ଖଣ୍ଡଗିରି: ଖଣ୍ଡଗିରି ଅପେରା ଲଢ଼େଇର ଆଜି ଦ୍ବିତୀୟ ରଜନୀରେ ମଇଦାନକୁ ଓହ୍ଲାଇଛି ରାଜଧାନୀ ଅପେରା। ଦୁଃଖଭରା କାହାଣୀକୁ ନେଇ ରଚିତ ନୂଆ ନାଟକ ‘ସିଂହଦ୍ବାର ମନା ମତେ ସ୍ବର୍ଗଦ୍ବାର ମନା’ ଜରିଆରେ ଯାତ୍ରାପ୍ରେମୀଙ୍କୁ ଆକୃଷ୍ଟ କରିଛି ରାଜଧାନୀ ଅପେରା। ହର ବାରିକଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ପାରିବାରିକ କାହାଣୀ ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ମହାସଂଗ୍ରାମରେ ଦର୍ଶକଙ୍କ ମନ କିଣିଛି ବୋଲି ମା’ ମଙ୍ଗଳା ମଣ୍ଡପ ପକ୍ଷରୁ ଦାବି କରାଯାଇଛି। ବିକାଶ ଶୁକ୍ଳାଙ୍କ ସଂଗୀତ ସାଙ୍ଗକୁ ନାୟକ ତଥା ଚକଲେଟ୍ ବୟ ରୁଦ୍ର ଓ ନାୟିକା କୁନିଙ୍କ ଯୋଡ଼ି ନାଟକକୁ ମନଛୁଆଁ କରିଛି। ସେହିଭଳି ଦୟା ଓ ଜିନାଙ୍କ କମେଡି ଏବଂ ଖଳନାୟକ ଲକ୍ଷ୍ମୀଧରଙ୍କ ଅଭିନୟ ମଧ୍ୟ ବେଶ୍ ଚମତ୍କାର ହୋଇଛି। ଏଣେ ଅନ୍ୟ ତିନି ପେଣ୍ଡାଲରେ ଆଜି ଦ୍ବିତୀୟ ରାତିରେ ସବୁ ନାଟକ ରିପିଟ୍ ହୋଇଛି।
ଆଜି ମହାତାବ ପେଣ୍ଡାଲରେ ପୁଣି ରିପିଟ୍ ହୋଇଛି ନାଟକ ‘ମୃତ୍ୟ ପରେ ମଣିଷ’। ରହସ୍ୟରେ ଭରପୂର ଏହି ନାଟକ ଦର୍ଶକମାନଙ୍କୁ ରାତି ପାହିବା ଯାଏ ବାନ୍ଧି ରଖୁଛି। ଶିବାନୀ ଗଣନାଟ୍ୟ ମଧ୍ୟ ତା’ର ନାଟକ ‘ଆଖି ତୋର ଲୁହ ମୋର’ ଦୋହରାଇଛି। ସନାତନ ସେବା ମଣ୍ଡପରେ ସୂର୍ଯ୍ୟମନ୍ଦିର ପୁଣି ମଞ୍ଚସ୍ଥ କରୁଛି ‘ଗୁମୁରି ଗୁମୁରି କାହାଣୀ କାନ୍ଦେ’। ଏହି ନାଟକ ଦର୍ଶକଙ୍କ ଆଖିରେ ଲୁହର ବନ୍ୟା ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ତେବେ ସବୁ ପାର୍ଟିରେ ରେକର୍ଡ ଡ୍ୟାନ୍ସ ବେଶ୍ ମନଛୁଆଁ ହେଉଛି। ଚଳିତବର୍ଷ ନଗ୍ନତା ବା ଅଶ୍ଳୀଳତା ନଥିବା ରେକର୍ଡ ଡ୍ୟାନ୍ସ ଦର୍ଶକଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରୁନଥିବା ଆଲୋଚନା ହେଉଛି। ତେବେ ପୂର୍ବଭଳି କୌଣସି ଦମ୍ଦାର ସଂଳାପ ଦର୍ଶକଙ୍କ ମୁହଁରେ ଶୁଣିବାକୁ ମିଳୁନାହିଁ। କାହାଣୀ ଭଲ ହେଉଥିଲେ ବି ସଂଳାପକୁ ନେଇ ପୁରୁଣା ଯାତ୍ରାପ୍ରେମୀମାନେ ନିରାଶ ହୋଇଥିବା ଆଲୋଚନା ହେଉଛି। ନା ଖଳନାୟକଙ୍କ କୌଣସି ରିପିଟ୍ ସଂଳାପ ନା କମେଡିଆନ୍ଙ୍କ ଡାଇଲଗ୍, ଦର୍ଶକମାନଙ୍କ ମନକୁ ପାଉନାହିଁ ବୋଲି ଚର୍ଚ୍ଚା ହେଉଛି।
ଆଜିଠୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ
ଖଣ୍ଡଗିରି: ପ୍ରସିଦ୍ଧ କୁମ୍ଭମେଳା ଅବସରରେ ଆସନ୍ତାକାଲିଠାରୁ ଓଟିଡିସି ପାନ୍ଥିକା ପରିସରରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଅନୁଷ୍ଠିତ ହେବ। ଭୁବନେଶ୍ବର ସାଂସ୍କୃତିକ ପରିଷଦ ଓ କଲ୍ୟାଣ ଅନୁଷ୍ଠାନ ସହଯୋଗରେ ଆୟୋଜିତ ହେଉଥିବା ଏହି ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବ ୩ ତାରିଖରେ ଉଦ୍ଯାପିତ ହେବ। ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ସହିତ ସମ୍ବଲପୁରୀ, ଘୁମୁରା, ଦଣ୍ଡ ନାଚ ଆଦି ଲୋକନୃତ୍ୟ ସହ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀମାନେ ମେଲୋଡି କାର୍ଯ୍ୟକ୍ରମ ଜରିଆରେ ଆଧୁନିକ ସଂଗୀତ ପରିବେଷଣ କରିବେ। ସେହିଭଳି ଜଣାଶୁଣା ହାସ୍ୟାଭିନେତା ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ସ୍ଥାନୀୟ କର୍ପୋରେଟର୍ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ସ୍ଥାନୀୟ ଯୁବ ସଂଗଠନ ଓ ସାମାଜିକ ଅନୁଷ୍ଠାନମାନେ ଏଥିରେ ବିଶେଷ ସହଯୋଗ କରୁଛନ୍ତି।
ରେକର୍ଡ ଡ୍ୟାନ୍ସରେ ଲୋକନୃତ୍ୟ
ଚଳିତ ବର୍ଷ ଏହି ଅପେରା ଲଢ଼େଇରେ ନୂଆ କଥା ଦେଖିବାକୁ ମିଳୁଛି। ଅଶ୍ଳୀଳତା ଉପରେ କଟକଣା ଲାଗୁ ହେବା ପରେ ସବୁ ମଣ୍ଡପରେ ରେକର୍ଡ ଡ୍ୟାନ୍ସ ନୂଆ ରୂପରେ ଆସୁଛି। ଚିରାଚରିତ ଢଙ୍ଗରେ ରୋମାଣ୍ଟିକ୍ ଗୀତରେ ନୃତ୍ୟଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ କିଛି ମଞ୍ଚରେ ଦେଶଭକ୍ତିର ନୃତ୍ୟ ଦର୍ଶକଙ୍କୁ ବିଭୋର୍ କରୁଛି। ବଡ଼ କଥା ହେଉଛି, ଚଳିତବର୍ଷ ମା’ ଦଶଭୁଜା ଦୁର୍ଗାଙ୍କ ତାଣ୍ଡବ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରୁଛି। ସେହିଭଳି ନିଆଁ କଳସ ମୁଣ୍ଡରେ ରଖି ମହିଳା ନୃତ୍ୟଶିଳ୍ପୀମାନେ ଲୋକନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଏହି ଚମତ୍କାର ନୃତ୍ୟ ଲୋକଙ୍କୁ ବେଶ୍ ପସନ୍ଦ ହେଉଛି।
ବନାରସୀ ମିଠା ପାନରେ ମନ
ଚଳିତ ବର୍ଷ ମେଳାରେ ବନାରସୀ ମିଠା ପାନର ଚାହିଦା ବଢ଼ିଥିବା ଦେଖିବାକୁ ମିଳିଛି। ଖଣ୍ଡକୁ ୨୦ଟଙ୍କାରୁ ୫୦ଟଙ୍କା ପର୍ଯ୍ୟନ୍ତ ହୋଇଥିଲେ ବି ଭଲ ବେପାର ହେଉଛି। ପ୍ରାୟ ୩୦ରୁ ଅଧିକ ପ୍ରକାର ମିଠା ମସଲା ଦେଇ ବନାରସୀ ପାନ ଭଙ୍ଗା ଯାଉଛି। ବିଶେଷକରି ଯୁବତୀ ଓ ମହିଳାମାନେ ଏହି ପାନ ଖାଇବାକୁ ଭିଡ଼ ଜମାଉଛନ୍ତି।
ଜମୁଛି ବ୍ରହ୍ମପୁର ପାମ୍ପଡ଼ ଓ ଆଚାର ବେପାର
ଏବର୍ଷ ମେଳାରେ ବେଶି ବିକ୍ରି ହେଉଛି ବ୍ରହ୍ମପୁର ପାମ୍ପଡ଼ ଓ ଆଚାର। ପ୍ରାୟ ୬ରୁ ଅଧିକ ଷ୍ଟଲ୍ ମେଳାକୁ ଆସିଛି। ଆମ୍ବ, ଲେମ୍ବୁ, ବରକୋଳି, କଞ୍ଚାଲଙ୍କା, କମଳା, କରମଙ୍ଗା, ଅଁଳା ଆଦି ଆଚାର ଗରାଖମାନଙ୍କୁ ଟାଣି ନେଉଛି। ମିଠା ଆଚାର ଦାମ୍ ଅଧିକ ରହୁଥିବା ବେଳେ ରାଗ ଆଚାର ଦାମ୍ କମ୍ ରହିଛି।