ ହେଲା ଖୁଲମ୍‌ଖୁଲା…

ଭୁବନେଶ୍ବର: ପ୍ରେମ…। କେବେ ବସନ୍ତର ମୃଦୁ ମଳୟ ପବନ ତ ପୁଣି କେବେ ଶାଶ୍ବତ ଓ ଚିରନ୍ତନ। କେବେ ଏହା ମା’ କୋଳର ଉଷ୍ମତା ଭଳି ମନରେ ଶାନ୍ତି ଭରିଦିଏ ତ’ କେବେ ପ୍ରଥମ ବର୍ଷାର ଛିଟା ପରି ଶରୀରରେ ଶିହରଣ ଖେଳାଇଦିଏ। ପ୍ରେମ, ନା ସୀମା ସରହଦମାନେ ନା କୌଣସି ବା‌ଧାବନ୍ଧନ। ସେହି ପ୍ରେମ ଲାଗି ତ’ ଆଜି ସାରା ଦୁନିଆ ଗୋ‌ଟେ କି ଦୁଇ ଦିନ ନୁହେଁ, ପୂରା ଗୋଟିଏ ସପ୍ତାହ ପାଳନ କରୁଛି। ଗୋଲାପ ଦିଆନିଆରୁ ଆରମ୍ଭ ଏହି ‌ପ୍ରେମ ସପ୍ତାହ ଆଜି ଅନ୍ତିମ ଦିବସ ଭାଲେଣ୍ଟାଇନ୍‌ସ୍‌ ଡେ’ରେ ତା’ର ଯବନିକା ପଡ଼ିଛି। ଏହି ସପ୍ତାହକୁ ପ୍ରେମୀଯୁଗଳ ବେଶ୍‌ ଉପଭୋଗ କରିଛନ୍ତି। ଚଳିତ ବର୍ଷ ପ୍ରେମ ସପ୍ତାହ ପ୍ରେମୀ ଯୁଗଳଙ୍କୁ ବର୍ଷର ସମସ୍ତ ଋତୁ ଦେଖାଇବା ସହ ଋତୁ ବଦଳିବା ସହ ନିଜେ ବଦଳି ନଯାଇ ଜୀବନର ପ୍ରତିଟି ପରିସ୍ଥିତିରେ ଏକାସଙ୍ଗେ ଠିଆ ହେବାର ବାର୍ତ୍ତା ଦେଇଛି। ପ୍ରେମ ସପ୍ତାହର ପ୍ରଥମ ଦୁଇ ଦିନ ବର୍ଷା, ତା’ପର କିଛି ଦିନ ପ୍ରବଳ ଶୀତ ସହ ଆଜି ପ୍ରବଳ ଖରା ଓ ଗରମରେ ଶେଷ ଦିନ ସରିଛି। ଆଜି ଅପେକ୍ଷାକୃତ ଅଧିକ ଖରା ସତ୍ତ୍ବେ ପାର୍କଠାରୁ ଆରମ୍ଭ କରି ସିନେମା ହଲ୍‌, ବିଭିନ୍ନ ପର୍ଯ୍ୟଟନସ୍ଥଳ, ରେସ୍ତୋରାଁ, ସିସିଡି ଓ ରାଜଧାନୀରେ ପଡ଼ିଥିବା ବିଭିନ୍ନ ମେଳାରେ ପ୍ରେମୀ ଯୁଗଳଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ିଶା ଯେ ଏକ ଶାନ୍ତିପୂର୍ଣ୍ଣ ଓ ସମସ୍ତଙ୍କ ବ୍ୟକ୍ତିଗତ ସ୍ବାଧୀନତାର ସମ୍ମାନ ଦିଏ ତାହା ଆଜି ଶାନ୍ତିପୂର୍ଣ୍ଣ ଭାଲେଣ୍ଟାଇନ୍‌ ଡେ’ ପାଳନରୁ ସ୍ପଷ୍ଟ ହୋଇଥିଲା। ବଜରଙ୍ଗ ଦଳ ଓ କଳିଙ୍ଗ ସେନା ପକ୍ଷରୁ ଏନେଇ କୌଣସି ବିରୋଧ କରାଯାଇ ନ ଥିଲା। କଳିଙ୍ଗ ସେନା ଭାଲେଣ୍ଟାଇନ୍‌ସ୍‌ ଡେ’କୁ ବିରୋଧ କରିବା ପରିବର୍ତ୍ତେ ଏହି ଦିନକୁ ସହିଦ ଦିବସ ଭାବେ ପାଳନ କରିଥିଲେ। ଗତ ବର୍ଷ ଫେବ୍ରୁଆରି ୧୪ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କ ଉଦ୍ଦେଶ୍ୟରେ ଏହି ଦିନକୁ ସର୍ମପଣ କରିଥିଲେ। ଫଳରେ ପ୍ରେମୀଯୁଗଳ ନିର୍ଦ୍ବନ୍ଦ୍ବରେ ଓ ନିର୍ଭୟରେ ପରସ୍ପର ସହ ଖୁଲମ୍‌ଖୁଲା ସମୟ ଅତିବାହିତ କରିଥିଲେ।

ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ବଟାନିକାଲ ଗାର୍ଡେନ ଓ ଜୟଦେବ ବାଟିକାରେ ପ୍ରେମୀ ଯୁଗଳଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ଫୁଲ ଦୋକାନରେ ଗୋଲାପର ଦର ଆକାଶଛୁଆଁ ଥିଲା। ୨୦ରୁ ଆରମ୍ଭ କରି ୩୦ ଓ ୫୦ ପର୍ଯ୍ୟନ୍ତ ଗୋଲାପ ଫୁଲ ବିକ୍ରି ହୋଇଥିଲା। ଲୋକାଲ୍‌ ଅପେକ୍ଷା କୋଲକାତା ଓ ବେଙ୍ଗାଲୁରୁ ‌ଗୋଲାପର ଚାହିଦା ବେଶ୍‌ ଅଧିକ ଥିଲା। ଆଜି ଭାଲେଣ୍ଟାଇନ୍‌ ଡେ’ ଅବସରରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ରୋମାଣ୍ଟିକ୍‌ ଚଳଚ୍ଚିତ୍ର ‘ଲଭ୍‌ ଆଜ୍‌ କଲ୍‌-୨’ର ସବୁ ସୋ’ ହାଉସ୍‌ଫୁଲ ଥିଲା। ପ୍ରଥମ ଦିନରେ ଚଳଚ୍ଚିତ୍ରଟି ବେଶ୍‌ ଭଲ ଆୟ କରିଥିବା ଅନୁମାନ କରାଯାଉଛି। ଆଜି ଭୁବନେଶ୍ବରର ସିନେପଲିସ୍‌, ମହାରାଜା, ରବି ଟକିଜ୍‌ ଓ ସ୍ତୁତି ଆଦି ସିନେମା ହଲ୍‌ରେ ସୋ’ ମୁକ୍ତିଲାଭ କରିଛି।

ବୀର ଯବାନଙ୍କୁ ମନେ ପକାଇଲେ ବିରୋଧୀ ଗୋଷ୍ଠୀ
ଭାଲେଣ୍ଟାଇନ୍‌ ଡେ’ ଦିନ ପାର୍କ, ସିନେମା ହଲ ଏବଂ ସପିଂ ମଲ୍‌ରେ ପହଞ୍ଚି ପ୍ରେମୀଯୁଗଳଙ୍କୁ ବିଭିନ୍ନ ଉପାୟରେ ବିରୋଧ କରୁଥିବା ଗୋଷ୍ଠୀ ଏଥର ନିଆରା ଭାବେ ଦିନଟିକୁ ପାଳନ କରିଥିଲେ। ପୁଲଓ୍ୱାମା ସହିଦମାନଙ୍କୁ ମନେ ପକାଇ ବଜରଙ୍ଗ ଦଳର କର୍ମକର୍ତ୍ତା ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିଭଳି କଳିଙ୍ଗ ସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜିତ ହୋଇଥିଲା।

ମୋ ପ୍ରେମ କାହାଣୀରେ କିନ୍ନର…
ପ୍ରେମ ଭଳି ସୀମାହୀନ ବନ୍ଧନକୁ ସବୁରି ହୃଦ‌ୟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ‘ଜୟ ଓଡ଼ିଶା’ ପକ୍ଷରୁ ସହିଦନଗର ଦୁର୍ଗାମଣ୍ଡପରେ ଅନୁଷ୍ଠିତ ହୋଇଥିଲା ‘ମୋ ପ୍ରେମ କାହାଣୀ’ କାର୍ଯ୍ୟକ୍ରମ। ଏଥିରେ ୭୦ ଜଣ କିନ୍ନର ଯୋଗଦେଇ ନିଜର ପ୍ରେମ କାହାଣୀ କହିବା ସହ ତାଙ୍କ ଜୀବନ‌ରେ ଘଟିଥିବା ଘଟଣାବଳୀ ବାବଦରେ ପରିପ୍ରକାଶ କରିଥିଲେ। ଏହି ଅବସରରେ ଏମ୍‌‌ ଜୋନ ଡ୍ୟାନ୍‌ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି‌, କିନ୍ନରମାନେ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଏହି କାର୍ଯ୍ୟକ୍ରମ ପରସ୍ପର ସୁଖ ଦୁଃଖରେ ଭାଗି ହେବାର ଏକ ନିଆରା ଅବକାଶ। ତେଣୁ ସେମାନେ ବି ଯେପରି ନିଜକୁ ସମାନ ଭାବେ ସମାଜରେ ଉପସ୍ଥାପିତ କରିପାରିବେ ସେଇ ପ୍ରେରଣା ସେମାନଙ୍କ ମନରେ ଜାଗ୍ରତ କରାଇବା ଆମର ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ସମାଜସେବୀ ନାରାୟଣ ମହାପାତ୍ର ଓ ଉମାନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନିରାଶ୍ରିତଙ୍କ ସହ ପ୍ରେମ ଦିବସ
ଗଙ୍ଗନଗରସ୍ଥିତ ବିଏମ୍‌ସି ଆଶ୍ରୟସ୍ଥଳୀରେ ‘ପ୍ରେମ ଦିବସ’ ନିଆରା ଢଙ୍ଗରେ ପାଳିତ ହୋଇଛି। ବାପା ମା’ମାନେ ଯେ ପିଲାମାନଙ୍କର ପ୍ରଥମ ପ୍ରେମ ଏହି ସତ୍ୟତାକୁ ଯୁବବର୍ଗକୁ ମନେ ପକେଇ ଦେବା ଉଦ୍ଦେଶ୍ୟ ନେଇ ‘ଯୁବ ଉତ୍କଳ ଫାଉଣ୍ଡେସନ’ ପକ୍ଷରୁ ସ୍ବେଚ୍ଛାସେବୀମାନେ ଆସି ନିରାଶ୍ରିତଙ୍କ ଗହଣରେ ପ୍ରେମ ଦିବସ ପାଳନ କରିଥିଲେ। ଏଥିସହ ଆଜି ମାତୃପିତୃ ପୂଜନ ଦିବସ ଭାବେ ପାଳନ କରାଯାଉ ଥିବାରୁ ନିଃସନ୍ତାନ ଜୀବନ ଜିଉଁଥିବା ନିରାଶ୍ରିତଙ୍କୁ ପିତାମାତାର ସମ୍ମାନ ଦେବା ସହ ହସଖୁସି ବାଣ୍ଟିଥିଲେ। ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି ଏହି ଦିବସକୁ ଏପରି ଢଙ୍ଗରେ ପାଳନ କରିବାର ଏକମାତ୍ର ଯଥାର୍ଥତା ହେଉଛି, ଯୁବବର୍ଗକୁ ସ‌ଚେତନ କରିବା। ବାପା ମା’ମାନଙ୍କର ଶେଷ ଠିକଣା ରାସ୍ତାକଡ଼ କି ଡଷ୍ଟବିନ କଡ଼ ନୁହେଁ ବରଂ ସେମାନେ ବି ମର୍ଯ୍ୟାଦାର ସହ ଜୀବନ ଜିଇଁପାରିବେ, ଏଇ ବାର୍ତା ‌ପହଞ୍ଚାଇବା ପାଇଁ ଆମେ ଏପରି ଏକ ପରିକଳ୍ପନା କରିଛୁ ବୋଲି ସେ କହିଛନ୍ତି। ଫାଉଣ୍ଡେସନ୍‌ର ଦେବାଶିଷ ଜେନା, ଶାଶ୍ବତ ମିଶ୍ର, ଜ୍ୟୋତିପ୍ରକାଶ ପଣ୍ଡା। ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଆଶ୍ରୟସ୍ଥଳୀ ପକ୍ଷରୁ ମାତୃମୟୀ ପ୍ରିୟଦର୍ଶିନୀ, ପ୍ରିୟମ୍ବଦା ବିଶ୍ବାଳ, ଲୋପାମୁଦ୍ରା ପାଇକରାୟ, ନିହାର ଶ୍ରୀଚନ୍ଦନ ଓ ଅନନ୍ତ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର